ଫୋନିକୁ ମାସେ, ସରିନି ଲୋକଙ୍କ ଦୁର୍ଦ୍ଦଶା । ସୁଧୁରିନି ଗ୍ରାମାଂଚଳ ଅବସ୍ଥା, ଏବେ ବି ମୁଣ୍ଡ ଉପରେ ଛାତ ନାହିଁ, ପିିଇବା ପାଣି ଓ ବିଦ୍ୟୁତ ସମସ୍ୟାରେ ଘାଂଟି ହେଉଛନ୍ତି ଲୋକେ ।

115

କନକ ବ୍ୟୁରୋ : ଆଜିକୁ ଠିକ୍ ମାସକ ତଳେ ପ୍ରକୃତି ଯାହା ତାଣ୍ଡବ ରଚିଥିଲା, ତାହା ଭାବିବା ବେଳକୁ ଛାତି ଥରିଉଠୁଛି । ଲୋମ ଟାଙ୍କୁରି ଉଠୁଛି, ପ୍ରଳୟଙ୍କରୀ ବାତ୍ୟା ସ୍ଥଳଭାଗ ଛୁଇଁବା ମୁହୂର୍ତକୁ ମନେ ପକାଇବା ବେଳେ । ବାତ୍ୟା ଫୋନିକୁ ମାସେ ପୁରିଛି । ଏହାରି ଭିତରେ ସହରରେ ସ୍ଥିତି ସ୍ୱାଭାବିକ ହୋଇସାରିଲାଣି । ହେଲେ ଏବେବି ସଂଘର୍ଷ କରୁଛନ୍ତି ବାତ୍ୟା ପ୍ରଭାବିତ ଗାଁ । ଘର ଉପରେ ଛାତ ନାହିଁ । ଅନେକ ଅଂଚଳକୁ ଏବେବି ବିଜୁଳି ପହଁଚିପାରିନାହିଁ । ଜୁନ୍ ୧ ତାରିଖରୁ କ୍ଷତିଗ୍ରସ୍ତ ହିତାଧିକାରୀଙ୍କୁ ଘର ନିର୍ମାଣ ନେଇ କାର୍ଯ୍ୟାଦେଶ ମିଳିବ ବୋଲି ସରକାର ପୂର୍ବରୁ ସୂଚନା ଦେଇଥିବା ବେଳେ ତାହା ଏଯାଏଁ ହୋଇପାରିନି । ଆସନ୍ତୁ ଜାଣିବା ବାତ୍ୟା ଫୋନି ତାଣ୍ଡବର ମାସକ ପରେ କେମିତି ରହିଛି ପୁରୀର ସ୍ଥିତି ।

ମେ ୩, ୨୦୧୯ । ପ୍ରକୃତିର କରାଳ ରୂପ । ଅତ୍ୟନ୍ତ ଭୟାବହ, ପ୍ରଳୟଙ୍କରୀ ସେହି ସମୟର ଦୃଶ୍ୟ । ଘଂଟାପ୍ରତି ୨ଶହ କିଲୋମିଟରରୁ ଅଧିକ ବେଗରେ ପବନ ତାଣ୍ଡବ ରଚିଥିଲା ଅଧା ଓଡିଶାରେ । ୩-୪ ଘଂଟାରେ ଛାରଖାର ହୋଇଗଲା ସବୁକିଛି ।

ପୁରୀ । ବାତ୍ୟାର ୧ ମାସ ପରେ । ଘର ଉପରେ ଛାତ ନାହିଁ । ଝାଟି ମାଟିର ଘର ମାଟିରେ ମିଶିଯାଇଛି । ଆଉ ଚାଳଛପର ଘରକୁ ଉଡାଇନେଇଛି ପବନ । ନା’ ପାଲ ପଡିଛି ନା’ ଅଛି ଛାତ । ଭଂଗା ଦଦରା ଘରେ ସେମିତି ବିତୁଛି ଜୀବନ । ସବୁଠୁ ଅଧିକ ପ୍ରଭାବିତ ଷ୍ଟେସନ ଅଂଚଳ ଏବଂ ବାଲି ଉପର ବସ୍ତିରେ ବାତ୍ୟା ଫୋନିର ଉଜୁଡା ଚିହ୍ନ ଆଜିବି ସେମିତି ସତେଜ ରହିଛି ।

