ବିଜେଡିରୁ ଇସ୍ତଫା ଦେଲେ ଦାମଙ୍କ ଝିଅ ! ଇସ୍ତଫାପତ୍ରରେ ଲେଖିଲେ ମନର କଥା, ପୁଅ ସମ୍ବିତଙ୍କୁ ନେଇ ବଢିଲା ଚର୍ଚ୍ଚା ।

1,370

କନକ ବ୍ୟୁରୋ : ବିଜେଡିରୁ ଇସ୍ତଫା ଦେଲେ ଦାମଙ୍କ ଝିଅ । ବାପା ବିଜେପିରେ ଯୋଗ ଦେବାର ଦୁଇ ଦିନ ନ ହେଉଣୁ ବିଜେଡି ଛାଡିଛନ୍ତି ଦାମଙ୍କ ଝିଅ ପ୍ରୀତିନନ୍ଦା ରାଉତରାୟ । ବ୍ୟକ୍ତିଗତ କାରଣ ଦର୍ଶାଇ ପ୍ରୀତିନନ୍ଦା ବିଜେଡିରୁ ଇସ୍ତଫା ଦେଇଥିବା ସ୍ପଷ୍ଟ କରିଛନ୍ତି । ଦଳର ପ୍ରାଥମିକ ସଦସ୍ୟ ପଦରୁ ଇସ୍ତଫା ଦେବା ସହ ନିଜ ଇସ୍ତଫାପତ୍ର ଦଳୀୟ ସୁପ୍ରିମୋଙ୍କ ନିକଟକୁ ପଠାଇଛନ୍ତି । ଏହାସହ ବିଜୁ ଜନତା ଦଳରୁ ତାଙ୍କୁ ଭୁବନେଶ୍ୱର ମହାନଗର ନିଗମର କର୍ପୋରେଟର ଭାବେ ନିର୍ବାଚନ ଲଢିବାକୁ ସୁଯୋଗ ଦେଇଥିବାରୁ ନବୀନଙ୍କୁ ଧନ୍ୟବାଦ ଦେଇଛନ୍ତି ପ୍ରୀତିନନ୍ଦା ।

 ପ୍ରୀତିନନ୍ଦା ଭୁବନେଶ୍ୱରରେ ବିଜେଡି ଟିକେଟରୁ କର୍ପୋରେଟର ଭାବେ ନିର୍ବାଚିତ ହୋଇଥିବା ବେଳେ ଚଳିତ ଥର ବିଧାୟିକା ପ୍ରାର୍ଥୀ ହେବାକୁ  ମନ ବଳାଇଥିଲେ । ତେବେ ବାପା ତଥା ବରିଷ୍ଠ ନେତା ଦାମୋଦର ରାଉତ ବିଜେପିରେ ଯୋଗ ଦେବା ପରେ ବିଜେଡି ଛାଡିଛନ୍ତି ପ୍ରୀତିନନ୍ଦା । ତେବେ ସେ କେଉଁ ଦଳକୁ ଯିବେ ତାହା ସ୍ପଷ୍ଟ କରିନଥିବା ବେଳେ ଦାମଙ୍କ ପୁଅ ସମ୍ବିତ ରାଉତରାୟଙ୍କ ଆଗାମୀ ପଦକ୍ଷେପ କଣ ରହିବ ତାହା ଉପରେ ସମସ୍ତଙ୍କର ନଜର ରହିଛି ।