ଷ୍ଟାର୍ ଆଗରେ ନେତା ପଛରେ ! ତାଲିକାର ଦୁଇ ନମ୍ବରରେ ଥାଇ ରଣନୀତିକୁ ସମାଲୋଚନା କଲେ ଦାମ ରାଉତ

38

କନକ ବ୍ୟୁରୋ : ନେତା ନୁହେଁ, ଲୋକେ ଅଭିନେତାଙ୍କ ପ୍ରତି ଆକୃଷ୍ଟ ହେଉଛନ୍ତି । ପଂଚାୟତ ନିର୍ବାଚନ ପାଇଁ ମୈଦାନକୁ ଓହ୍ଲାଇଛନ୍ତି ବଡ଼ ପରଦାର ତାରକାମାନେ । ନେତା, ମନ୍ତ୍ରୀଙ୍କ ପ୍ରଚାର ଆଉ ଚଳିବ ନାହିଁ । ଯଦି ଚଳିବ ଓଲିଉଡ୍ ଷ୍ଟାରଙ୍କ ପ୍ରଚାର ଚଳିବ । ବିଜେଡିର ୪୦ଜଣିଆ ଷ୍ଟାର କାମ୍ପେନର ତାଲିକାରେ ଅନୁଭବ ମହାନ୍ତି ଓ ସିଦ୍ଧାନ୍ତ ମହାପାତ୍ରଙ୍କ ଭଳି ୧୦ ଜଣ ଅଭିନେତା ପ୍ରଚାର କରିବେ । ପ୍ରଶ୍ନ ଉଠୁଛି- ବିଜେଡି ନେତାଙ୍କ ପ୍ରଚାର ଆଉ କାମ କରୁନାହିଁ? ଏକଥାର ଉତର ଆଉ କେହି ନୁହେଁ, ଖୋଦ୍ ବରିଷ୍ଠ ମନ୍ତ୍ରୀ ଦାମୋଦର ରାଉତ ରଖିଛନ୍ତି ।

ଦାମ କହୁଛନ୍ତି- ଦିନ ଥିଲା ନେତାଙ୍କୁ ଦେଖିବା ପାଇଁ ଲୋକେ ବଡ଼ ଆଗ୍ରହର ସହ ଚୁଡା ଚାଉଳ ଧରି ସଭାସ୍ଥଳକୁ ଚାଲିଆସୁଥିଲେ । ଆଜି ସ୍ଥିତି ବଦଳିଯାଇଛି । ନେତାଙ୍କ ଭାଷଣ ଶୁଣିବାକୁ ଶ୍ରୋତା ନାହାନ୍ତି ।

ସେପଟେ ବିଜେପି ଏହାର ଷ୍ଟାର କାମ୍ପେନର ତାଲିକାରେ ଶ୍ରୀତମ ଦାସ ଓ ପିଙ୍କି ପ୍ରଧାନଙ୍କ ଭଳି ତାରକାମାନଙ୍କୁ ପ୍ରଚାର କାମରେ ନିୟୋଜିତ କରିଛି । ପଂଚାୟତ ନିର୍ବାଚନ ଏକ ତୃଣମୂଳସ୍ତରର ନିର୍ବାଚନ ହୋଇଥିବାରୁ ରାଜନୈତିକ ଦଳଗୁଡ଼ିକ ଏଭଳି ଚର୍ଚ୍ଚିତ ଚେହେରା ଉପରେ ଗୁରୁତ୍ୱ ଦେଉଛନ୍ତି ।

ସେପଟେ ବିଜେଡି-ବିଜେପିର ତାରକା ପ୍ରଚାର ଷ୍ଟାଇଲରୁ ଟିକେ ଭିନ୍ନ କରି ଯୋଜନା କରୁଛି କଂଗ୍ରେସ । ମିଳିଥିବା ସୂଚନା ଅନୁସାରେ, ଗୁମୁଡୁମାହା ଗୁଳିକାଣ୍ଡରେ ପ୍ରାଣ ହରାଇଥିବା ପରିବାରର ସାଧାରଣ ମଣିଷ, ନଗଡ଼ାରେ ଶିଶୁ ହରାଇଥିବା ପରିବାରର ସାଧାରଣ ମଣିଷକୁ ଷ୍ଟାର କାମ୍ପେନର କରିବାକୁ ଯାଉଛି ।

ଏହା ସହ ଦେଖନ୍ତୁ ଓଲିଉଡ୍ କରିବ ପଂଚାୟତ ପ୍ରଚାର ! ଘର ଘର ବୁଲି ଭୋଟ ମାଗିବେ ଫିଲ୍ମ ଷ୍ଟାର୍