ବିଜେପିରେ ସାମିଲ ହେଲା ପରେ କେଉଁଠୁ ଲଢିବେ ଦାମ ରାଉତ ବଢିଲା ଉତ୍କଣ୍ଠା ! ବାଲିକୁଦା-ଏରସମା ଆସନରୁ ଲଢିବାକୁ ଆଗ୍ରହୀ, ପୁଅ ସମ୍ବିତ ପାଇଁ ପାରାଦୀପ ଛାଡିଥିବା ନେଇ ଚର୍ଚ୍ଚା

182

କନକ ବ୍ୟୁରୋ : ପଦ୍ମ ଶିବିରରେ ଦାମ । ସବୁ କଳ୍ପନାଜଳ୍ପନାର ଅନ୍ତ କରି ଶେଷରେ ଦିଲ୍ଲୀ ଯାଇ ବିଜେପିରେ ବିଧିବଦ୍ଧ ଭାବେ ଯୋଗ ଦେଇଛନ୍ତି ବରିଷ୍ଠ ନେତା ଦାମ ରାଉତ । କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ଉପସ୍ଥିତିରେ ଦାମ ପଦ୍ମ ଧରିଛନ୍ତି । ଦାମଙ୍କ ମିଶ୍ରଣ ପର୍ବରେ ବିଜେପି ରାଷ୍ଟ୍ରୀୟ ଉପସଭାପତି ବୈଜୟନ୍ତ ପଣ୍ଡା, ଓଡିଶା ପ୍ରଭାରୀ ଅରୁଣ ସିଂ ଏବଂ ରାଜ୍ୟ ବିଜେପି ବିଧାୟକ ଦଳ ନେତା କନକ ବର୍ଦ୍ଧନ ସିଂଦେଓ ସାମିଲ ଥିଲେ । ଏହାପରେ ବିଜେପି ରାଷ୍ଟ୍ରୀୟ ସଭାପତି ଅମିତ ଶାହାଙ୍କୁ ସାକ୍ଷାତ କରିଥିଲେ ଦାମ ରାଉତ । ଗେରୁଆ ଦଳରେ ଯୋଗ ଦେବା ପରେ ରାଜ୍ୟ ସରକାରଙ୍କ ଉପରେ ବର୍ଷିଛନ୍ତି ଏହି ବରିଷ୍ଠ ନେତା ।

ସେପଟେ ପୁଅ ପାଇଁ ପାରାଦୀପ ଆସନ ଛାଡିବେ ଦାମ ରାଉତ, ଏଚର୍ଚା ଏଥିପାଇଁ ହେଉଛି ଯେ, ବିଜେପିରେ ଯୋଗ ଦେବା ପରେ ଦାମ କହିଛନ୍ତି , ସେ ବାଲିକୁଦା-ଏରସମା ଆସନରୁ ଲଢିବାକୁ ଆଗ୍ରହୀ । ଦାମ କହିଛନ୍ତି, ଜନ୍ମସ୍ଥାନ ବାଲିକୁଦାରୁ ସେ ୨୫ ବର୍ଷ ବିଧାୟକ ଥିଲେ । ତେଣୁ ଶେଷ ଜୀବନରେ ଜନ୍ମମାଟିର ସେବା କରିବାକୁ ଚାହୁଁଛି । ତେବେ ଦାମଙ୍କ ବାଲିକୁଦା-ଏରସମାରୁ ଲଢିବା ନିଷ୍ପତି ପୁଅ ସମ୍ବିତ ରାଉତରାୟଙ୍କୁ ଆଶ୍ୱସ୍ତି ଦେଇପାରେ । କାରଣ, ପାରାଦୀପ ଆସନରୁ ଲଢିବାକୁ ସେ ଅନେକ ଦିନରୁ ଆଗ୍ରହୀ ଥିବା କହିସାରିଛନ୍ତି ସମ୍ବିତ ।

ତେଣୁ ବିଜେଡି ଯଦି ସମ୍ବିତଙ୍କୁ ପାରାଦୀପରୁ ଟିକେଟ୍ ଦିଏ , ତେବେ ବାପାଙ୍କ ସହ ଟକ୍କର ନେଇ ଆଉ ଆଶଙ୍କା ରହିବ ନାହିଁ । ଏପରିକି ବାପାଙ୍କ ଲୋକପ୍ରିୟତା ଏବଂ ବିଜେଡି ଟିକେଟ୍ ତାଙ୍କୁ ନିର୍ବାଚନରେ ଲାଭ ଦେବା ସମ୍ଭାବନା ଅଧିକ । ସେପଟେ ଚର୍ଚା ହେଉଛି ପୁଅ ସମ୍ବିତଙ୍କୁ ମଧ୍ୟ ବିଜେପିରେ ମିଶାଇ ଦାମ, ପାରାଦୀପ ଟିକେଟ୍ ଲବି କରୁଛନ୍ତି । ଏହା ଯଦି ସତ ହୁଏ ତେବେ ବାଲିକୁଦା-ଏରସମାରୁ ବାପା ଦାମ ରାଉତ ଏବଂ ପାରାଦୀପରୁ ଲଢିପାରନ୍ତି ପୁଅ ସମ୍ବିତ ରାଉତରାୟ ।

ଦାମ ରାଉତ ବିଜେପିରେ ଯୋଗ ଦେବା ପରେ ବିଜେଡି କହିଛି, ମହିଳା ବିରୋଧୀ ମନ୍ତବ୍ୟ ଏବଂ ଜାତିଆଣ ମନ୍ତବ୍ୟ ନେଇ ଯେଉଁ ନେତାଙ୍କୁ ବିଜେପି ବିରୋଧ କରୁଥିଲା ଏବେ ତାଙ୍କୁ କୋଳେଇ ନେଇଛି ।