ଏବେ ବି ରାସ୍ତାରେ ଶୋଇରହିଛି ବିଜୁଳି ଖୁଂଟ । କେଉଁଠି ଉପୁଡିପଡିଛି ଆଉ କେଉଁଠି ବଙ୍କା ହୋଇ ରହିଛି । ତାର ଛିଣ୍ଡି ରହିଛି । ଟ୍ରାନ୍ସଫର୍ମର ବି ଅଚଳ । ମାସେ ହେଲାଣି, ଅନେକ ଅଂଚଳରେ ନା ଘରେ ଲାଇଟ୍ ଜଳୁଛି ନା ବୁଲୁଛି ଫ୍ୟାନ୍ । ଦିନ ତମାମ ତାତି ସାଙ୍ଗକୁ ଝାଂଜି ମାଡ ଆଉ ରାତିରେ ଗରମ ଓ ଗୁଳୁଗୁଳି । ପୁରୀର ଅବସ୍ଥା ଯେମିତି, ପିପିଲିର ଅବସ୍ଥା ମଧ୍ୟ ସେହିପରି । ଅନ୍ଧାର ଅନ୍ଧାରରେ ୩୦ ଦିନ କଟିଲାଣି । ଆହୁରି କେତେଦିନ ଏମିତି କଟିବ, ହିସାବ ନାହି । ଆଜିକାଲି ବିଜୁଳି ଆସିବ ଆଶାରେ ବିତିଚାଲିଛି ଦିନ ।

ବାତ୍ୟାର ମାସେ ପରେ ମଧ୍ୟ ଅନେକ ଅଂଚଳରେ ସ୍ଥିତିରେ ସୁଧାର ଆସିନି । ବିଜୁଳି ଓ ପାଣି ପାଇଁ ଲୋକେ ହନ୍ତସନ୍ତ ହେଉଛନ୍ତି । ଏପଟେ ବାତ୍ୟା କ୍ଷୟକ୍ଷତି ଓ ପୁନରୁଦ୍ଧାର ନେଇ ସମୀକ୍ଷା କରିଛନ୍ତି ନୂଆ ରାଜସ୍ୱ ଓ ବିପର୍ଯ୍ୟୟ ପ୍ରଶମନ ମନ୍ତ୍ରୀ । ସେ କହିଛନ୍ତି, ପୁରୀ, କେନ୍ଦ୍ରାପଡା, ମୟୂରଭଂଜ, ଯାଜପୁର, କଟକ ଏବଂ ଖୋର୍ଦ୍ଧାରେ ବାତ୍ୟାରେ ପ୍ରାଣ ହରାଇଥିବା ୩୮ ଜଣଙ୍କ ପରିବାରକୁ ଏଯାଏଁ ୧ କୋଟି ୫୨ ଲକ୍ଷ ଟଙ୍କା ଅନୁକମ୍ପା ରାଶି ପ୍ରଦାନ କରାଯାଇଛି । ବାତ୍ୟାରେ ୧୪ଟି ଜିଲ୍ଲାର ୧୫୯ଟି ବ୍ଲକ୍ ଏବଂ ୫୧ଟି ପୌରାଂଚଳ ଅଧିକ କ୍ଷତିଗ୍ରସ୍ତ ହୋଇଛି । ୧୮,୩୮୮ଗାଁର ୫ ଲକ୍ଷ ୮ ହଜାର ୪୬୭ ଘର ଭାଂଗିଛି । ୧ ଲକ୍ଷ ୮୧ ହଜାର ୭୧୧ ହେକ୍ଟର ଫସଲ ନଷ୍ଟ ହୋଇଛି । ବାତ୍ୟାରେ ୧ କୋଟି ୬୫ ଲକ୍ଷ ୫୫ ହଜାର ୫୦୭ ଜଣ ପ୍ରଭାବିତ ହୋଇଛନ୍ତି । ୧୫ ଲକ୍ଷ ୫୭ ହଜାର ୧୭୦ ଜଣଙ୍କୁ ଉଦ୍ଧାର କରାଯାଇଥିବା ମନ୍ତ୍ରୀ ସୂଚନା ଦେଇଛନ୍ତି । ବାତ୍ୟା ଫୋନି ଯିବାର ମାସକ ପରେ ମଧ୍ୟ କ୍ଷତଚିହ୍ନ ତାଜା ରହିଛି । ସ୍ୱାଭାବିକ ହୋଇସାରିଛି ସହରର ସ୍ଥିତି । ହେଲେ ମାସେ ପରେ ବି ପ୍ରଭାବିତ ଗାଁର ସ୍ଥିତିରେ ବିଶେଷ ସୁଧାର ଆସିନାହିଁ ।