ମୁଁ କହିଥିବା ପ୍ରସଙ୍ଗ ଦଳବିରୋଧୀ ଥିଲା ନା ଦୁର୍ନୀତି ବିରୋଧୀ? ଫେସବୁକରେ ପ୍ରଶ୍ନ ପଚାରିଲେ ଦାମ ବାବୁ ।

102

କନକ ବ୍ୟୁରୋ : ବିଜେଡିରୁ ବିଦା ହେବା ପରେ ଡାକ୍ତର ଦାମୋଦର ରାଉତ ବିଷ ଉଗାଳିଛନ୍ତି । ଦଳର ପରିଚାଳନା ଠାରୁ ଆରମ୍ଭ କରି ନେତୃତ୍ୱଙ୍କ କର୍ତ୍ତୃତ୍ୱ ଉପରେ ଲଗାଇଛନ୍ତି ବଡ ପ୍ରଶ୍ନବାଚୀ । ଖାଲି ଗଣମାଧ୍ୟମରେ ନୁହେଁ, ବରଂ ସୋସିଆଲ ମିଡିଆ ଅର୍ଥାତ୍ ଫେସବୁକ ଜରିଆରେ ନିଜ ଉକ୍ତି ରଖିବାକୁ କରିଛନ୍ତି ଉଦ୍ୟମ । ଦାମୋଦର ରାଉତ ନିଜ ଫେସବୁକ ପେଜରେ ଉଠାଇଛନ୍ତି ଅନେକ ପ୍ରଶ୍ନ ।

ଦଳରୁ ବହିଷ୍କୃତ ହେବା ପରେ ଫେସବୁକରେ ପ୍ରଥମ ପୋଷ୍ଟ କରି ଦାମ ବାବୁ କହିଥିଲେ, ଦୁର୍ନୀତି ଗୁଡିକର ତଦନ୍ତ ନକରି ପଦକ୍ଷେପ ନେବା କେତେ ଯୁକ୍ତି ଯୁକ୍ତ? ସତ୍ୟକୁ ସାମ୍ନା କରିବାକୁ ଏତେ ଡର କାହିଁକି? ଦାମ ବାବୁ ଗତ କିଛି ଦିନ ଧରି ଗୋଟିଏ ପରେ ଗୋଟିଏ ଦୁର୍ନୀତି କଥା ଉଠାଇଥିବା ବେଳେ, ସମାନ ପ୍ରସଙ୍ଗକୁ ଧରି ଆଗକୁ ବଢିବାକୁ ଉଦ୍ୟମ କରିଥିବା ଦେଖିବାକୁ ମିଳୁଛି ।

ନିଜ ଦ୍ୱିତୀୟ ଫେସବୁକ ପୋଷ୍ଟରେ ଦାମ ବାବୁ ଲେଖିଛନ୍ତି, ଧନ୍ୟବାଦ । ମୁଁ କହିଥିବା ପ୍ରସଙ୍ଗ ଗୁଡିକ ଦଳବିରୋଧୀ ଥିଲା ନା ଦୁର୍ନୀତି ବିରୋଧୀ ଥିଲା । ଓଡିଶାବାସୀ ବିଚାର କରିବେ । ଅର୍ଥାତ୍ ବହିଷ୍କୃତ ହେବା ପରେ ଏକ ସମବେଦନା ସୃଷ୍ଟି ପାଇଁ ଉଦ୍ୟମ କରିବାକୁ ଚେଷ୍ଟା କରୁଥିବା ଆଲୋଚନା ଚାଲିଛି ।

ନିଜ ତୃତୀୟ ପୋଷ୍ଟରେ ଏହି ଅଭିଜ୍ଞ ରାଜନେତା ଲେଖିଛନ୍ତି, ଆମେ ବିଜୁ ବାବୁଙ୍କ ନାମ ନେଇ, ତାମିଲ କିରାଣୀଙ୍କ ଦ୍ୱାରା ପରିଚାଳିତ ହେବା କେତେ ଯୁକ୍ତିଯୁକ୍ତ? ଏହା ମାଧ୍ୟମରେ ଦଳର ପରିଚାଳନା ଉପରେ ପ୍ରଶ୍ନଚିହ୍ନ ଠିଆ କରିଛନ୍ତି ଦାମୋଦର ରାଉତ । ପୂର୍ବରୁ ମଧ୍ୟ ସେ ଜଣେ ଅଫିସର ଆଉ ୩ ବିଧାୟକ ଦଳ ପରିଚାଳନା କରୁଥିବା ଅଭିଯୋଗ ଆଣିଥିଲେ ।

ଆଉ ଚତୁର୍ଥ ଫେସବୁକ ପୋଷ୍ଟରେ ଲେଖିଛନ୍ତି, ସତ୍ୟମେବ ଜୟତେ । ଅର୍ଥାତ୍ ସତ୍ୟର ଜୟ ହେବ । ତାଙ୍କ ବିରୋଧରେ ହୋଇଥିବା କାର୍ଯ୍ୟାନୁଷ୍ଠାନକକୁ ଭୁଲ ବୋଲି ଦର୍ଶାଇବାକୁ ଏହି ପୋଷ୍ଟ କରିଥିବା ଅନୁମାନ କରାଯାଉଛି ।

ରାଜ୍ୟର ଏହି ବରିଷ୍ଠ ତଥା ଅଭିଜ୍ଞ ରାଜନେତାଙ୍କ ଫେସବୁକ ପେଜକୁ ୮୮ ହଜାରରୁ ଅଧିକ ଲୋକ ଲାଇକ କରୁଥିବା ବେଳେ ତାଙ୍କ ପୋଷ୍ଟକୁ ମଧ୍ୟ ଢେର୍ ସେୟାର କରାଯାଉଛି, ଆଉ କମେଂଟ ମଧ୍ୟ ଆସୁଛି । ଏସବୁ ଭିତରେ ଦାମୋଦର ରାଉତଙ୍କ ଆଗାମୀ ରଣନୀତି କଣ ରହିବ, ତାକୁ ନେଇ ମଧ୍ୟ ଚର୍ଚ୍ଚା ଆଉ ସମୀକ୍ଷା ଆରମ୍ଭ ହୋଇଛି ।