ଚକାଚକ୍ ଲାଗୁଛି ରାଜଧାନୀର ରାଜରାସ୍ତା ! ହେଲେ ଖାଲଖମାରେ ଭର୍ତ୍ତି ଗଳି ରାସ୍ତା

57

କନକ ବ୍ୟୁରୋ : ବିଶ୍ବକପ୍‌ ହକି ପାଇଁ ରାଜଧାନୀ ସଜେଇ ହୋଇଛି । ରାଜଧାନୀ କାନ୍ଥବାଡ଼ରେ ରଙ୍ଗବେରଙ୍ଗର ଚିତ୍ର, ଚକାଚକ୍ ରାସ୍ତା, ଅତ୍ୟାଧୁନିକ ବସ୍‌ଷ୍ଟାଣ୍ଡ, ଶହ ଶହ ବାଇସାଇକେଲ୍‌, ଆଖି ପଲକ ପଡ଼ିଲା ବେଳକୁ ଗୋଟିଏ ‘‌ମୋ ବସ୍‌’ ପଳାଉଛି । ରଙ୍ଗିନ ଆଲୋକରେ ଝିଲ୍‌ମିଲ୍‌ କରୁଛି ସହର । କିନ୍ତୁ ଏହା କେବଳ ରାଜଧାନୀର ପ୍ରମୁଖ ରାସ୍ତାରେ ।

ଚକାଚକ୍ ଦିଶୁଥିବା ରାସ୍ତାରୁ ଯଦି କେହି ଗଳି ରାସ୍ତାରେ ପଶିଯିବେ, ତେବେ ଆଉ ଏକ ରାଜଧାନୀକୁ ପାଇବେ । ଯେଉଁ ସହର ହକି ବିଶ୍ବକପ୍‌ ପାଇଁ ସଜେଇ ହୋଇଛି ସେହି ସହରରେ ଏହି ଅଞ୍ଚଳ ରହିଛି ବୋଲି ବିଶ୍ବାସ କରିହେବନି । ଅଧିକାଂଶ ଗଳିକନ୍ଦି ଏବେ ଖାଲଖମାରେ ଭର୍ତ୍ତି ରାସ୍ତା, ସ୍ବେରେଜ୍ ଲାଇନ୍ ବିଛାଇବା ପାଇଁ କେଉଁଠି ୧୦ ଫୁଟ ଗଭୀରର ଗାତ ଖୋଳାଯାଇଛି ତ କେଉଁଠି ପାଣି ପାଇପ୍ ବିଛାଇବା ପାଇଁ । ଆଉ କେଉଁଠି ଦୀର୍ଘ ମାସ ହେଲା ରାସ୍ତା ମରଣଯନ୍ତା ପାଲଟିଥିଲେ ବି ଏହାର ମରାମତି ହେଉନି । ବହୁ ସ୍ଥାନରେ କୁଢ଼କୁଢ଼ ଆବର୍ଜନା ବି ଗଦା ହୋଇଥିବା ଦେଖିବାକୁ ମିଳୁଛି ।

ଏବେ ଗଳିକନ୍ଦି ରାସ୍ତାର ସ୍ଥିତି ଏପରି ହୋଇଛି ଯେ ଅତିଥିଙ୍କୁ କେବଳ ପ୍ରମୁଖ ରାସ୍ତାରେ ବୁଲାଇବାକୁ ହେବ। ଯଦି କେହି ଗଳିକନ୍ଦିରେ ପଶିଯିବେ, ତେବେ ସ୍ମାର୍ଟ ସିଟି ଭୁବନେଶ୍ବରର ଅସଲ ଚେହେରା ପଦାରେ ପଡ଼ିଯିବ । ବିଭିନ୍ନ ବିଭାଗ ମଧ୍ୟରେ ସମନ୍ବୟ ଅଭାବ ଏବଂ କାର‌୍ୟ୍ୟ କରିବାର ମନମାନି ଯୋଗୁଁ ଏବେ ରାଜଧାନୀର ପ୍ରମୁଖ ୮୦କିମି ରାସ୍ତାକୁ ଛାଡ଼ିଦେଲେ ପ୍ରାୟ ସବୁ ରାସ୍ତା ବିପର‌୍ୟ୍ୟସ୍ତ ହୋଇପଡ଼ିଛି। ଯେଉଁ ତିନି/ଚାରିଟି ବିଭାଗ ରାଜଧାନୀର ସୌନ୍ଦର‌୍ୟ୍ୟକରଣ ପାଇଁ କୋଟି କୋଟି ଟଙ୍କା ପାଣି ଭଳି ବୁହାଇ ଚାଲିଛନ୍ତି, ସେହି ବିଭାଗ ଅଧୀନରେ ଥିବା କେତୋଟି ସଂସ୍ଥା ଏଥିରେ କଳଙ୍କ ଲଗାଇବା ପାଇଁ କୋଟି କୋଟି ଟଙ୍କା ଖର୍ଚ୍ଚ କରି ଚାଲିଛନ୍ତି ।

