ପିପିଲି ଗଲେ ହେଲେ ପୁରୀ ଗଲେନାହିଁ ଦାମୋଦର ରାଉତ : ଅଧାବାଟରୁ କର୍ମୀଙ୍କୁ ବାଟେଇ ଦେଲେ ପୂର୍ବତନ ମନ୍ତ୍ରୀ

34

କନକ ବ୍ୟୁରୋ :  ରାସ୍ତାରେ ଯାଉଥାଏ ବିଜେଡି ପଟୁଆର । ଦଳୀୟ ପତାକା ଧରି, ନାରାବାଜି ଭିତରେ ପୁରୀ ଛୁଟୁଥାନ୍ତି ନେତା ଓ କର୍ମୀ । ଆଉ ଠିକ୍ ଏତିକି ବେଳେ ଭୁବନେଶ୍ୱର ଟଙ୍କପାଣି ରୋଡ୍ ସାଇମନ୍ଦିର ଛକର ଏକ ଚା’ ଦୋକନରେ ବସି, ଚା’ ପିଉଥାନ୍ତି ବରିଷ୍ଠ ବିଜେଡି ନେତା ଦାମୋଦର ରାଉତ । ଟଙ୍କପାଣି ଛକ ଯାଏଁ ସିନା ଗଲେ, ହେଲେ ପୁରୀ ଯାଏଁ ଯିବା ପାଇଁ ପାଦ ଆଉ ବଢ଼ିଲାନି । ଏହି ସମୟର ଚିତ୍ର ଟିଭି କ୍ୟାମେରାରେ କଏଦ ହୋଇନଥିଲା ସତ, କିନ୍ତୁ ଦାମ ବାବୁ ଯେଉଁ ଦୋକାନରେ ଚା’ ପିଉଥିଲେ ଏବଂ ଯାହା ଦୋକାନୀ ଆମକୁ କହିଲେ, ବୋଧେ ତା’ର ସାଂକେତିକ ଏମିତି ହିଁ ହେବ । ଚା’ ଦୋକାନୀଙ୍କ କହିବା ଅନୁସାରେ ଦାମ ବାବୁ ବେଶ ମନଉଣା କରି ବସିଥିଲେ, ଆଉ ତାଙ୍କ ମୁହଁ ଶୁଖି ଯାଇଥିଲା । ଆଉ ଆଖି ଆଗରେ ଗୋଟିଏ ପରେ ଗୋଟିଏ ବିଜେଡିର ନେତା ଓ କର୍ମୀ ଆଗକୁ ବଢ଼ି ଚାଲିଥିଲା ।

ବ୍ରାହ୍ମଣଙ୍କ ସଂପର୍କରେ ଡକ୍ଟର ଦାମ ରାଉତ ଦେଉଥିବା ବୟାନ୍ ଯୋଗୁଁ ତାଙ୍କ ମନ୍ତ୍ରୀ ପଦ ଗଲା ଏବଂ ତା ସାଙ୍ଗରେ ଦଳୀୟ ପଦପଦବୀ ବି ହରାଇଲେ । ଏବଂ ଏବେ କୁହାଯାଉଛି, ବିଜେଡିର ପ୍ରତିଷ୍ଠା ଦିବସକୁ ନଯିବା ପାଇଁ ଦାମ ବାବୁଙ୍କୁ କହାଯାଇଥିଲା । ଦାମୋଦର ରାଉତ ସିନା, ବିଜେଡି କାର୍ଯ୍ୟକ୍ରମରୁ ଦୂରେଇ ରହିଲେ ହେଲେ ବାପାଙ୍କ ପାଇଁ ବାହାରି ଆସିଲେ ପୁଅ ସମ୍ବିତ ରାଉତରାୟ । କହିଛନ୍ତି-ବାପାଙ୍କ ସ୍ୱାସ୍ଥ୍ୟଗତ କାରଣରୁ କାର୍ଯ୍ୟକ୍ରମକୁ ଆସି ନାହାଁନ୍ତି କିନ୍ତୁ ଦଳ ଓ ସୁପ୍ରିମୋଙ୍କ ପ୍ରତି ତାଙ୍କ ଆନ୍ତରିକତା ରହିଛି ।

ଏହାରି ଭିତରେ ଗୋଟିଏ କଥା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରୁଛି-ସବୁ ବେଳେ କିଛି ନା କିଛି କହୁଥିବା ଦାମୋଦର ରାଉତ ଅଚାନକ୍ ଏମିତି ଚୁପ୍ ହୋଇଗଲେ କେମିତି ? ପୁଅର ରାଜନୈତିକ ଭବିଷ୍ୟତକୁ ସୁରକ୍ଷିତ କରିବା ପାଇଁ ମନ ବୁଝାଇ ଦେଲେ କି ଦାମ ରାଉତ ?ଏବେ ଦେଖିବାର କଥା ପାରାଦୀପ ରାଜନୀତିରେ ପରବର୍ତୀ ନିର୍ବାଚନରେ ମୈଦାନକୁ ଓହ୍ଲାଉଛି କିଏ, ଡକ୍ଟର ଦାମ ରାଉତ ନା ତାଙ୍କ ପୁଅ ସମ୍ବିତ ରାଉତରାୟ ।