ଯୋଗ ଛାଡି ବାବା କରନ୍ତୁ ରାଜନୀତି ! ମୋଦି ନବୀନଙ୍କୁ ଏକାଠି ହେବାକୁ ପରାମର୍ଶ ଦେବା ପରେ ରାମଦେବଙ୍କୁ ଦାମଙ୍କ କଟାକ୍ଷ

71

କନକ ବ୍ୟୁରୋ : ଯୋଗଗୁରୁ ବାବା ରାମଦେବଙ୍କୁ ଦାମୋଦର ରାଉତଙ୍କ ବାଣ । ନବୀନ – ମୋଦି ଏକାଠି ହେବା ପରାମର୍ଶ ଦେବା ପରେ ଏହାକୁ ସମାଲୋଚନା କରିଛନ୍ତି ସେ । ରାମଦେବ ଯୋଗ ଛାଡି ରାଜନୀତି କରନ୍ତୁ ବୋଲି ଦାମ କହିଛନ୍ତି । ଏହାସହ ସଂଘୀୟ ଗଣତନ୍ତ୍ରରେ ପ୍ରଧାନମନ୍ତ୍ରୀ ଓ ମୁଖ୍ୟମନ୍ତ୍ରୀ ମିଶି ଏକାଠି କାମ କରନ୍ତି ବୋଲି କହିଛନ୍ତି ଦାମୋଦର ରାଉତ ।

ସେପଟେ ରାମଦେବଙ୍କ ମନ୍ତବ୍ୟ ନେଇ ବିଜେଡି ପ୍ରତିକ୍ରିୟା ପ୍ରକାଶ କରିଛି । ଦଳର ନେତା ପ୍ରତାପ ଦେବ କହିଛନ୍ତି, ବାବା କଣ କହିଛନ୍ତି ମୁଁ ଜାଣିନି । ଯଦି ରଣକ୍ଷେତ୍ରକୁ ଓହ୍ଲାଇବାର ଅଛି ତେବେ ପ୍ରସ୍ତୁତ ରହିବା ଉଚିତ । ବିଜେଡି ଏଥିପାଇଁ ପ୍ରସ୍ତୁତ ଅଛି । ରାମଦେବଙ୍କ ମତ ବ୍ୟକ୍ତିଗତ ମତ ହୋଇପାରେ । ସେପଟେ ଦେବାଶିଷ ସାମନ୍ତରାୟ ରାମଦେବଙ୍କ ମନ୍ତବ୍ୟ ନେଇ କହିଛନ୍ତି, ମୋଦି ଦୁର୍ବଳ ହୋଇଛନ୍ତି ବୋଲି ବାବା ସ୍ପଷ୍ଟ କରିଦେଇଛନ୍ତି ।
ଆଜି ଓଡିଶା ଗସ୍ତରେ ଆସିଥିବା ଯୋଗଗୁରୁ ବାବା ରାମଦେବ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ପ୍ରଶଂସା କରିଥିଲେ । ଭୁବନେଶ୍ୱରରେ ରାମଦେବ କହିଛନ୍ତି ମୁଖ୍ୟମନ୍ତ୍ରୀ ଜଣେ ଭଲ ପ୍ରଶାସକ ଏବଂ ତାଙ୍କ ନେତୃତ୍ୱରେ ରାଜ୍ୟ ଆଗକୁ ଭଲ ପ୍ରଦର୍ଶନ କରିବା ନେଇ ସେ ଆଶାବାଦୀ । ଏହା ସହିତ ସେ ଆହୁରି କହିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଓ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ହାତ ମିଳାନ୍ତୁ ଓଡିଶାର ବିକାଶ ଆହୁରି ଆଗକୁ ଯିବ ।

ପତଂଜଳି ଡିଷ୍ଟ୍ରିବ୍ୟୁଟର କନଭେନସନରେ ଯୋଗଦେବା ପାଇଁ ଓଡ଼ିଶା ଆସିଛନ୍ତି ଯୋଗଗୁରୁ । ଏହି ଅବସରରେ ବିଭିନ୍ନ ପ୍ରସଙ୍ଗରେ ପ୍ରତିକ୍ରିୟା ରଖିଛନ୍ତି ବାବା ରାମଦେବ । ୧୫ବର୍ଷ ହେଲା ଜଗନ୍ନାଥ ଧାମ ଆସୁଥିବା ସେ କହିଛନ୍ତି । ଓଡ଼ିଶାରେ ପତଂଜଳି ସହ ଯୋଗକୁ ଆଗକୁ ବଢାଇବାକୁ ଲକ୍ଷ୍ୟ ରଖିଛନ୍ତି ଯୋଗଗୁରୁ । ଏଠାରେ ଦୁଇ ବର୍ଷ ଭିତରେ ପତଂଜଳି ଯୋଗପୀଠ ଓ ଯୋଗ ବିଶ୍ୱବିଦ୍ୟାଳୟ ଖୋଲିବା ନେଇ ଲକ୍ଷ୍ୟ ରଖିଛନ୍ତି । ଇଂରାଜୀ ପତ୍ରିକାରେ ମୁଖ୍ୟମନ୍ତ୍ରୀ ଶ୍ରେଷ୍ଠ ପ୍ରଶାସକ ଭାବେ ସମ୍ମାନିତ ହେବା ପ୍ରସଙ୍ଗରେ ବି ସେ ମତ ରଖିଛନ୍ତି ।