ସମ୍ବିତଙ୍କ ସନ୍ଦେହ, ଦାମଙ୍କ ଉତ୍ତର । କହିଲେ, ସମ୍ବିତ ହେଉଛନ୍ତି ବିଜେଡି ବିଧାୟକ,ସେ କେମିତି ଜାଣିଲେ ମୁଁ ବିଜେପିରେ ଅସନ୍ତୁଷ୍ଟ ।

427

କନକ ବ୍ୟୁରୋ : ପୁଅ ସମ୍ବିତଙ୍କ ସନ୍ଦେହକୁ ଦୂର କଲେ ବାପା ଦାମୋଦର ରାଉତ । ପୁଅ ସମ୍ବିତଙ୍କ ଆଶଙ୍କା ଆଜି ରାଜ୍ୟ ରାଜନୀତିକୁ ଉଷ୍ମ କରିଥିବା ବେଳେ ବାପା ଦାମୋଦରଙ୍କ ବୟାନ ଏହାକୁ ଶିଥିଳ କରିଦେବା ସହ ଏଥିରେ ପୂର୍ଣ୍ଣଚ୍ଛେଦ ପକାଇଛି । ବିଜେପିରେ ସନ୍ତୁଷ୍ଟ ନାହାନ୍ତି ଦାମ । ଏଭଳି ସନ୍ଦେହ ଆମେ କରୁନୁ, ବରଂ ସନ୍ଦେହ କରୁଛନ୍ତି ଦାମ ରାଉତଙ୍କ ପୁଅ ତଥା ବିଜେଡି ବିଧାୟକ ସମ୍ବିତ ରାଉତ ରାୟ । ପାରାଦୀପ ବିଧାୟକ, ନିଜ ବାପା ତଥା ବିଜେପି ନେତାଙ୍କ ସଂପର୍କରେ କହିଛନ୍ତି- ବିଜେପିରେ ସନ୍ତୁଷ୍ଟ ନାହାଁନ୍ତି ଦାମ ବାବୁ । ଆଉ ଅଚାନକ୍ ବିଜେଡିରୁ ବିଜେପି ଯାଇଥିବାରୁ ଲୋକଙ୍କ ତାଙ୍କୁ ବାଲିକୁଦା-ଏରସମା ଲୋକ ଗ୍ରହଣ କଲେ ନାହିଁ, ଯାହା ଫଳରେ ତାଙ୍କୁ ନିର୍ବାଚନରେ ପରାଜୟର ମୁହଁ ଦେଖିବାକୁ ପଡ଼ିଲା ବୋଲି କହିଛନ୍ତି ସମ୍ବିତ ।

ତେବେ ପୁଅ ସମ୍ବିତକୁ ଜବାବ ଦେବାକୁ ଯାଇ ଦାମ କହିଛନ୍ତି, ସମ୍ବିତ ହେଉଛନ୍ତି ବିଜେଡି ବିଧାୟକ । ତେଣୁ ସେ କେମିତି ଜାଣିଲେ ମୁଁ ଅସନ୍ତୁଷ୍ଟ ଅଛି । ସେ କେବେ ତ ମୋ ସାଙ୍ଗରେ ଆଲୋଚନା କରିନାହାନ୍ତି । ମୁଁ ଯେଉଁ ଦଳରେ ଅଛି ସେଠାରେ ନିଷ୍ଠାର ସହ କାମ କରୁଛି । ଯେତେବେଳେ ମୋତେ ବିଜେଡି ଦଳରୁ ବହିଷ୍କାର କରିଦେଇଥିଲା ସେତେବେଳେ ବିଜେପି ଦଳ ମୋତେ ଆଦରି ନେଇଥିଲା । ତେଣୁ ମୁଁ ଏଠାରେ ଖୁସିରେ ଅଛି ବୋଲି କହି ପୁଅ ସମ୍ବିତଙ୍କ ଆଶଙ୍କାର ଜବାବ ଦେଇଥିଲେ ।

