ଦାମ ଖୋଜୁଥିଲେ ଦମଦାର୍ ସାଥୀ ! ଦିଲୀପ ଓ ବିଜୟ ବିଜେପି ଛାଡ଼ିବାପରେ ମିଳିଗଲା ମଉକା, ମେସେଜ୍ ପଠାଇ ଦଳରେ ସାମିଲ ହେବାକୁ କଲେ ଆହ୍ୱାନ ।

ଯିଏ ପରିବର୍ତ୍ତନ ଚାହୁଁଛନ୍ତି ମୋ ସହ ଆସନ୍ତୁ ତାଙ୍କ ଦଳ ବିଜୁ ସମତାକ୍ରାନ୍ତିରେ ସାମିଲ ହୁଅନ୍ତୁ ବୋଲି କହିଛନ୍ତି ଦାମ ।

818

କନକ ବ୍ୟୁରୋ: ଗତକାଲି ବିଜେପିକୁ ବାଏ ବାଏ କହିଥିବା ଦୁଇ ହେଭିୱେଟ୍ ନେତା ବିଜୟ ମହାପାତ୍ର ଓ ଦିଲ୍ଲୀପ ରାୟଙ୍କୁ ବିଧାୟକ ଦାମ ରାଉତ ଆହ୍ୱାନ ଦେଇଛନ୍ତି । ପରିବର୍ତ୍ତନ ପାଇଁ ହାତ ମିଶାଇବାକୁ ଏସଏମଏସ ମାଧ୍ୟମରେ ଉଭୟଙ୍କୁ ପ୍ରସ୍ତାବ ଦେଇଛନ୍ତି ଦାମ ରାଉତ । ତେବେ ଏନେଇ ଦାମ କହିଛନ୍ତି ଯେ, ଦିଲ୍ଲୀପ ଓ ବିଜୟ ହେଉଛନ୍ତି ରାଜନୀତିରେ ପୋଖତ ଆଉ ନିଜକୁ କାଉଁରିଆ କାଠି କହି ଭାଙ୍ଗିଯିବି ପଛେ ଓହରିବିନି ବୋଲି କହିଛନ୍ତି ପାରାଦୀପ ବିଧାୟକ ଦାମ ରାଉତ ।

ନିକଟରେ ନୂଆ ଦଳ ଗଢ଼ିଥିବା ଦାମ ରାଉତ କହିଛନ୍ତି ଯେ, ପରିବର୍ତ୍ତନ ଚାହୁଁଥିବା ଲୋକଙ୍କ ମଧ୍ୟରେ ମୁଁ ଜଣେ । ଯିଏ ପରିବର୍ତ୍ତନ ଚାହୁଁଛନ୍ତି ମୋ ସହ ଆସନ୍ତୁ ତାଙ୍କ ଦଳ ବିଜୁ ସମତାକ୍ରାନ୍ତିରେ ସାମିଲ ହୁଅନ୍ତୁ ବୋଲି କହିଛନ୍ତି ଦାମ । ଏହାସହ ନବୀନଙ୍କ ଉପରେ ମଧ୍ୟ ବର୍ଷି କହିଛନ୍ତି ଯେ, ନବୀନ ସ୍ଥିତି ପାଇଁ ନୀତି ବଦଳାନ୍ତି । ଯିଏ ତାଙ୍କୁ ଆଣି ନେତା କରିଥିଲେ, ପ୍ରଥମେ ତାଙ୍କୁ ଦଳରୁ ବିଦାକଲେ କହି ବିଜୟଙ୍କ ପୁରୁଣା କଥାକୁ ଉଖାରିଛନ୍ତି  । ତେଣୁ ଯାହାର ସ୍ୱାଭିମାନ ଥିବ ସେ ପୁଣି କେମିତି ଦଳକୁ ଫେରିବ ବୋଲି ପ୍ରଶ୍ନ କରିଛନ୍ତି ଦାମ । ବିଜୟ ଦିଲ୍ଲୀପ ପୁଣି ବିଜେଡିକୁ ଫେରିବେ, ଏହା ମୁଁ ବିଶ୍ବାସ କରିପାରୁନି । ସେ ଭାବିକି ଉଚିତ୍ ପଦକ୍ଷେପ ନିଅନ୍ତୁ । ଯଦି ବିଜୁଙ୍କ ପ୍ରତି ତିଳେ ମଧ୍ୟ ଆଶକ୍ତି ଅଛି ଠିକ୍ ନିଷ୍ପତ୍ତି ନେଇ ତାଙ୍କ ହାତ ଧରିବା ପାଇଁ ଉଭୟଙ୍କୁ ଆହ୍ୱାନ ଦେଇଛନ୍ତି ଦାମ ।

ସେପଟେ ଦାମଙ୍କ ପ୍ରସ୍ତାବକୁ ନେଇ ବିଜୟ ଓ ଦିଲୀପଙ୍କ ଠାରୁ କୌଣସି ପ୍ରତିକ୍ରିୟା ପ୍ରକାଶ ପାଇ ନାହିଁ । ଏବେ ଦୁଇ ନେତା ଘରବାହୁଡ଼ା ନେଇ ଚର୍ଚ୍ଚା ଜୋର ଧରିଥିବାବେଳେ, ଦାମଙ୍କ ନିମନ୍ତ୍ରଣକୁ ଗ୍ରହଣ କରି ବିଜୁ ସମତାକ୍ରାନ୍ତି ଦଳରେ ସାମିଲ ହେବେ କି ବିଜୟ- ଦିଲୀପ , ନା ରାଜନୀତି କ୍ୟାରିୟର ଯେଉଁଠାରୁ ଆରମ୍ଭ କରିଥିଲେ ସେହି ଘରକୁ ଫେରି ବିଜେପି ପାଇଁ ସମସ୍ୟା ସୃଷ୍ଟି କରିବେ ତାହାକୁ ନେଇ ଏବେ ରାଜ୍ୟ ରାଜନୀତିରେ ହଟଚମଟ ସୃଷ୍ଟି ହେଇଛି ।