ବାଟ ମଝିରେ ଧାନକେଣ୍ଡା ଦେଖାଇବାରୁ କାହିଁକି ଚିଡିଲେ ଦାମ ? କହିଲେ, ଧାନ ଧରି କରୁଛ ରାଜନୀତି

31

କନକ ବ୍ୟୁରୋ : କାହିଁକି ଚିଡିଲେ କୃଷିମନ୍ତ୍ରୀ । ରାସ୍ତାରେ ଧାନକେଣ୍ଡା ଦେଖି ଚିହିଁକି ଉଠିଲେ କାହିଁକି । ଅଦିନିଆ ବର୍ଷା ଚାଷ ଉଜାଡି ଦେଇଥିବା ଅଭିଯୋଗ ଚାଷୀ କରିବା ବେଳେ ରାଗି ନିଆଁବାଣ ହୋଇଗଲେ ଦାମ । ଧାନ କେଉଁଠି ଗଜା ହୋଇଛି କହି ଅଭିଯୋଗକାରୀଙ୍କୁ ପାଲଟା ଆକ୍ରମଣ କଲେ । ଯାହା ଦାମଙ୍କୁ ପୁଣିଥରେ ଚର୍ଚ୍ଚାର ପରିସରକୁ ଟାଣି ଆଣିଛି ।

damaକୁଞ୍ଜଙ୍ଗ ଗସ୍ତବେଳେ କୃଷିମନ୍ତ୍ରୀ ଦାମୋଦର ରାଉତଙ୍କ ସହ ଘଟିଥିବା ଏକ ଘଟଣାକୁ ନେଇ ଆଜି ସାରାଦିନ ଚର୍ଚ୍ଚା ଲାଗିରହିଛି । କୁଞ୍ଜଙ୍ଗ କଲେଜରେ ଆୟୋଜିତ ଏକ କାର୍ଯ୍ୟକ୍ରମରେ ଯୋଗଦେଇ ଫେରୁଥିବାବେଳେ କୃଷିମନ୍ତ୍ରୀଙ୍କୁ ଦେଖା କରିବାକୁ ଏହିଭଳି ଜଗି ରହିଥିଲେ କିଛି ଲୋକ । ହାତରେ ଓଦା ଧାନକେଣ୍ଡା ଧରି ଚାଷୀଙ୍କ ସମସ୍ୟା ଜଣାଇବାକୁ ଚାହୁଁଥିଲେ । କିନ୍ତୁ ଦାମ ରାଉତ ଏମାନଙ୍କୁ ଦେଖି ଚିଡି ଯାଇଥିଲେ । ଏପରିକି ରାସ୍ତାରେ ଛିଡାହୋଇ ରହିଥିବା ଜଣେ ବ୍ୟକ୍ତିଙ୍କୁ ସେ ଭଲଭାବେ ଜାଣନ୍ତି ଏବଂ ସେ ଚାଷୀ ନୁହନ୍ତି ବୋଲି ଦାମ କହିଥିଲେ । ଏପରିକି ଧାନ କେଉଁଠି ଗଜା ହୋଇଛି ବୋଲି ପାଲଟା ପ୍ରଶ୍ନ କରିଥିଲେ । ଯେଉଁ ଚାଷୀଙ୍କର କ୍ଷତି ହୋଇଛି ସେମାନେ ଜଣାଇବେ ତମେ ମାନେ ସବୁ କିଏ ବୋଲି କହି ଚିଡିଯାଇଥିଲେ ଦାମ  । ସେ ନିଜେ ଜଣେ ଚାଷୀ ଏବଂ ଏବେ ମଧ୍ୟ ଚାଷ ଦେଖୁଛନ୍ତି ତେଣୁ ତାଙ୍କ ଆଗରେ ବେକାର କଥା ନ କହିବାକୁ କୃଷିମନ୍ତ୍ରୀ କହିଥିଲେ ।

ଅଭିଯୋଗକାରୀଙ୍କ ଉପରେ ଦାମଙ୍କ ଏଭଳି ଆକ୍ରୋଶମୂଳକ ବ୍ୟବହାର ନେଇ ଖବର ପ୍ରସାରଣ ପରେ ପୁଣି ଭୁବନେଶ୍ୱରରେ ପ୍ରତିକ୍ରିୟା ରଖିଥିଲେ ଦାମ । ଦାମ କହିଥିଲେ ଅଭିଯୋଗ କରିବାକୁ ଆସିଥିବା ବ୍ୟକ୍ତି ଚାଷୀ ନୁହଁନ୍ତି । ସେ ଖାଲିଟାରେ ସବୁବେଳେ ବୁଲୁଥାନ୍ତି । ତାଙ୍କୁ ସେ ଭଲ ଭାବେ ଚିହ୍ନିଛନ୍ତି । ତେବେ ଏସବୁ ଭିତରେ କୃଷିମନ୍ତ୍ରୀ ଦାମୋଦର ରାଉତ ଓ ଅଭିଯୋଗକାରୀଙ୍କ ଭିତରେ କଥାବାର୍ତାର ପୁରା ଚିତ୍ର କ୍ୟାମେରାରେ କଏଦ ହୋଇଥିବାବେଳେ ଅନେକ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି ।

 ୧- ଅଭିଯୋଗକାରୀ ଯଦି ଚାଷୀ ନୁହନ୍ତି ତାହେଲେ ସେମାନଙ୍କ ଏଭଳି ପଦକ୍ଷେପ ପଛରେ ଉଦ୍ଦେଶ୍ୟ କ’ଣ?

୨- କୃଷିମନ୍ତ୍ରୀଙ୍କୁ ଅଡୁଆରେ ପକାଇବାକୁ ଏଭଳି ଯୋଜନା କରାଯାଇଥିଲା କି?

୩- ଏଭଳି କରିବା ପଛରେ କିଛି ରାଜନୈତିକ ଉଦ୍ଦେଶ୍ୟ ରହିଥିଲା କି?

୪- ସବୁଠାରୁ ବଡ ପ୍ରଶ୍ନ ହେଲା ଦାମ ବାବୁ ଏମାନଙ୍କ ସହ ଆଲୋଚନା ନକରି ହଠାତ ଚିଡିଗଲେ କାହିଁକି?