ସୂର୍ଯ୍ୟଙ୍କ ପ୍ରଶ୍ନ ଉପରେ ଉତ୍ତର ରଖିଲେ ଦାମଙ୍କ ଜ୍ୱାଇଁ ! କହିଲେ, ପ୍ରମାଣ ଦେଲେ ଘର ତାଙ୍କୁ ଦାନ କରିଦେବି

98

କନକ ବ୍ୟୁରୋ :  ବିଜେଡିରୁ ବିଦା ହେବା ପରେ ଜୋର ଧରିଛି ଦାମ-ସୂର୍ଯ୍ୟ ଲଢେଇ । ଏପରିକି ଦୁହିଁଙ୍କ ମଧ୍ୟରେ ଲଢେଇ ଏଭଳି ସ୍ତରକୁ ଚାଲି ଯାଇଛି ଯେ, ଦୁହେଁ ଦୁହିଁଙ୍କୁ ବ୍ୟକ୍ତିଗତସ୍ତରରେ ଆକ୍ଷେପ କରିବାକୁ ମଧ୍ୟ ପଛାଇନାହାନ୍ତି । ସୂର୍ଯ୍ୟ ଦାମଙ୍କ ଜ୍ୱାଇଁଙ୍କ ନାଁରେ ଅଭିଯୋଗ ଆଣିବା ପରେ ଏହି ଜୋର ଧରିଛି ଆରୋପ-ପ୍ରତ୍ୟାରୋପ ରାଜନୀତି । ଶିଳ୍ପ ବିଭାଗ ଅଫିସକୁ ରାଉରକେଲାରୁ ପାରାଦ୍ୱୀପକୁ ଆଣି ଜ୍ୱାଇଁଙ୍କ ଘରେ ଚଳାଇ ଦାମ ଦୁର୍ନୀତି କରିଥିବା ଅଭିଯୋଗ କରିଥିଲେ ସୂର୍ଯ୍ୟ । ଯାହାର ଜବାବ ମଧ୍ୟ ରଖିଥିଲେ ଦାମ । ଏପରିକି ସୂର୍ଯ୍ୟ ଆଣିଥିବା ଅଭିଯୋଗକୁ ପ୍ରମାଣ କରିବାକୁ ଚ୍ୟାଲେଞ୍ଜ ଦେଇଥିଲେ ଦାମ ।

DAMA SURJYAଏସବୁ ଭିତରେ ସୂର୍ଯ୍ୟଙ୍କ ଅଭିଯୋଗ ପରେ ମୁହଁ ଖୋଲିଛନ୍ତି ଦାମଙ୍କ ଜ୍ୱାଇଁ ଦିଲ୍ଲୀପ ଭୂୟାଁ । ସୋସିଆଲ ମିଡିଆରେ ଦିଲ୍ଲୀପ ପୋଷ୍ଟ କରି କହିଛନ୍ତି, ମୋର ପାରାଦ୍ୱୀପରେ କୌଣସି ଘର ନାହିଁ । ଏପରିକି ମୁଁ ଜଣେ ପେଶାଦାର, ଉଚ୍ଚଶିକ୍ଷିତ ଏବଂ ଚାକିରି ମାଧ୍ୟମରେ ନିଜର ରୋଜଗାର କରୁଛି । ରାଜନୀତି ମୋର ନୁହେଁ ବରଂ ଆପଣଙ୍କର ପେଶା ବୋଲି ସୂର୍ଯ୍ୟଙ୍କୁ ଟାର୍ଗେଟ କରି କହିଛନ୍ତି ଦିଲ୍ଲୀପ । ଏହାଛଡା ମୋ ଭଳି ଦରମାପ୍ରାପ୍ତ ଚାକିରିଆଙ୍କୁ ହଇରାଣ ନ କରି ଆପଣଙ୍କ ପେଶା ଜାରି ରଖନ୍ତୁ ବୋଲି ସେ ଅନୁରୋଧ କରିଛନ୍ତି । ଯଦି ପାରାଦ୍ୱୀପରେ କୌଣସି ଘର ଥିବା ଆପଣ ଜାଣିଛନ୍ତି, ତେବେ ସେ ବାବଦରେ ବିବରଣୀ ଦିଅନ୍ତୁ । ମୁଁ ତାହାକୁ ଆପଣଙ୍କୁ ଦାନ କରିଦେବି । ଜଣେ ସାଧାରଣ ଲୋକ ଭାବେ ମୁଁ ଆପଣଙ୍କୁ ବହୁତ ସମ୍ମାନ କରେ ତେଣୁ ଜଣେ କ୍ୟାବିନେଟ ମନ୍ତ୍ରୀ ଭାବେ ଆପଣ ନିଜର ସମ୍ମାନ ହରାନ୍ତୁ ନାହିଁ ବୋଲି ଦିଲ୍ଲୀପ ଏହି ପୋଷ୍ଟ ଜରିଆରେ କହିଛନ୍ତି ।

