ବିଜେପିରୁ ଇସ୍ତଫା ଦେବା ପରେ ଦାମ ରାଉତଙ୍କ ପ୍ରତିକ୍ରିୟା। କହିଲେ ଦଳରେ ଅଣଦେଖା ଜନିତ ମାନସିକ ଅଶାନ୍ତିରୁ ଦେଇଛି ଇସ୍ତଫା। ଆଉ ନିର୍ବାଚନ ଲଢିବିନି ସମାଜସେବା କରିବି

1,070

କନକ ବ୍ୟୁରୋ: ବରିଷ୍ଠ ନେତା ଦାମୋଦର ରାଉତ ଆଜି ବିଜେପିରୁ ଇସ୍ତଫା ଦେଇଛନ୍ତି । ସେ ତାଙ୍କ ଇସ୍ତଫାପତ୍ର ବିଜେପି ରାଜ୍ୟ ସଭାପତି ବସନ୍ତ ପଣ୍ଡାଙ୍କ ନିକଟକୁ ପଠାଇଛନ୍ତି । ଇସ୍ତଫାପତ୍ରରେ ଦାମ ଲେଖିଛନ୍ତି, ଗତ ସାଧାରଣ ନିର୍ବାଚନ ପରେ ଭାରତୀୟ ଜନତା ପାର୍ଟିର ଦଳୀୟ କାର୍ଯ୍ୟକ୍ରମ କିମ୍ବା ନିଷ୍ପତି ପ୍ରକ୍ରିୟାରେ ମୋର ଉପସ୍ଥିତି ବା ସମ୍ପୃକ୍ତି ଆଦୌ ଆବଶ୍ୟକତା ହେଉନଥିବା ମୁଁ ଅନୁଭବ କରୁଛି । ଏହା ମୋ ଭିତରେ ଗଭୀର ମାନସିକ ଅସନ୍ତୁଳନ ସୃଷ୍ଟି କରିଛି । ଅଲୋଡା ଓ ଅନାବଶ୍ୟକ ସ୍ଥିତି ସକ୍ରିୟ ନିର୍ବାଚନ ରାଜନୀତିରୁ ସମ୍ପୁର୍ଣ୍ଣ ଅବ୍ୟାହତି ନେବା ପାଇଁ ବାଧ୍ୟ କରୁଛି ବୋଲି ଲେଖିଛନ୍ତି ଦାମ । ସ୍ୱର୍ଗତ ବିଜୁ ପଟ୍ଟନାୟକଙ୍କର ଜଣେ ଉତ୍ସର୍ଗିକୃତ ଅନୁଗତ ଭାବରେ ରାଜ୍ୟ ଓ ରାଜ୍ୟବାସୀଙ୍କର ସ୍ୱାର୍ଥ ପାଇଁ ରଚନାତ୍ମକ କାର୍ଯ୍ୟକଳାପରେ ଅବଶିଷ୍ଟ ଜୀବନ ବିତାଇବା ପାଇଁ ବିଜେପିର ପ୍ରାଥମିକ ସଦସ୍ୟପଦରୁ ଇସ୍ତଫା ଦେଇଥିବା କଥା ଉଲ୍ଲେଖ କରିଛନ୍ତି ।

 

