ନୂଆ ଦଳର ନାଁ ନେଇ ସୂଚନା ଦେଲେ ଦାମ ରାଉତ ! ବିଜୁ ଶିଷ୍ୟଙ୍କ ‘ବିଜୁ ସମତା କ୍ରାନ୍ତି ଦଳ’

256

କନକ ବ୍ୟୁରୋ : ଦାମ ବାବୁଙ୍କ ନୂଆ ଦଳର ନାମ ହୋଇପାରେ ବିଜୁ ସମତା କ୍ରାନ୍ତି ଦଳ । ଏନେଇ ନିଜେ ପ୍ରସ୍ତାବ ଦେଇଛନ୍ତି ଦମୋଦର ରାଉତ୍ । ତେବେ ଦଳର ନାମ କ’ଣ ରଖାଯିବ ତାହା କିଛି ସ୍ପଷ୍ଟ ହୋଇପାରିନାହିଁ । ଆଜି ସାମ୍ବାଦିକ ସମ୍ମିଳନୀ ଜରିଆରେ ପାରାଦ୍ୱୀପରେ ଦାମ ରାଉତ୍ ଦଳର ନାଁ ନେଇ ସୂଚନା ଦେଇଛନ୍ତି । ସହଯୋଗୀ ଓ ଶୁଭେଚ୍ଛୁଙ୍କ ସହ କଥାବାର୍ତ୍ତା ହେବା ପରେ ଦଳର ନାମ ବିଦ୍ଧିବଧ ଭାବେ ଘୋଷଣା ହେବ ବୋଲି କହିଛନ୍ତି ଦାମ ରାଉତ୍ ।

ଦାମୋଦରର ରାଉତ ନୂଆ ଦଳ ଗଢ଼ିବେ ବୋଲି ଶୁଣିବାପାଇଁ ମିଳୁଥିଲା । ତେବେ ଦଳର ନାମ ବିଜୁ ବାବୁଙ୍କ ନାମରେ ହିଁ ରଖିବେ ବୋଲି ମଧ୍ୟ ସେ ପୂର୍ବରୁ ସ୍ପଷ୍ଟ କରିଥିଲେ ।  ଦଳର ନାଁ ବିଜୁ ସମତା କ୍ରାନ୍ତି ଦଳ ବୋଲି ସେ ପ୍ରସ୍ତାବ ଦେଇଛନ୍ତି । ବିଜୁ ବାବୁଙ୍କ ଠାରୁ ଅନୁପ୍ରେରିତ ହୋଇ ସେ ରାଜନୀତିରେ ପ୍ରବେଶ କରିଥିଲେ ବୋଲି ବାରମ୍ବାର କହିଆସୁଥିଲେ । ତେବେ କିଏ କିଏ ଦଳରେ ସ୍ଥାନ ପାଇବେ ସେନେଇ କିଛି ସ୍ପଷ୍ଟ ହୋଇନାହିଁ ।

ଦାମ ଦଳର ନାମ ଘୋଷଣା ପରେ କହିଛନ୍ତି ରାଜ୍ୟରେ ସାଧାରଣ ଲୋକେ ପରିବର୍ତ୍ତନ ଚାହୁଁଛନ୍ତି । ବିଜୁ ବାବୁଙ୍କ ନାଁରେ ବିଜୁ ଜନତା ଦଳ କେବଳ ସମ୍ପତି ଅକ୍ତିଆର କରିବାରେ ଲାଗିଛନ୍ତି । ଓଡ଼ିଶା ପ୍ରତି ବିଜୁ ବାବୁଙ୍କ ଯେଉଁ ଆବେଗ ଥିଲା, ଓଡ଼ିଶା ପ୍ରତି ଯେଉଁ ସମ୍ବେଦନଶୀଳତା ଥିଲା, ଓଡ଼ିଶା ସ୍ୱାର୍ଥ ପାଇଁ ତାଙ୍କର ଯେଉଁ ନିଷ୍ଠା ଥିଲା, କୌଣସି ଗୁଣ ବିଜୁ ଜନତା ଦଳର ନେତୃତ୍ୱ ପାଖରେ ନାହିଁ । ଲୋକେ ଏବେ ଅତିଷ୍ଠ । ସାରା ରାଜ୍ୟକୁ ଦୁର୍ନିତୀ ଓ ଭ୍ରଷ୍ଟାଚାର ଗ୍ରାସ କରିବାରେ ଲାଗିଛି । ତେବ ଦୁର୍ନିତୀ ବିରୋଧରେ ମୁଁ ସ୍ୱର ଉତ୍ତୋଳନ କରିବା ପାଇଁ ପ୍ରୟାସ ଜାରି ରଖିଛି । ମୋତେ ଲୋକଙ୍କ ସମର୍ଥନ ମଧ୍ୟ ମିଳିଛି  ଏକ ନୂଆ ଆଂଚଳିକ ଦଳ ଗଢ଼ି ଏସବୁ ବିରୋଧରେ ସ୍ୱର ଶାଣିତ କରିବେ ବୋଲି କହିଛନ୍ତି ଦାମ ରାଉତ୍ । ତେବେ ଦଳର ରୂପରେଖ କ’ଣ ହେବ ସେନେଇ କିଛି ସ୍ପଷ୍ଟ ହୋଇନାହିଁ ।

