ଦମ୍ ଦେଖାଇଲେ ଦାମ : ବିଜେପିର ସଂଖ୍ୟାକୁ ୧୦ରୁ ୬କୁ ଖସାଇବାକୁ ଦମ୍ଭୋକ୍ତି

39

କନକ ବ୍ୟୁରୋ : ବିଜେପିର ବିଧାୟକ ସଂଖ୍ୟା ୧୦ରୁ ୬କୁ ଖସାଇଦେବେ ଦାମ ରାଉତ । ଆଜି ଏଭଳି ଏକ ଚ୍ୟାଲେଂଜ୍ ଦେଇ ଚର୍ଚ୍ଚାକୁ ଆସିଛନ୍ତି ମନ୍ତ୍ରୀ ଦାମୋଦର ରାଉତ । ବିଜେଡି ସାଂସଦ ଭର୍ତ୍ତୃହରି ମହତାବଙ୍କ ସାପ୍ତାହିକ ଲେଖା- ‘ଦୁର୍ବଳ ହେଉଛି ବିରୋଧୀ ପକ୍ଷ’ ଲେଖା ଉପରେ ସାମ୍ବାଦିକମାନେ ଡ. ରାଉତଙ୍କୁ ପ୍ରଶ୍ନ କରିବାରୁ ଏଭଳି ଜବାବ ଦେଇଛନ୍ତି ଦାମ ରାଉତ । ପୂର୍ବରୁ କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଯେଉଁଠୁ ଛିଡ଼ା ହେବେ ସେ ସେଠାରେ ତାଙ୍କ ବିରୋଧରେ ପ୍ରଚାର କରିବେ ବୋଲି କହି ଚର୍ଚ୍ଚାକୁ ଆସିଥିଲେ ଦାମ ।

ଏବେ ଡା. ରାଉତଙ୍କ ଏଭଳି ବୟାନ ପୁଣି ଥରେ ରାଜନୈତିକ ହଟ୍ଟଚମଟ ସୃଷ୍ଟି କରିଛି । ବିଜେପି ରାଜ୍ୟ ପ୍ରଭାରୀ ଅରୁଣ ସିଂହ କହିଛନ୍ତି- ଦାମ ବାବୁଙ୍କ ଏଭଳି ଅହଂକାର ଠିକ୍ ନୁହେଁ । ବିଜେପି ଜିଲ୍ଲାପରିଷଦ ନିର୍ବାଚନରେ ୮ଟି ଜିଲ୍ଲାପରିଷଦରେ ଅଧ୍ୟକ୍ଷ ପଦ ହାସଲ କରିଛି । ଏଥିସହ ୧୦ଟି ଜିଲ୍ଲାରେ ବିଜେପି ପ୍ରାର୍ଥୀମାନେ ୪୦ ପ୍ରତିଶତରୁ ଅଧିକ ଭୋଟ୍ ପାଇଛନ୍ତି । ଏଭଳି ସ୍ଥିତିରେ ବିଜେଡି ସରକାର ଅହଂକାର ନ ଦେଖାଇ ଗରିବଙ୍କ ସେବା କରିବା ଉଚିତ୍ ।