ଦାମଙ୍କ ଦୁଃଖ ! ବିଭାଗ ବଂଟନ ନେଇ ମନ୍ତ୍ରୀ ଅସନ୍ତୁଷ୍ଟ

18

କନକ ବ୍ୟୁରୋ : ନୂଆ ଚେହେରା ସହ ନବୀନ ମନ୍ତ୍ରିମଣ୍ଡଳରେ ବ୍ୟାପକ ପରିବର୍ତନ କରିଛନ୍ତି । ବିଜେଡି ସରକାରର ସବୁଠାରୁ ବରିଷ୍ଠ ଓ ବୟସ୍କ ମନ୍ତ୍ରୀ ଡାକ୍ତର ଦାମୋଦର ରାଉତଙ୍କୁ ମିଳିଛି କୃଷି ବିଭାଗର ଦାୟିତ୍ୱ । କୃଷି ବିଭାଗ ବଦଳରେ ପଂଚାୟତିରାଜ ଓ ପାନୀୟ ଜଳ ବିଭାଗର ଦାୟିତ୍ୱ ପ୍ରଦୀପ ମହାରଥୀଙ୍କ ଉପରେ ନ୍ୟସ୍ତ କରାଯାଇଛି ।ପୁରୀ ଜିଲ୍ଲାର ଏହି ହେଭିୱେଟ ନେତାଙ୍କୁ ଅରୁଣ ସାହୁଙ୍କ ପାଖରେ ଥିବା ଗୁରୁତ୍ୱପୂର୍ଣ ପଂଚାୟତିରାଜ ବିଭାଗ ଦେଇ ଖୁସି କରାଯାଇଛି ।

ପରିବହନ ବିଭାଗର ମନ୍ତ୍ରୀ ଥିବା ରାଷ୍ଟ୍ରମନ୍ତ୍ରୀ ରମେଶ ମାଝୀ କ୍ୟାବିନେଟ ପାହ୍ୟାକୁ ଉନ୍ନୀତ ହୋଇଥିବା ବେଳେ ମିଳିଛି ଅନୁସୂଚିତ ଜାତି ଓ ଜନଜାତି କଲ୍ୟାଣ ବିଭାଗ । ଗଂଜାମ ଜିଲ୍ଲାର ଅନ୍ୟତମ ଟାଣୁଆ ନେତା ବିକ୍ରମ କେଶରୀ ଆରୁଖ ବିଭାଗ ଅଦଳ ବଦଳ ବେଳେ ପାଇଛନ୍ତି ନୂଆ ଦାୟିତ୍ୱ । ଗ୍ରାମ୍ୟ ଉନ୍ନୟନ, ସୂଚନା ଓ ଲୋକସଂପର୍କ ଓ ସଂସଦୀୟ ବ୍ୟାପାର ଭଳି ତିନି ତିନିଟି ବିଭାଗର ମନ୍ତ୍ରୀ ଏବେ ବିକ୍ରମ ଆରୁଖ ।

ବିକ୍ରମଙ୍କ ପାଖରେ ଥିବା ଜଂଗଲ ଓ ପରିବେଶ ବିଭାଗର ଦାୟିତ୍ୱ ମିଳିଛି ବିଜୟଶ୍ରୀ ରାଉତରାୟଙ୍କୁ । ନବୀନଙ୍କ କ୍ୟାବିନେଟର ଅନ୍ୟତମ ବରିଷ୍ଠ ସଦସ୍ୟ ବିଜୟଶ୍ରୀ କିନ୍ତୁ ରାଜସ୍ୱ ପରି ଗୁରୁତ୍ୱପୂର୍ଣ ବିଭାଗ ହରାଇଛନ୍ତି । ଏପଟେ ପ୍ରଫୁଲ୍ଲ ମଲ୍ଲିକଙ୍କୁ ମିଳିଛି ପଦୋନ୍ନତି । ରାଷ୍ଟ୍ରମନ୍ତ୍ରୀ ଥିବା ପ୍ରଫୁଲ୍ଲ କ୍ୟାବିନେଟ ପାହ୍ୟା ପାଇଛନ୍ତି । ଗୁରୁତ୍ୱପୂର୍ଣ ଶକ୍ତି ବିଭାଗର ଦାୟିତ୍ୱ ମିଳିଛି ତାଙ୍କୁ । ତା ସହ ଇସ୍ପାତ ଓ ଖଣି ବିଭାଗର ଅତିରିକ୍ତ ଦାୟିତ୍ୱ ମଧ୍ୟ ।

ଅସ୍ୱାଭାବିକ ଭାବେ ବଦଳି ଯାଇଛି-ବିଜେଡିର ତୁଣ୍ଡ କୁହାଯାଉଥିବା ବରିଷ୍ଠ ମନ୍ତ୍ରୀ ଡକ୍ଟର ଦାମୋଦର ରାଉତଙ୍କ ବିଭାଗ । ଉଭୟ ସମବାୟ ଏବଂ ଅବକାରୀ ବିଭାଗ ଛଡ଼ାଇ ନେଇ ତାଙ୍କ ହାତରେ ଧରାଇ ଦିଆଯାଇଛି କୃଷି ବିଭାଗର ଗୁରୁଦାୟତ୍ୱ । ସୁପ୍ରିମୋଙ୍କ ଏହି ସରପ୍ରାଇଜ୍ ମୁଭରେ ଅସନ୍ତୁଷ୍ଟ ଥିବା ଭଳି ମନେ ହେଉଛନ୍ତି । ତେବେ ବିଭାଗ ବଂଟନ ସଂପୂର୍ଣ୍ଣ ଭାବେ ମୁଖ୍ୟମନ୍ତ୍ରୀଙ୍କ ଇଚ୍ଛାଧିନ ବୋଲି କହିଛନ୍ତି ।

ଅନୁରୁପ ଭାବରେ ବିଭାଗକୁ ନେଇ ଅସନ୍ତୋଷ ପ୍ରକାଶ କରିଛନ୍ତି-ନବୀନଙ୍କ ଟିମରେ ନୂଆ କରି ସ୍ଥାନ ପାଇଥିବା ଡକ୍ଟର ନୃସିଂହ ସାହୁ । ତାଙ୍କୁ ବାଣିଜ୍ୟ ଓ ପରିବହନ ବିଭାଗ ଦାୟିତ୍ୱ ଦିଆଯାଇଥିବା ବେଳେ ସେ ଆଉ କିଛି ଆଶା କରୁଥିବା କନକ ନ୍ୟୁଜକୁ କହିଛନ୍ତି ।