ମୁହଁ ଖୋଲିଲେ ମହାଭାରତ ! ତାତି ଦେଖାଇଲେ ସୂର୍ଯ୍ୟ, ଗର୍ଜି ଗର୍ଜି ବର୍ଷିଲେ ଦାମ ।

47

କନକ ବ୍ୟୁରୋ : ବିଜେଡିରୁ ବହିଷ୍କୃତ ହେବା ପରେ ଦାମଙ୍କ ତୁଣ୍ଡରେ  ଲଗାମ ଲଗାଇବାକୁ ଆଉ କେହି ନାହାନ୍ତି । ଦଳରୁ ବହିଷ୍କୃତ ହେବା ପରଠାରୁ ଲଗାତାର ବିଜେଡି ନେତାଙ୍କ ଉପରେ ବର୍ଷୁଛନ୍ତି ଦାମ । ଆଉ ଏଭଳି ସମୟରେ ଦାମ-ସୂର୍ଯ୍ୟ କଳିର ନୂଆ ଅଧ୍ୟାୟ ଆରମ୍ଭ ହୋଇଛି । ଗ୍ୟାଙ୍ଗଷ୍ଟାର ଟିଟୋ ସହ ଦାମଙ୍କର ସର୍ମ୍ପକ ଥିବା କଥା ସୂର୍ଯ୍ୟ ଅଭିଯୋଗ କରିବା ସହ ରାଜ୍ୟବାସୀ ତାଙ୍କୁ କ୍ଷମା ଦେବେନି ବୋଲି କହିଥିଲେ । ଏପରିକି ପୁଅ ଓ ଜ୍ୱାଇଁଙ୍କ କମ୍ପାନୀ ଜରିଆରେ ଲକ୍ଷ ଲକ୍ଷ ଟଙ୍କା ଦାମ ଆଦାୟ କରୁଥିବା ସୂର୍ଯ୍ୟ ଅଭିଯୋଗ କରିଥିଲେ ।

DAMAଆଉ ଏଭଳି ଅଭିଯୋଗ ଆସିବା ପରେ ତୁଣ୍ଡ ଖୋଲିଛନ୍ତି ଦାମ । ସୂର୍ଯ୍ୟଙ୍କୁ ଜଣେ ମଣିଷରେ ଗଣେନି ବୋଲି ଦାମ କହିଛନ୍ତି । ଏହାଛଡା ସେ ଜଣେ ନୀତିହୀନ, ଭ୍ରଷ୍ଟ ଓ ଦୁର୍ନୀତିଗ୍ରସ୍ତ ଲୋକ । ପଇସା ପାଇଁ ପୁଅର ବାପା ନା ମଧ୍ୟ ବଦଳାଇ ସରକାରୀ ସମ୍ପତି ହଡପ କରୁଛନ୍ତି । ସେ କଣ ମଣିଷ ତା ନାଁରେ ମୁଁ କଥାବାର୍ତ୍ତା କରିବି ବୋଲି ଦାମ ସୂର୍ଯ୍ୟଙ୍କୁ ଟାର୍ଗେଟ କରିଛନ୍ତି । ତାଙ୍କ ବୟସର ଲୋକ ଭଦ୍ର ଲୋକ ଭଳି ଲାଗନ୍ତି । କିନ୍ତୁ ଏଇଟା ପଚାସଢା ଲୋକଟା ଭଲ ଲୋକ କେଉଁଦିନ ହେଲା ବୋଲି ପ୍ରଶ୍ନ କରିଛନ୍ତି । ଏପରିକି ସେ କାହା ବିରୋଧରେ ଲାଗିନାହାନ୍ତି ବରଂ ତାଙ୍କ ବିରୋଧରେ ସମସ୍ତେ ଲାଗିଛନ୍ତି ବୋଲି ଦାମ କହିଛନ୍ତି । ଏହାସହ ମିଡନାଇଟ ଅପରେସନର କଥା ମନେପକାଇ ଦେଇଛନ୍ତି ଦାମ ।

