ଦାମଙ୍କ ଟାର୍ଗେଟରେ ଅରୁଣ । କହିଲେ ସଭାକୁ ଭଣ୍ଡୁର କରିବାକୁ ତାଙ୍କ ସମର୍ଥକଙ୍କୁ ପଠାଇଥିଲେ ନୟାଗଡ ବିଧାୟକ । ବିଜେଡି କହିଲା ଦାମଙ୍କ ମତିଭ୍ରମ ହୋଇଛି, ଚିକିତ୍ସା ଜରୁରୀ

37

କନକ ବ୍ୟୁରୋ: ଦାମଙ୍କ ଟାର୍ଗେଟରେ ଅରୁଣ । ବାରିପଦା ସମାବେଶରେ ବିଶୃଙ୍ଖଳା ସୃଷ୍ଟି କରିବା ପଛରେ ବିଧାୟକ ଅରୁଣ ସାହୁଙ୍କ ହାତ ରହିଥିବା ନେଇ ଆଜି ଅଭିଯୋଗ କରିଛନ୍ତି ବରିଷ୍ଠ ନେତା ଦାମ ରାଉତ । ଦାମ କହିଛନ୍ତି, ମୟୁରଭଞ୍ଜ ପର୍ଯ୍ୟବେକ୍ଷକ ଦାୟିତ୍ୱରେ ଥିବା ନୟାଗଡ ବିଧାୟକ ଅରୁଣ ସାହୁ ତାଙ୍କ ସଭାକୁ ଭଣ୍ଡୁର କରିବା ପାଇଁ ତାଙ୍କ ସମର୍ଥକଙ୍କୁ ପଠାଇଥିଲେ ।

ତାରିଖ- ୨୧ ଅକ୍ଟୋବର । ସ୍ଥାନ- ବାରିପଦା । ସଭାମଂଚରେ ଭାଷଣ ଦେବା ବେଳେ ହଟହଟା ହୋଇଥିବା ଦାମବାବୁ, ସିଧାସଳଖ ଟାର୍ଗେଟ୍ କରିଛନ୍ତି ବିଜେଡି ନେତା ଅରୁଣ ସାହୁଙ୍କୁ । ଦାମ ରାଉତ କହିଛନ୍ତି, ଅରୁଣ ସାହୁଙ୍କ ଇଙ୍ଗିତରେ ବିଶୃଙ୍ଖଳା ସୃଷ୍ଟି କରିବାକୁ ଉଦ୍ୟମ ହୋଇଥିଲା । ସଂପୃକ୍ତ ବ୍ୟକ୍ତିଙ୍କୁ ସଭାମଂଚକୁ ପଠାଇଥିଲେ ବିଜେଡି ନେତା ତଥା ନୟାଗଡ ବିଧାୟକ ଅରୁଣ ସାହୁ । ଆଉ ଏହା ପଛର ଉଦ୍ଦେଶ୍ୟ ଥିଲା, ତାଙ୍କ ମିଟିଂକୁ ଭଣ୍ଡୁର କରିବା ।

ତେବେ ବିଜେଡିରୁ ବହିଷ୍କାର ହେବା ପରେ ବିଭିନ୍ନ ସ୍ଥାନରେ ସଭା କରି ରାଜ୍ୟ ସରକାରଙ୍କୁ ଘେରୁଥିବା ବରିଷ୍ଠ ନେତା ଦାମ ରାଉତ କହିଛନ୍ତି, ତାଙ୍କ ସଭାକୁ ଭଣ୍ଡୁର କରିବାକୁ ୩ଦିନ ଧରି ବାରିପଦାରେ ଡେରା ପକାଇଥିଲେ ଅରୁଣ ସାହୁ । ଦାମଙ୍କ ଏଭଳି ଅଭିଯୋଗର ଜବାବ ରଖି ବିଜେଡି କହିଛି, ଦାମବାବୁଙ୍କର ମତିଭ୍ରମ ହୋଇଗଲାଣି । ତାଙ୍କର ସ୍ୱାସ୍ଥ୍ୟଗତ ଅସୁବିଧା ବାରି ହୋଇପଡୁଛି , ଯାହାର ଚିକିତ୍ସା ଜରୁରୀ ।

ମୟୁରଭଞ୍ଜ ମିଳିତ କ୍ରିୟାନୁଷ୍ଠାନ କମିଟି ପକ୍ଷରୁ ବାରିପଦାରେ ଆୟୋଜିତ ଦୁର୍ନୀତି ଓ ଭ୍ରଷ୍ଟାଚାର ବିରୋଧୀ ମହାସଂଗ୍ରାମ କାର୍ଯ୍ୟକ୍ରମରେ ବୈଜୟନ୍ତ ପଣ୍ଡାଙ୍କୁ ମୁଖ୍ୟ ଅତିଥୀ ଭାବେ ଆମନ୍ତ୍ରଣ କରାଯାଇଥିଲା । ହେଲେ ଯୋଗ ଦେଇନଥିଲେ ପୂର୍ବତନ ସାଂସଦ । ଦାମ ଏହା ପଛରେ ବୈଜୟନ୍ତଙ୍କ ଅସୁସ୍ଥତା ଦର୍ଶାଇଥିବା ବେଳେ ବୈଜୟନ୍ତଙ୍କ ଅନୁପସ୍ଥିତି ନେଇ ଅନେକ ଚର୍ଚା ହେଉଛି । ତେବେ ଦୁର୍ନୀତି ପ୍ରସଙ୍ଗରେ ସରକାରଙ୍କ ବିରୋଧରେ ଦାମଙ୍କ ମହାଭିଯୋଗ ଓ ତାଙ୍କ ସଭାରେ ବୈଜୟନ୍ତଙ୍କୁ ଅପଦସ୍ତ କରିବା ଲାଗି ହୋଇଥିବା ବିଶୃଙ୍ଖଳାକୁ ଅରୁଣ ସାହୁଙ୍କ ଦ୍ୱାରା ପ୍ରାୟୋଜିତ ବୋଲି କହିଛନ୍ତି ଦାମ । ତେଣୁ, ଆଗକୁ ଅରୁଣ ସାହୁଙ୍କ ନିର୍ବାଚନ ମଣ୍ଡଳୀ ନୟାଗଡରେ ସଭା କରିବାକୁ ଅଂଟ ଭିଡିଛନ୍ତି ଦାମବାବୁ ।