ନିର୍ବାଚନ ମଇଦାନରୁ ଓହରିଗଲେ ଦାମଙ୍କ ଝିଅ ! ପ୍ରାର୍ଥୀ ପତ୍ର ପ୍ରତ୍ୟାହାର କଲେ ପ୍ରୀତିନନ୍ଦା । ଉତ୍ତର ନିର୍ବାଚନ ମଣ୍ଡଳୀ ପାଇଁ ଭରିଥିଲେ ନାମାଙ୍କନ ।

802

କନକ ବ୍ୟୁରୋ : ନିର୍ବାଚନ ମଇଦାନରୁ ଓହରିଗଲେ ବରିଷ୍ଠ ନେତା ଦାମୋଦର ରାଉତଙ୍କ ଝିଅ ତଥା ପୂର୍ବତନ କର୍ପୋରେଟର ପ୍ରୀତିନନ୍ଦା ରାଉତରାୟ । ଭୁବନେଶ୍ୱର ଉତ୍ତର ବିଧାନସଭା ନିର୍ବାଚନ ମଣ୍ଡଳୀ ପାଇଁ ସ୍ୱାଧୀନ ପ୍ରାର୍ଥୀ ଭାବେ ସେ ନାମାଙ୍କନ ଦାଖଲ କରିଥିଲେ । ତେବେ ଆଜି ସେ ନିଜ ପ୍ରାର୍ଥୀ ପତ୍ର ପ୍ରତ୍ୟାହାର କରିନେଇଛନ୍ତି । ଏହା ସହ ସେ କହିଛନ୍ତି, ଉତ୍ତର ନିର୍ବାଚନ ମଣ୍ଡଳୀର ଶୁଭେଚ୍ଛୁ, ଗୁରୁଜନ ଓ ଅନେକ ବ୍ୟକ୍ତିଙ୍କର ଇଚ୍ଛା ଓ ଆଶୀର୍ବାଦକୁ ସମ୍ମାନ ଦେଇ ସେ ଚଳିତ ନିର୍ବାଚନ ପାଇଁ ବିଧାୟିକା ପ୍ରାର୍ଥୀ ଭାବେ ନାମାଙ୍କନ ଦାଖଲ କରିଥିଲେ ।

ଏଯାଏଁ ସ୍ୱାଧୀନ ପ୍ରାର୍ଥୀଙ୍କର ଚିହ୍ନ ମିଳିନି, ବହୁତ ବିଳମ୍ବ ହେଲାଣି । ଆଉ ଏଭଳି ସ୍ଥିତିରେ ନୂଆ ଚିହ୍ନରେ ପ୍ରଚାରପତ୍ର ଛପେଇ ମାତ୍ର ୮ରୁ ୯ ଦିନ ଭିତରେ ନିର୍ବାଚନ ମଣ୍ଡଳୀର ସମସ୍ତ ଅଞ୍ଚଳରେ ନୂଆ ଚିହ୍ନକୁ ସଫଳତାର ସହ ପହଞ୍ଚାଇବା ସମ୍ଭବ ନହୋଇପାରେ । ତେଣୁ ସମସ୍ତଙ୍କ ସହ ଆଲୋଚନା କରି, ଗଣତାନ୍ତ୍ରିକ ପରମ୍ପରାର ନିର୍ଦ୍ଧାରିତ ପ୍ରକ୍ରିୟାକୁ ସମ୍ମାନ ଦେଇ ଚଳିତ ନିର୍ବାଚନରୁ ସେ ପ୍ରାର୍ଥୀ ପତ୍ର ପ୍ରତ୍ୟାହାର କରିଥିବା କହିଛନ୍ତି । ତେବେ ତାଙ୍କ ଅଞ୍ଚଳର ସୁଖଦୁଃଖ ସହ ସେ ପୂର୍ବପରି ଜଡିତ ରହିବେ ବୋଲି ମଧ୍ୟ କହିଛନ୍ତି ।