ଥଣ୍ଡା ନୁହେଁ, ପାରାଦୀପରେ ବହୁଛି ରାଜନୀତିର ତତଲା ପବନ । ଦାମଙ୍କୁ ଅତୀତ ମନେ ପକାଇଲେ ବିଜେଡି ନେତା

ପାରାଦୀପରେ ପାୱାର ଶୋ’ କଲେ ହେଭିୱେଟ୍

241

କନକ ବ୍ୟୁରୋ: ପାରାଦୀପରେ ‘ପାୱାର ସୋ’ । ପୁଣି ଏହି ନିର୍ବାଚନମଣ୍ଡଳୀରେ ଶକ୍ତି ପ୍ରଦର୍ଶନ କରିଛନ୍ତି ଦୁଇ ହେଭିୱେଟ ନେତା ଦାମୋଦର ରାଉତ ଓ ଦେବାଶିଷ ସାମନ୍ତରାୟ । କୁଜଙ୍ଗ ରାହାମାରେ ବିଜେଡି ଜନସମ୍ପର୍କ ପଦଯାତ୍ରାରେ ଦଳର ନେତାମାନେ ଯୋଗଦେଇ ଦମ ଦେଖାଇଥିବାବେଳେ ଫତେପୁରରେ ସ୍ୱାଭିମାନ ସମାବେଶ କରିଛନ୍ତି ଦାମ ରାଉତ ।

ଉଭୟ ପକ୍ଷ ପରସ୍ପରକୁ କଟୁ ସମାଲୋଚନା କରିଛନ୍ତି । ଦାମ ରାଉତ ବିଭିନ୍ନ ପ୍ରସଙ୍ଗ ଉଠାଇ ବିଜେଡିକୁ ସମାଲୋଚନା କରିଛନ୍ତି, ଆଉ ଜନସମ୍ପର୍କ ଯାତ୍ରାରେ ବିଜେଡି ନେତାମାନେ ଦାମଙ୍କୁ ଟାର୍ଗେଟ କରିବାକୁ ପଛାଇନଥିଲେ । ବିଜେଡି ଜନସମ୍ପର୍କ ଯାତ୍ରାରେ ଦେବାଶିଷ ସାମନ୍ତରାୟଙ୍କ ସମେତ ଅନ୍ୟ ବରିଷ୍ଠ ନେତା ସାମିଲ ହୋଇଥିଲେ ।

କଟକ-ବାରବାଟୀ ବିଧାୟକ ଦେବାଶିଷ ସାମନ୍ତରାୟଙ୍କ ସଭାପତିତ୍ବରେ ରାହାମାରେ ଆୟୋଜିତ କାର୍ଯ୍ୟକ୍ରମରେ ମନ୍ତ୍ରୀ ପ୍ରତାପ ଜେନା ଯୋଗଦେଇ ଦାମଙ୍କ ଯୋଗୁଁ ପାରାଦୀପ ପଛୁଆ ହୋଇ ରହିଛି ବୋଲି କହିଥିଲେ। ବିଜେଡି ଗଠନ ବେଳେ କିଭଳି ବିଜେଡିର ଚିହ୍ନକୁ ସମାଲୋଚନା ଦାମ ରାଉତ କରିଥିଲେ ତାକୁ ମନେ ପକାଇଦେବା ସହ ପରବର୍ତ୍ତୀ ପର୍ଯ୍ୟାୟରେ ନବୀନ ବାବୁଙ୍କ ଆଶୀର୍ବଦାରୁ ହିଁ ଦଳରେ ସାମିଲ ହୋଇ ମନ୍ତ୍ରୀ ହୋଇଥିଲେ ବୋଲି ସେ ଉଲ୍ଲେଖ କରିଥିଲେ ।

ବିଜେଡି ବିଧାୟକ ଦେବାଶିଷ ସାମନ୍ତରାୟ କହିଥିଲେ, ପାରାଦୀପର ବିକାଶରେ ଅତୀତରେ ଦାମ ବାବୁ ଅନ୍ତରାୟ ସୃଷ୍ଟି କରିଥିଲେ । ଅତୀତରେ ତାଙ୍କୁ ଦଳର ମୁଖିଆ ବାରବାଟୀ ନିର୍ବାଚନ ମଣ୍ଡଳୀରେ ଲଢିବାକୁ କହିଥିଲେ, ଆଉ ଭବିଷ୍ୟତରେ ଯଦି ପାରାଦୀପରୁ ଲଢିବାକୁ ନିର୍ଦ୍ଦେଶ ଦିଅନ୍ତି ତେବେ ଏଥିପାଇଁ ସେ ପ୍ରସ୍ତୁତ ବୋଲି ମଧ୍ୟ କହିଛନ୍ତି ।

ଅନ୍ୟପଟେ, ବିଧାୟକ ଦାମୋଦାର ରଉତ କୁଜଙ୍ଗର ଫତେପୁରରେ ଆୟୋଜିତ ସଭାରେ ସମବାୟ ବିଭାଗ, ଓମଫେଡ଼ ଜରି କିଣା ଓ ଚାରା ଦୁର୍ନୀତି ଆଦି ପ୍ରସଙ୍ଗ ଉପରେ ସ୍ବର ଉଠାଇବାରୁ ତାଙ୍କୁ ଦଳରୁ ବହିଷ୍କାର କରାଗଲା ବୋଲି କହିବା ସହିତ ରାହାମାରେ ଉପସ୍ଥିତ ବିଜେଡି ନେତାମାନଙ୍କୁ ତୀବ୍ର ସମାଲୋଚନା କରିଥିଲେ। ଯାହାକି ଚର୍ଚ୍ଚାର ବିଷୟ ପାଲଟିଛି।

ଆଗାମୀ ୨୦୧୯ ସାଧାରଣ ନିର୍ବାଚନରେ ଯେଉଁ କେତେ ଗୋଟି ଆସନରେ ବିଗ୍ ଫାଇଟ୍ ହେବାକୁ ଯାଉଛି, ସେଥିରୁ ପାରାଦୀପ ହେବ ଅନ୍ୟତମ । ଗୋଟିଏ ପଟେ ଦୀର୍ଘ ଦିନର ରାଜନୈତିକ ଅଭିଜ୍ଞତା ରଖିଥିବା ଦାମ ବାବୁ ଥିବା ବେଳେ ଅନ୍ୟପଟେ ବିଜେଡି କାହାକୁ ପ୍ରାର୍ଥୀ ଭାବେ ସାମ୍ନାକୁ ଆଣୁଛି, ତା ଉପରେ ନଜର ।