ଖୁବଶୀଘ୍ର ନୂଆ ଦଳ ଗଢ଼ିବେ ବୋଲି ଦୀପାବଳି ଅବସରରେ ଦାମ ରାଉତ ସ୍ୱଷ୍ଟ କରିଥିଲେ । ତେବେ ଦଳ ଗଢ଼ିବାରେ ମୁଖ୍ୟମନ୍ତ୍ରୀଙ୍କ କିଛି ପରାମର୍ଶଦତା, ଦାୟିତ୍ୱହୀନ ରାଜନେତା ଓ ଅଣଓଡ଼ିଆ ଘରୋଇ ସଚିବ ରାସ୍ତାରେ କଣ୍ଟା ସାଜୁଛନ୍ତି ବୋଲି ମଧ୍ୟ କହିଥିଲେ । ବିଜୁ ବାବୁଙ୍କ ନାମକୁ ପାଥେୟ କରି ଓଡ଼ିଶାରେ ବ୍ୟଭିଚାର ଓ ଲୁଣ୍ଠନ ହେଉଛି । ଦିନକୁ ଦିନ ରାଜ୍ୟରେ ବଳାତ୍କାର, ଲୁଣ୍ଠନ, ହତ୍ୟା, ବ୍ୟଭିଚାର,ସାମଜିକ ବୈଷମ୍ୟତା ସୀମା ଟପିଲାଣି ବୋଲି ସେ ଅଭିଯୋଗ କରିଥିଲେ । ତେବେ ଏସବୁ ବିରୋଧରେ ସଂଗ୍ରାମ କରିବା ପାଇଁ ଦାମ ନୂଆ ଦଳ ଗଢ଼ିବେ ବୋଲି ଦାମ ସ୍ପଷ୍ଟ କରିଥିଲେ ।

ସୂଚନାଯୋଗ୍ୟ ଦଳ ଓ ସରକାର ବିରୋଧୀ ବୟାନ ଦେଇ ବେଶ୍ କିଛି ଦିନ ଚର୍ଚ୍ଚାରେ ରହିଥିଲେ ଦାମୋଦର । ଚାରା, ଓମ୍ଫେଡ୍, ସମବାୟ, ସ୍ୱାସ୍ଥ୍ୟ ବିଭାଗରେ କେଳେଙ୍କାରୀ ଅଭିଯୋଗ ଆଣି ଗଣମାଧ୍ୟମ ସାମ୍ନାରେ ବାରମ୍ବାର ଗର୍ଜିଥିଲେ । ରାଜ୍ୟ ସରକାରଙ୍କ ବିଭିନ୍ନ ଦୁର୍ନୀତି ସର୍ମ୍ପକରେ ଗଣମାଧ୍ୟମ ସାମ୍ନାରେ ପ୍ରକାଶ କରି ରାଜ୍ୟ ରାଜନୀତିରେ ବେଶ୍ କିଛି ଦିନ ଝଡ ସୃଷ୍ଟି କରିଥିଲେ । ଏଥିପାଇଁ ବିଜେଡି ସୁପ୍ରିମୋଙ୍କ ନିର୍ଦ୍ଦେଶ କ୍ରମେ ଦାମଙ୍କୁ ଦଳରୁ ବହିଷ୍କୃତ କରାଯାଇଥିଲା ।