ଆଉ ଏସବୁ ଭିତରେ ଯେଉଁ ପ୍ରଶ୍ନକୁ ନେଇ ଅଧିକ ଚର୍ଚ୍ଚା ହେଉଛି, ତାହା ହେଲା- ବିଜେଡି ଫେରିବେ କି ଦାମ? ସିଧାସଳଖ ଏହି ପ୍ରଶ୍ନ ଯେତେବେଳେ ଆମ ପ୍ରତିନିଧି ଦାମ ବାବୁଙ୍କୁ ପଚାରିଥିଲେ, ଦାମ ରାଉତ ରଖିଥିଲେ ରୋକଠୋକ୍ ଉତର । ମୋତେ ଦଳରୁ ବହିଷ୍କାର କରିଥିଲେ ମଧ୍ୟ ମୋତେ ଏହା ପଛର କାରଣ କହିନଥିଲେ । ତେଣୁ ମୁଁ ବିଜେଡିକୁ ପୁଣି କେମିତି ଫେରିିବି । ତେବେ ନବୀନ ଡାକିଲେ ପୁଣିଥରେ ବିଜେଡିକୁ ଫେରିବେ କି ପ୍ରଶ୍ନରେ ଦାମ କହିଛନ୍ତି, ସେ ମୋତେ ଏଯାଏଁ ଡାକିନାହାନ୍ତି ତେଣୁ ମୁଁ ଏହା ବିଷୟରେ କାହିଁକି ଚିନ୍ତା କରିବି ।

ଏହାପୂର୍ବରୁ ବିଜେଡିରୁ ବିତାଡିତ ହେବା ପରେ ବିଜେପିରେ ସାମିଲ ହୋଇଥିଲେ ଦାମ ରାଉତ । ବାଲିକୁଦା-ଏସରମାରୁ ନିର୍ବାଚନ ବି ଲଢ଼ିଲେ, ହେଲେ ଦାମ ବାବୁଙ୍କୁ ପରାଜୟର ମୁହଁ ଦେଖିବାକୁ ପଡ଼ିଲା । ଜନତା ଦଳ ତଥା ବିଜେଡି ସହ ଓତଃପ୍ରତଃ ଭାବେ ଜଡିତ ଥିବାରୁ ଲୋକ ତାଙ୍କୁ ବିଜେପି ପ୍ରାର୍ଥୀ ଭାବେ ଗ୍ରହଣ କରିପାରିଲେ ନାହିଁ ବୋଲି କହିଛନ୍ତି ସମ୍ବିତ । ଜବାବରେ ଦାମ କହିଛନ୍ତି-ଜୟ ପରାଜୟ ନିର୍ବାଚନର ଏକ ଆଂଶମାତ୍ର ।

ଗତ ସେପ୍ଟମ୍ବେର ୧୨ ତାରିଖରେ ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ, ଦାମ ବାବୁଙ୍କୁ ଦଳରୁ ବହିଷ୍କାର କରିଥିଲେ । ଆଉ ଏହାର ୫ ମାସ ପରେ ଅର୍ଥାତ୍ ମାର୍ଚ୍ଚ ୧୪ ତାରିଖରେ ବିଜେପିରେ ସାମିଲ ହୋଇଥିଲେ । ଏପରିକି ବିଜେପି ଟିକେଟରୁ ନିର୍ବାଚନ ଲଢ଼ିଥିଲେ ମଧ୍ୟ ପରାସ୍ତ ହୋଇଥିଲେ ଦାମ । ଆଉ ପରାଜୟ ପରେ ଦାମଙ୍କ ରାଜନୈତିକ କ୍ୟାରିୟରର ମୋଡ କେଉଁ ଆଡକୁ ଗତି କରିବ ତାହାକୁ ନେଇ ଚର୍ଚ୍ଚା ଆରମ୍ଭ ହୋଇଛି । ଆଉ ଏଭଳି ସମୟରେ ବାପା-ପୁଅଙ୍କ ବୟାନ ରାଜ୍ୟ ରାଜନୀତିକୁ ଖୋରାକ ଯୋଗାଇଛି ।