କେବଳ ସୂର୍ଯ୍ୟ ନୁହେଁ ବରଂ ବରିଷ୍ଠ ସାମ୍ବାଦିକ ଦିଲ୍ଲୀପ ବିଶୋୟୀଙ୍କୁ ମଧ୍ୟ ଟାର୍ଗେଟ କରିଛନ୍ତି ଦାମଙ୍କ ଜ୍ୱାଇଁ । ଗତକାଲି କନକ ନ୍ୟୁଜର ମନୋରଞ୍ଜନ ମିଶ୍ର ଲାଇଭ ଶୋ’ରେ ସାମ୍ବାଦିକ ଦିଲ୍ଲୀପ ବିଶୋୟୀ କହିଥିଲେ ଯଦି ଦାମଙ୍କ ଜ୍ୱାଇଁଙ୍କ ନାଁରେ କୌଣସି ମିଥ୍ୟା ଅଭିଯୋଗ ଆସିଛି ତେବେ ଏନେଇ ସେ ମାନହାନି ମୋକଦ୍ଦମା କରୁନ୍ତୁ ବୋଲି କହିଥିଲେ । ଏପରିକି ତାଙ୍କ ନାଁରେ ଆସିଥିବା ଅଭିଯୋଗର ତଦନ୍ତ ମଧ୍ୟ ହେବା ଆବଶ୍ୟକ । ଯଦି ତାଙ୍କ ନାଁରେ ଘର ନଥିବ ତେବେ ତାଙ୍କ ପତ୍ନୀ କିମ୍ବା ପରିବାର ଲୋକଙ୍କ ନାଁରେ ଥାଇପାରେ । ଯାହାର ତଦନ୍ତ ହେବା ଆବଶ୍ୟକ ବୋଲି କହିଥିଲେ ଦିଲ୍ଲୀପ । ତେବେ ଏନେଇ ଦାମଙ୍କ ଜ୍ୱାଇଁ ଫେସବୁକରେ ଏକ ପୋଷ୍ଟ କରି କହିଛନ୍ତି, ପ୍ରିୟ ଦିଲ୍ଲୀପ ବିଶୋୟୀ ଭାଇ, ମୁଁ ଆପଣଙ୍କୁ ସମ୍ମାନ କରେ ।

ସାମ୍ବାଦିକତାରେ ବରିଷ୍ଠତା ଥାଇବି ଆଜି ଆପଣ ଜଣେ ରାଜନୈତିକ ପ୍ରତିନିଧି, ତେଣୁ ସମ୍ପୂର୍ଣ୍ଣ ନିରପେକ୍ଷ ହୋଇପାରିବେ ନାହିଁ। ଆପଣଙ୍କ ମନ୍ତବ୍ୟ ଉପରେ ମୁଁ କିଛିଟା କଥା କହିବାକୁ ଚାହୁଁଛି:
୧. ପାରାଦୀପରେ ମୋର ଘର ନାହିଁ । ମୁଁ, ମୋ ପତ୍ନୀ, ମୋର ଦୁଇଟି ଛୁଆ, ଆମେ ତିନି ଭାଇ, ଆମ ବାପା ମା ଏମାନଙ୍କ ନାମରେ ପାରାଦୀପରେ ଘର ନାହିଁ । ଆଉ କିଛି କହିବେ?
୨. ଅଭିଯୋଗ, ତଦନ୍ତ ସେଇମାନଙ୍କ ନାମରେ ହୁଏ ଯେଉଁମାନେ ରାଜନୀତି, ଠିକାଦାରୀ, ଦଲାଲି କରନ୍ତି ବା ସରକାରୀ ଅର୍ଥକୁ ଖର୍ଚ୍ଚ କରନ୍ତି । ମୁଁ ବେସରକାରୀ ସଂସ୍ଥାରେ ଚାକିରୀ କରେ ।  ମୋର ଦରମାଲବ୍ଧ ଅର୍ଥରୁ ଘରଟିଏ ବା ଗାଡ଼ିଟିଏ କରିବାକୁ ମୁଁ ସକ୍ଷମ ଓ ସେଇଟା ମୋର ନୈତିକ ଅଧିକାର ।
୩. ଭିତ୍ତିହୀନ ମନ୍ତବ୍ୟ ବିରୁଦ୍ଧରେ ମାନହାନି ମକଦ୍ଦମା କରିବାପାଇଁ ବର୍ତ୍ତମାନ ମୋ ପାଖରେ ସମୟ ନାହିଁ । ମୋ ପାଖରେ ଅଫିସ କାମ ବହୁତ ଅଛି।
୪. ମୁଁ କେବଳ ମୋର ବନ୍ଧୁ, ପରିଜନ ମାନଙ୍କ ପାଖରେ ମୋ କଥା ପହଂଚାଇବା ପାଇଁ ମୋର ମତ ଫେସବୁକରେ ରଖିଥିଲି, କୌଣସି ରାଜନୈତିକ ଉଦ୍ଦେଶ୍ୟ ପାଇଁ ନୁହେଁ। ଯଦି ମୋର ଲେଖା ଭାଷା ଅତ୍ୟନ୍ତ ଅଣସାମ୍ବିଧାନିକ ନହୁଏ, ତେବେ ମୁଁ କେଉଁଠି କଣ ଲେଖିଲି କାହିଁକି ଲେଖିଲି, ତା ଉପରେ କହିବାର ଅଧିକାର କାହାର ନାହିଁ ।
ମୋ ପରି ସାଧାରଣ ଲୋକଙ୍କୁ ସାଧାରଣ ଭାବେ ବଂଚିବାକୁ ଦିଆଯାଉ ।