କନକ ବ୍ୟୁରୋ : ଚକଡା ପୋକ ଚାଷ ଉଜାଡିଦେବା ପରେ ଚାଷୀ ନିଜ ହାତରେ ନିଜ କ୍ଷେତରେ ନିଆଁ ଲଗାଇଦେବା ଓ ସେହି ବିଲରେ ବିଷ ପିଇ ଆତ୍ମହତ୍ୟା କରିବାରୁ ସରକାର ଆରମ୍ଭ କଲେ ତଦନ୍ତ । ଗ୍ରାଉଣ୍ଡ ଜିରୋକୁ ଯାଇ ସରକାରୀ ଅଧିକାରୀ ୪୮ ଘଂଟା ଭିତରେ ରିପୋର୍ଟ ଦେବେ ଓ ସେହି ଆଧାରରେ ଚାଷୀଙ୍କୁ ତୁରନ୍ତ କ୍ଷତିପୂରଣ ଯୋଗାଇ ଦିଆଯିବ ବୋଲି ଘୋଷଣା କଲେ କୃଷିମନ୍ତ୍ରୀ । ଏବେ ରିପୋର୍ଟ ଆସିବା ପରେ ଏ ହେଉଛି କୃଷିମନ୍ତ୍ରୀ ଦାମୋଦର ରାଉତଙ୍କ ପ୍ରତିକ୍ରିୟା । ଧାନ ବିଲରେ ନିଆଁ ଲଗାଇ ଦେଇଥିବାରୁ ମୃତ ବୃନ୍ଦାବନ ସାହୁଙ୍କ ପରିବାରକୁ ମିଳିବ ନାହିଁ କୌଣସି କ୍ଷତିପୂରଣ ।

ବିଭାଗୀୟ ମନ୍ତ୍ରୀଙ୍କ ଏହି ବୟାନକୁ ନେଇ ଏବେ ଚର୍ଚ୍ଚା । କଳାପାଣି ଯାଇଥିବା ତିନି ଜଣିଆ ସରକାରୀ ଟିମ୍ କଣ ତଦନ୍ତ କଲେ କେଜାଣି, ରିପୋର୍ଟ ଆସିବା ପରେ ବୃନ୍ଦାଙ୍କ ଆତ୍ମହତ୍ୟାକୁ ନେଇ ପ୍ରଶ୍ନ ଉଠାଇଛନ୍ତି ବିଭାଗୀୟ ମନ୍ତ୍ରୀ । ଗତବର୍ଷ ଆସିଥିବା ସମସ୍ତ ଚାଷୀ ଆତ୍ମହତ୍ୟା ଅଭିଯୋଗକୁ ବାଏଁବାଏଁ ଉଡାଇ ଦେଇଥିଲେ ସରକାର । ବିଧାନସଭାରେ କୃଷିମନ୍ତ୍ରୀ କହିଲେ ଫସଲ ଜନିତ କ୍ଷୟକ୍ଷତି ଯୋଗୁଁ ନୁହେଁ ବରଂ ଅନ୍ୟାନ୍ୟା କାରଣ ପାଇଁ ଚାଷୀ ଆତ୍ମହତ୍ୟା କରିଛନ୍ତି ।

ଏବେ ପୁଣି ଚାଷୀ ଆତ୍ମହତ୍ୟା ପ୍ରସଙ୍ଗରେ ଚୁପ କୃଷିମନ୍ତ୍ରୀ । କହିଛନ୍ତି କେବଳ ଚକଡା ପୋକ ପ୍ରଭାବରେ ଚାଷୀ କିଭଳି କ୍ଷତି ସହୁଛନ୍ତି ସେନେଇ ତଦନ୍ତ କରାଯାଇଛି । ସବୁଠାରୁ ଅଧିକ ପ୍ରଭାବିତ ପଶ୍ଚିମ ଓଡିଶାର ୮ଟି ଜିଲ୍ଲାରୁ ଆସିଛି ରିପୋର୍ଟ । ଯେଉଁ ରିପୋର୍ଟକୁ ଆଗାମୀ ସୋମବାର ଖୋଲିବ ରାଜସ୍ୱ ବିଭାଗ ।

ପ୍ରଭାବିତ ଅଂଚଳରେ କାହିଁକି କାମ କଲାନି କୀଟନାଶକ? ବାରମ୍ବାର ଅଭିଯୋଗ ସତ୍ୱେ କେହି ଶୁଣିନଥିଲେ ବୋଲି ଚାଷୀ ଯେଉଁ ଅଭିଯୋଗ ଆଣିଛନ୍ତି ସେନେଇ ତଦନ୍ତ ରିପୋର୍ଟରେ କୁହାଯାଇଛି କି ? ନକଲି ଔଷଧ ଯୋଗୁଁ ୧ ଲକ୍ଷ ୩୪ ହଜାର ହେକ୍ଟର ଜମିରେ ଧାନରୁ ଚାଉଳ ଖାଇଯାଇଛି ଚକଡା ପୋକ । ସେଥିପାଇଁ କାହାକୁ ଉତ୍ତରଦାୟୀ କରାଯିବ ? ପୋକ ଲାଗି ଫସଲ ନଷ୍ଟ ହୋଇଯିବାରୁ ବିଷ ପିଇଦେଲା ଚାଷୀ । ନିଜ ଆଖି ଆଗରେ ବର୍ଷଯାକର ପରିଶ୍ରମ ଉଜୁଡି ଯାଇଥିବା ଦେଖି ବାଛି ନେଲେ ଚରମ ପଦକ୍ଷେପ । ହେଲେ ଏଭଳି ଏକ ସମ୍ବେଦନଶୀଳ ପ୍ରସଙ୍ଗକୁ ଏଡାଇ ଯାଇ କେବଳ ଫସଲ କ୍ଷୟକ୍ଷତିର ତଦନ୍ତ କରାଇଛନ୍ତି ସରକାର । ଯାହାକୁ ନେଇ ସରକାରଙ୍କ ଆଭିମୂଖ୍ୟ ଉପରେ ଏକ ବିରାଟ ପ୍ରଶ୍ନଚିହ୍ନ ଲାଗିଛି ।