ବିଜେପିରୁ ଇସ୍ତଫା ଦେବା ପରେ ପ୍ରତିକ୍ରିୟା ରଖିଛନ୍ତି ବରିଷ୍ଠ ନେତା ଦାମୋଦର ରାଉତ । ସେ କହିଛନ୍ତି କି, ମୁଁ ଯେଉଁ ରାଜନୈତିକ ଦଳରେ ଥିଲି ସେ ଦଳ ମୋତେ ଆବଶ୍ୟକ କରୁନାହିଁ ବୋଲି ମୁଁ ଅନୁଭବ କଲି କାରଣ କୌଣସି ଦଳୀୟ କାର୍ଯ୍ୟକ୍ରମ ତଥା ନୀତି-ନିଷ୍ପତି ପ୍ରକ୍ରିୟାରେ ମୋର ସଂପୃକ୍ତି ସେମାନେ ଆବଶ୍ୟକ କରୁନାହାଁନ୍ତି ବୋଲି ଅଭିଯୋଗ ଆଣିଛନ୍ତି ଦାମ ରାଉତ । ଏଥି ସହିତ ଦାମ କହିଛନ୍ତି ଯେ, ଦୀର୍ଘ ୪୬ କାଳ ରାଜ୍ୟ ରାଜନୀତିର ପୂର ଭାଗରେ ଥାଇ ଚଳଚଂଚଳ ଜୀବନ ଯାପନ କରୁଥିବା ଜଣେ ବ୍ୟକ୍ତି ବୟସ ହେଲା ପରେ ଘରେ ନିକମା ହୋଇ ବସିବା କଷ୍ଟ ଲାଗୁଛି, ମାନସିକ ସନ୍ତୁଳନ ଘଟୁଛି ତେଣୁ ମୁଁ ବୁଝିଲି ଏଣିକି ଆଉ କୌଣସି ନିର୍ବାଚନ ରାଜନୀତିରେ ଅଂଶଗ୍ରହଣ ନକରି କୌଣସି ଦଳରେ ଯୋଗ ନଦେଇ ସାଧାରଣ ଜୀବନ ଯାପନ କରିବି ବୋଲି ନିଷ୍ପତି ନେଇ ଇସ୍ତଫା ଦେଇଛି ବୋଲି କହିଛନ୍ତି ଦାମ ରାଉତ । ତେବେ ରାଜନୀତି କରିବାକୁ ଇଚ୍ଛା ରହିଛି ମାତ୍ର କୌଣସି ଦଳୀୟ ତଥା ପଦ ପଦବୀ ଆଶାରେ କୌଣସି ନିର୍ବାଚନ ଲଢିବି ନାହିଁ ବା କୌଣସି ରାଜନୈତିକ ଦଳର ହାତବାରିସ୍ ନହୋଇ ସାଧାରଣ ଲୋକଙ୍କର ସେବା କରିବି ବୋଲି ନିଜ ପ୍ରତିକ୍ରିୟାରେ କହିଛନ୍ତି ଦାମ ରାଉତ ।

ସେପଟେ ବିଜେପିରୁ ଦାମଙ୍କୁ ଇସ୍ତଫା ନେଇ ବିଜେଡି ନେତା ଦେବାଶିଷ ସାମନ୍ତରାୟ ପ୍ରତିକ୍ରିୟା ପ୍ରକାଶ କରିଛନ୍ତି । ସେ କହିଛନ୍ତି, ବିଜେପିରେ ବୋଧହୁଏ ଦାମବାବୁ ଖାପଖୁଆଇ ପାରିଲେ ନାହିଁ । ତେବେ ବିଜେଡିକୁ ଦାମ ପୁଣି ଫେରିବେ କି ନାହିଁ ସେ ନେଇ ସଭାପତି ନିଷ୍ପତି ନେବେ ବୋଲି କହିଛନ୍ତି ଦେବାଶିଷ ।  ସେହିଭଳି ବିଜେଡି ନେତା ଦେବୀ ମିଶ୍ର କହିଛନ୍ତି ସେ ଜଣେ ଅଭିଜ୍ଞ ଓ ସମ୍ମାନନୀୟ ବ୍ୟକ୍ତି । ବିଜୁବାବୁଙ୍କ ଅତ୍ୟନ୍ତ ଘନିଷ୍ଠ ଥିଲେ । ବିଭିନ୍ନ ସମୟରେ ବିଜେଡି ଓ ଜନତା ଦଳରେ ରହି ବିଭିନ୍ନ ଦାୟିତ୍ୱ ତୁଲାଇଥିଲେ । ସେ ନିଜ ନିଷ୍ପତି ନିଜେ ନେଇପାରିବେ ।

 

ତେବେ ଓଡିଶା ରାଜନୀତିର ଏହି ଚର୍ଚ୍ଚିତ ଏବଂ ବିବାଦୀୟ ଚେହେରା ଉପରେ ସାରା ରାଜ୍ୟବାସୀଙ୍କ ନଜର ରହିଥାଏ । ବିଜେଡିରେ ଥାଇ ନବୀନ ସରକାରକୁ ବାରମ୍ବାର ସମାଲୋଚନା କରି ଚର୍ଚ୍ଚାରେ ରହିଥିଲେ ଦାମ ରାଉତ । ବିଜେଡିରୁ ବହିଷ୍କାର ପରେ ବିଜେପିରେ ଯୋଗ ଦେଇଥିଲେ । ତେବେ ବିଜେପିରେ ଅଲୋଡା ଅନୁଭବ କରି ଆଜି ଇସ୍ତଫା ଦେଇଛନ୍ତି ଏହି ବରିଷ୍ଠ ନେତା ।