୨୦୧୨ ମସିହାରେ ଯେତେବେଳେ ନବୀନଙ୍କୁ ହଟାଇବାକୁ ପ୍ୟାରୀଙ୍କ ହାତବାରସି ସାଜି କିଛି ନେତା ଷଡଯନ୍ତ୍ର କରିଥିଲେ ସେତେବେଳେ ତାଙ୍କୁ ଏକୁଟିଆ ମୁଁ ଭାଙ୍ଗଥିଲି । ଏକଥା ପୂରା ଦୁନିଆ ଜାଣିଛି । କିନ୍ତୁ ସେତେବେଳେ ଯେଉଁ ଲୋକ ଏଭଳି ଷଡଯନ୍ତ୍ର କରୁଥିଲେ ବର୍ତ୍ତମାନ ସେମାନେ ନବୀନଙ୍କ ପରାମର୍ଶଦାତା ସାଜିଛନ୍ତି । ତାଛଡା ଟିଟୋ ଲିଙ୍କ ନେଇ ଯେଉଁ ତଦନ୍ତର କଥା ସୂର୍ଯ୍ୟ କହୁଛନ୍ତି ତାହା କରନ୍ତୁ ବୋଲି ଦାମ ଦମ୍ଭୋକ୍ତି ଦେଖାଇ କହିଛନ୍ତି । ତଦନ୍ତ ପରେ ଜଣାପଡିଯିବ କେଉଁମାନେ ଟିଟୋ ସହ ଜଡିତ ଅଛନ୍ତି ।

କେବଳ ସୂର୍ଯ୍ୟ ନୁହେଁ ସମୀର ଦାଶଙ୍କୁ ମଧ୍ୟ ଛାଡିନାହାନ୍ତି ଦାମ । ମଦ ଦୋକାନ ଲାଇସେନ୍ସ ପ୍ରଦାନ ପ୍ରସଙ୍ଗରେ ସମୀର ଦାଶଙ୍କ ମନ୍ତବ୍ୟର ଜବାବରେ ଦାମ କହିଛନ୍ତି, ଟିକେଟ ପାଇଁ କଳ୍ପତରଙ୍କୁ କେତେ ଟଙ୍କା ଦେଇଥିଲ କୁହ । ଏହାଛଡା ଦାମ କହିଛନ୍ତି, ଇଚ୍ଛାକୃତ ଭାବେ ଜାଣିକି ମୋତେ ଅବକାରୀ ବିଭାଗ ଦେଇଥିଲେ। କେହି ମଦ ପିଇ ମଲେ, ମୋତେ ଇସ୍ତଫା ଦେବାକୁ କୁହାଯିବ। ୩ ବର୍ଷ ମନ୍ତ୍ରୀ ରହିଲି, ଜଣେ ବି କେହି ମଦ ପିଇ ମଲେନି।” ଏପରିକି ମୁଁ ମନ୍ତ୍ରୀ ଥିବା ବେଳେ ସରକାରଙ୍କୁ ଅଧିକ ରାଜସ୍ୱ ମଧ୍ୟ ମିଳିଛି ବୋଲି ଦାମ କହିଛନ୍ତି । ଏସବୁ ବାଦ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଉପରେ ମଧ୍ୟ ବର୍ଷିଛନ୍ତି ଦାମ । କହିଛନ୍ତି, ଯେଉଁଠି ବାପା ବିଜୁ ପଟ୍ଟନାୟକ ଦୁର୍ନୀତିଗ୍ରସ୍ତ ଲୋକଙ୍କୁ ମାଡ ଦେବାକୁ କହୁଥିଲେ ସେଠାରେ ପୁଅ ନବୀନ ପଟ୍ଟନାୟକ ଦୁର୍ନୀତିକୁ ନୀତି କରିଛନ୍ତି । ଏହିଭଳି ଭାବେ ସରକାର ଚାଲିଛି ।