ପୂର୍ବତନ ମନ୍ତ୍ରୀ ଡମ୍ବରୁ ମାଝି ଅସୁସ୍ଥ । ହୃଦରୋଗରେ ପୀଡ଼ିତ ଥିବା ଡମ୍ପରୁଙ୍କ ଚିକିତ୍ସା ଖର୍ଚ୍ଚ ପାଇଁ ଆର୍ଥିକ ସହାୟତା ମାଗିଲେ ପରିବାର ଲୋକେ

153

କନକ ବ୍ୟୁରୋ: ଅସୁସ୍ଥ ହୋଇ ପଡିଛନ୍ତି ଓଡିଶାର ପୂର୍ବତନ ମନ୍ତ୍ରୀ ଡମ୍ବରୁ ମାଝି । ହୃଦରୋଗରେ ପୀଡ଼ିତ ଥିବା ଡମ୍ପରୁଙ୍କ ପାଇଁ ତାଙ୍କ ଜ୍ୱାଇଁ ଆର୍ଥିକ ସହାୟତା ମାଗିଛନ୍ତି । ବର୍ତ୍ତମାନ ସେ ରାୟପୁରର ଏକ ଘରୋଇ ମେଡିକାଲରେ ଚିକିତ୍ସିତ ହେଉଥିବା ବେଳେ ଡାକ୍ତର ତୁରନ୍ତ ଅସ୍ତ୍ରୋପଚାର କରିବାକୁ କହିଥିବା ଜଣାପଡିଛି । ଏଥିପାଇଁ ପ୍ରାୟ ୨୫ଲକ୍ଷ ଟଙ୍କା ଆବଶ୍ୟକ ଥିବା ବେଳେ ଡମ୍ବରୁଙ୍କ ପରିବାର ଆର୍ଥିକ ସ୍ତରରେ ଅସହାୟତା ପ୍ରକାଶ କରିଛନ୍ତି । ମୁଖ୍ୟମନ୍ତ୍ରୀ ରିଲିଫ ଫଣ୍ଡରୁ ସହାୟତା ଦେବା ପାଇଁ ମୁଖ୍ୟମନ୍ତ୍ରୀଙ୍କ ପାଖକୁ ଚିଠି ଲେଖିଛନ୍ତି ପରିବାର ଲୋକେ ।

ନବରଙ୍ଗପୁର ରାଜନୀତି ସମେତ ଦକ୍ଷିଣ ଓଡିଶା ରାଜନୀତିରେ ବେଶ ପ୍ରଭାବଶାଳୀ ରହି ଆସିଛନ୍ତି ଡମ୍ବରୁ । ବିଜେଡି ଟିକେଟରେ ନିର୍ବାଚନ ଜିତି ସେ ମନ୍ତ୍ରୀ ବି ବନିଥିଲେ । ଅବଶ୍ୟ ପରେ ଦଳ ବଦଳ ଚିତ୍ର ଆସିଥିଲା । ହେଲେ ଦିନେ ରାଜନୀତିର ପୋଖତ ଖେଳାଳି ଥିବା ଡମ୍ବରୁ ଆଜି ହସ୍ପିଟାଲରେ ଶଯ୍ୟାଶାୟୀ । ଆଉ ତାଙ୍କ ପାଇଁ ତୁରନ୍ତ ଆର୍ଥିକ ସହାୟତା ମିଳିଲେ ଅପରେସନ ସମ୍ଭବପର ହୋଇପାରିବ । ଏହା ସହ ଡମ୍ବରୁ ସୁସ୍ଥ ହୋଇପାରିବେ ବୋଲି କହିଛନ୍ତି ତାଙ୍କ ପରିବାର ଲୋକ । ଏହାସହ ଆର୍ଥିକ ସହାୟତା ଯୋଗାଇଦେବା ପାଇଁ ସରକାରଙ୍କୁ ଅନୁରୋଧ କରିଛନ୍ତି ।