ନବୀନଙ୍କ ପଛରେ ଦାମଙ୍କ ପୁଅ । ପ୍ରତିଷ୍ଠା ଦିବସରେ ବିଜେଡି କାର୍ଯ୍ୟାଳୟରେ ସମ୍ବିତ ରାଉତରାୟ

869

କନକ ବ୍ୟୁରୋ : ବିଜେଡିର ପ୍ରତିଷ୍ଠା ଦିବସରେ ଆଜି ଏକ ନିଆରା ଦୃଶ୍ୟ ଦେଖିବାକୁ ମିଳିଛି । ବିଜେଡିରୁ ବିତାଡିତ ହୋଇଥିବା ବରିଷ୍ଠ ନେତା ଦାମ ରାଉତଙ୍କ ପୁଅ ସମ୍ବିତ ରାଉତରାୟଙ୍କୁ ଆଜି ପ୍ରତିଷ୍ଠା ଦିବସ ସଭାମଞ୍ଚରେ ଦେଖିବାକୁ ମିଳିଛି । ଏପରିକି ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକଙ୍କ ଠିକ୍ ପଛପଟେ ସମ୍ବିତଙ୍କୁ ଦେଖିବାକୁ ମିଳିଛି । ଆଉ ଏହି ଦୃଶ୍ୟ ରାଜନୈତିକ ବିଶ୍ଲେଷକଙ୍କୁ ମଧ୍ୟ ଶଙ୍କାରେ ପକାଇଛି । କାରଣ ଦାମ ଦଳରୁ ବିଦା ହେବା ପରେ କହିଥିଲେ ତାଙ୍କ ପୁଅ ତାଙ୍କ ସାଥୀରେ ଅଛି । ସେ ଅଶୋକ ଦାସ କି କଳ୍ପତରୁ ଦାସଙ୍କ ପୁଅ ନୁହେଁ ସେ ଦାମ ରାଉତର ପୁଅ ବୋଲି ଛାତି ବାଡେଇ କହିଥିଲେ । ଏପରିକି ପୁଅ ସମ୍ବିତ ତାଙ୍କ ସହ ସବୁବେଳେ ଅଛି ବୋଲି କହିଥିଲେ ଦାମ । ସେ ଯୁଆଡେ ଯିବେ ତାଙ୍କ ପୁଅ ସିଆଡେ ଯିବ ବୋଲି କହିଥିଲେ ଦାମ । କିନ୍ତୁ ଆଜିର ଏହି ଚିତ୍ର ଅନ୍ୟ କିଛି ବୟାନ କରୁଛି ।

କୁହାଯାଏ ରାଜନୀତିରେ ସର୍ମ୍ପକକୁ ଦେଖାଯାଏ ନାହିଁ । ଆଉ ବୋଧେ ଠିକ୍ ସେହି ଫର୍ମୁଲାକୁ ଆପଣାଇଛନ୍ତି ପୁଅ ସମ୍ବିତ ରାଉତରାୟ । ଗୋଟିଏ ପଟେ ବାପା ଦାମ ରାଉତ ଦଳ ଗଢି ନବୀନଙ୍କୁ ଟାର୍ଗେଟ କରିବାକୁ ଭୁଲୁନଥିବା ବେଳେ ଅନ୍ୟପଟେ ପୁଅ ସମ୍ବିତ ରାଉତରାୟ ନବୀନ ସରକାରର ସଫଳତା ବଖାଣୁଛନ୍ତି । ଏପରିକି ସମ୍ବିତ ନବୀନଙ୍କୁ ନିଜର ନେତା ମାନିବା ସହ ୨୦୧୯ରେ କିଭଳି ନବୀନଙ୍କୁ ପୁଣିଥରେ ମୁଖ୍ୟମନ୍ତ୍ରୀ ଆସନରେ ଦେଖିବାକୁ ଚାହୁଁଥିବା କହିଛନ୍ତି । କିନ୍ତୁ ଅନ୍ୟପଟେ ଦାମ ୨୦୧୯ରେ ନବୀନଙ୍କୁ ଶାସନରୁ ହଟାଇବା ପାଇଁ ଜୋରଦାର ପ୍ରୟାସ ଚଳାଇଛନ୍ତି । ଆଉ ଏହା ଏବେ ଉଭୟ ରାଜ୍ୟ ଓ ପାରାଦ୍ୱୀପ ରାଜନୀତିକୁ ଉଷ୍ମ କରିଛି ।

ପାରାଦ୍ୱୀପ ଆସନରୁ ଦାମ ଲଢିବାକୁ କହୁଥିବା ବେଳେ ବିଜେଡି ଏଠାରୁ କାହାକୁ ପ୍ରାର୍ଥୀ କରିବ ତାହା ଉପରେ ଏବେ ସମସ୍ତଙ୍କର ନଜର ରହିଛି । ଯଦି ସମ୍ବିତଙ୍କୁ ଦଳ ପ୍ରାର୍ଥୀ କରେ ତେବେ ତାଙ୍କ ବିପକ୍ଷରେ ନିର୍ବାଚନ ଲଢିବେ କି ନାହିଁ ତାହା ସବୁଠୁ ବଡ ପ୍ରଶ୍ନ । ଅନ୍ୟପଟେ ସମ୍ବିତଙ୍କୁ ଅସ୍ତ୍ର କରି ଦାମଙ୍କ ପଲିଟିକାଲ କ୍ୟାରିୟରର ଡେଥ୍ କରିବାକୁ ଯୋଜନା କରୁଥାଇପାରେ ବିଜେଡି ।

ଗତବର୍ଷ ମଧ୍ୟ ଯେତେବେଳେ ଦାମ ଦଳରେ ଥିଲେ ସେତେବେଳେ ପ୍ରତିଷ୍ଠା ଦିବସ ସଭାରେ ତାଙ୍କୁ ଦେଖିବାକୁ ମିଳିନଥିଲା । ପୁରୀରେ ପ୍ରତିଷ୍ଠା ଦିବସ ପାଳନ ହେଉଥିଲେ ମଧ୍ୟ ଦାମ ପିପିଲି ପାଖରୁ ଫେରି ଆସିଥିଲେ । ସେତେବେଳେ ପୁଅ ସମ୍ବିତ ରାଉତରାୟ ପାରାଦ୍ୱୀପ ନିର୍ବାଚନମଣ୍ଡଳୀରୁ କର୍ମୀଙ୍କୁ ଧରି ପୁରୀ ସଭା ଯାଇଥିଲେ । ଆଉ ଏହା ଭିତରେ ଗୋଟିଏ ବର୍ଷ ବିତିଯାଇଛି । ଆଉ ସମୟର କାଳଚକ୍ରରେ ଦାମଙ୍କୁ ବିଜେଡିରୁ ବିତାଡିତ ହେବାକୁ ପଡିଛି । କିନ୍ତୁ ବୋଧହୁଏ ପୁଅ ସମ୍ବିତ ରାଉତରାୟ ନିଜର ରାଜନୈତିକ ଭବିଷ୍ୟତ ପାଇଁ ବିଜେଡିରୁ ମୁହଁ ଫେରାଇ ପାରୁନାହାନ୍ତି । ଆଉ ପ୍ରତିଷ୍ଠା ସଭାରେ ଯୋଗ ଦେଇ ବାପାଙ୍କ ଛାତିପିଟା କଥାକୁ ଭୁଲ ପ୍ରମାଣିତ କରିଛନ୍ତି ।