୭ ମାସ ତଳେ ଏକାମ୍ର ଟକିଜ୍ ନିକଟସ୍ଥ ଗଳିରେ ବିଏମ୍‌ସି କଙ୍କ୍ରିଟ୍ ରାସ୍ତା ନିର୍ମାଣ କରିଥିଲା । ସପ୍ତାହେ ହେଲା ସ୍ବେରେଜ୍ ବୋର୍ଡ ଏହାକୁ ଖୋଳି ପକାଇଛି । ରାସ୍ତା ମଝିରୁ ଅଧା ରାସ୍ତାକୁ ଖୋଳି ସ୍ବେରେଜ୍ ଲାଇନ୍ ବିଛାଉଛି । କଙ୍କ୍ରିଟ ରାସ୍ତା ମଝିରୁ କଟା ଯାଇଥିବାରୁ ରାସ୍ତା ବି ଫାଟି ଯାଇଛି । ଏମିତି ସ୍ଥିତି ରାଜଧାନୀର ପ୍ରାୟ ସମସ୍ତ ଅଞ୍ଚଳରେ । କାମ ଆରମ୍ଭ ପୂର୍ବରୁ ସ୍ବେରେଜ୍ ବୋର୍ଡ କର୍ତ୍ତୃପକ୍ଷ କହୁଛନ୍ତି, ସରିଲେ ନୂଆ ରାସ୍ତା ନିର୍ମାଣ କରାଯିବ । କିନ୍ତୁ କିଛି ହେଉନି । ଉଦାହରଣ ସ୍ବରୂପ ପ୍ରାୟ ବର୍ଷେ ହେଲା ସ୍ବେରେଜ୍ ବୋର୍ଡ ଜୟଦୁର୍ଗା ନଗରରେ ସ୍ବେରେଜ୍ ଲାଇନ୍ ବିଛାଉଥିଲେ ହେଁ କୌଣସି ଗୋଟିଏ ବି ରାସ୍ତା ମରାମତି କରୁନି । ବାଲି ଓ ମାଟି ପକାଇ ପୋତି ଦେଇ ଛୁ ।

ନିୟମ ଅନୁଯାୟୀ ସ୍ବେରେଜ୍ ବୋର୍ଡ ସଂପୂର୍ଣ୍ଣ ରାସ୍ତା ନୂଆ କରିବା କଥା। ସଂପୂର୍ଣ୍ଣ ରାସ୍ତା ଛାଡ଼ ଯେତିକି ବି ଖୋଳୁଛି ସେତିକି କାମ କରୁନି । ଏହିଭଳି ଭାବେ ଭଲ ରାସ୍ତାକୁ ଖଣ୍ଡିଆଖାବରା କରି ସ୍ବେରେଜ୍ ବୋର୍ଡ ପଳାଉଥିବାରୁ ଲୋକଙ୍କ ମଧ୍ୟରେ ଅ‌ସନ୍ତୋଷ ତେଜିଲାଣି । ଏପଟେ ବିଏମ୍‌ସି କର୍ତ୍ତୃପକ୍ଷ କହୁଛନ୍ତି, ସ୍ବେରେଜ୍ ବୋର୍ଡ ସ୍ବେରେଜ୍ ଲାଇନ୍ ବିଛାଇବା ବେଳେ ଆମଠୁ ଏନ୍‌ଓସି ନେଲେ କି ଆମକୁ ବ୍ଲୁ ପ୍ରିଣ୍ଟ୍ ଦେଲେ ଆମେ ଅଯଥାରେ ରାସ୍ତା ନିର୍ମାଣ କରି କୋଟି କୋଟି ଟଙ୍କା ଖର୍ଚ୍ଚ କରନ୍ତୁନି । ସେମାନେ ମନଇଚ୍ଛା କାମ କରୁଛନ୍ତି । ଏପଟେ ରାସ୍ତା ଖଣ୍ଡିଆଖାବରା ହୋଇପଡ଼ିଲେ ଲୋକ ଆମକୁ ପାଟି କରୁଛନ୍ତି । ତେଣୁ ବିଳମ୍ବରେ ହେଲେ ବି ଆମେ ରାସ୍ତା କାମ କରୁଛୁ । ଯେଉଁ ରାସ୍ତା ୫ ବର୍ଷରେ ହେବା କଥା ତାକୁ ବର୍ଷକରେ କରିବାକୁ ପଡ଼ୁଛି ।