ଗଣମାଧ୍ୟମରେ ଖବର ପ୍ରସାରଣ ପରେ ଚେତିଲା କୋରାପୁଟ ପ୍ରଶାସନ ! କୋଟପାଡ଼ ଦମୟନ୍ତୀ ସାଗରର ପୁନରୁଦ୍ଧାର ପାଇଁ ଆଗକୁ ଆସିଲା ଜଳ ସଂପଦ ବିଭାଗ

୩ ମାସ ଭିତରେ ପୁନରୁଦ୍ଧାର କାମ ସାରିବାକୁ ନିର୍ଦ୍ଦେଶ

74

କନକ ବ୍ୟୁରୋ : କନକ ନ୍ୟୁଜରେ ଖବର ପ୍ରସାରଣ ପରେ ଚେତିଲା ପ୍ରସାଶନ । କୋଟପାଡ ଦମୟନ୍ତୀ ସାଗରର ପୁନରୁଦ୍ଧାର କାମ ତୁରନ୍ତ ଆରମ୍ଭ କରିବା ଆଗାମୀ ୩ ମାସରେ କାମ ସାରିବା ପାଇଁ ପ୍ରତିଶ୍ରୁତି ଦେଲା ପ୍ରଶାସନ । ଏଥିପାଇଁ ସରକାର ଖର୍ଚ୍ଚ କରିବେ ୬୮ ଲକ୍ଷ ଟଙ୍କା । ରାଜ୍ୟର ସୀମାନ୍ତରେ ଥିବା କୋରାପୁଟ ଜିଲ୍ଲା କୋଟପାଡ଼ ବ୍ଳକ୍ର ଲାଇଫ ଲାଇନ କୁହାଯାଉଥିବା ଦମୟନ୍ତୀ ସାଗର ବିଲୁପ୍ତ ଅବସ୍ଥାରେ ରହିଥିବା ଖବର କନକ ନ୍ୟୁଜରେ ଗତ ୨୮ ତାରିଖରେ ପ୍ରସାରଣ ହୋଇଥିଲା । ପ୍ରସାରଣ ପରେ ବିଭାଗୀୟ ଅଧିକାରୀଙ୍କ ନିଦ ଭାଙ୍ଗିଛି ।

ତୁରନ୍ତ ଏହାର ପୁନରୁର୍ଦ୍ଧାର କାମ କରିବା ପାଇଁ ଜୟପୁର ସ୍ଥିତ କ୍ଷୁଦ୍ର ଜଳସମ୍ପଦ ବିଭାଗର ସର୍ବୋଚ୍ଚ ବିଭାଗର ମୁଖ୍ୟ ଯନ୍ତ୍ରୀ ଏକ ବୈଠକ ଡ଼ାକି କହିଛନ୍ତି । ସାଗରର ସମସ୍ୟା ସମାଧାନ କରିବା ସହ କାହିଁକି ଏପରି ଅବସ୍ଥା ହେଲା ତାକୁ ନେଇ ବୈଠକରେ କୈଫତ ମାଗିଛନ୍ତି ବିଭାଗୀୟ ମୁଖ୍ୟ ଯନ୍ତ୍ରୀ । ଆସନ୍ତା ମାର୍ଚ୍ଚ ୩୧ ତାରିଖ ସୁଦ୍ଧା ସମ୍ପୁର୍ଣ୍ଣ କାମ ସାରି ଦମୟନ୍ତୀ ସାଗରକୁ କାର୍ଯ୍ୟକ୍ଷମ କରାଯିବ । ୮୦ ଏକର ପରିଧିର ଏହି ଦମୟନ୍ତୀ ସାଗରର ଚାରିପଟେ ଲାଇଟ ଲାଗିବା ସହ ସାଗର ଭିତରୁ ଦଳ ସଫା କରାଯିବ । ସହରର ଡ଼୍ରେନ ପାଣି ଯେମିତି ସାଗର ଭିତରକୁ ପ୍ରବେଶ ନ କରିବ ସେଥିପାଇଁ ପଦକ୍ଷେପ ନିଆଯିବ । ଏଥିସହ ଦମୟନ୍ତୀର ମଧ୍ୟ ଭାଗରେ ଏକ ଫୁଟ ଓଭର ବ୍ରୀଜ ନିର୍ମାଣ କରାଯିବ । ଯାହା ଏକ ପର୍ଯ୍ୟଟନ ସ୍ଥଳ ରୁପେ ବର୍ଣ୍ଣନା କରାଯିବ । ଏହି ସାଗରର ପୁନରୁଦ୍ଧାର ପାଇଁ ଆଗରୁ ଖର୍ଚ୍ଚ ହୋଇଥିବା ଅର୍ଥକୁ ବାଦ ଦେଇ ଆଉ ୬୮ ଲକ୍ଷ ଟଙ୍କାର ବ୍ୟୟ ବରାଦ କରିଛ ଜଳ ସଂପଦ ବିଭାଗ ।