ବାପି ସର୍ଖେଲଙ୍କୁ ଗିରଫ ପାଇଁ ଜଗତସିଂହପୁର ଏସପିଙ୍କୁ ଚିଠି ଲେଖିଲେ ଦାମ ରାଉତ

53

କନକ ବ୍ୟୁରୋ : ପୁଣି ଦାମ ବାପି ମୁହାଁମୁହିଁ ହୋଇଛନ୍ତି । ଏଥର ପାରାଦୀପ ବିଧାୟକ ତଥା ସମବାୟ-ଅବକାରୀ ମନ୍ତ୍ରୀ ଡାକ୍ତର ଦାମୋଦର ରାଉତ ସିଧାସଳଖ କଂଗ୍ରେସ ନେତା ବାପି ସର୍ଖେଲଙ୍କୁ ଟାର୍ଗେଟ କରି ଜଗତସିଂପୁର ଏସ.ପି.ଙ୍କୁ ଚିଠି ଲେଖିଛନ୍ତି । ପାରାଦୀପରେ ଅପରାଧ ପାଇଁ ବାପିଙ୍କୁ ଦାୟୀ କରିଛନ୍ତି ରାଉତ ।

ଦାମ ତାଙ୍କ ଚିଠିରେ ବାପିଙ୍କୁ ମାଫିଆ ବୋଲି ଉଲ୍ଲେଖ କରିବା ସହିତ ତାଙ୍କ ବିରୋଧରେ ଥବା କିଛି ପୁରୁଣା ମାମଲା ଓ ଏହାର ସବିଶେଷ ବିବରଣୀ ମଧ୍ୟ ଯୋଡିଛନ୍ତି । ତାଙ୍କ ବିରୋଧରେ କାର୍ଯ୍ୟନୁଷ୍ଠାନ ଗ୍ରହଣ କରିବାକୁ ଏସ.ପିଙ୍କୁ ଚିଠି ଲେଖିଛନ୍ତିି ଦାମ ।

ନୂଆକରି କାର୍ଯ୍ୟରେ ଯୋଗଦେଇଥିବା ଜଗତସିଂହପୁର ଏସପି ଜୟନାରାୟଣ ପଙ୍କଜଙ୍କୁ ଗତ ୧୪ ତାରିଖରେ ଡାକ୍ତର ରାଉତ ନିଜ ଲେଟର ପ୍ୟାଡରେ ଏଭଳି ଏକ ଚିଠି ଲେଖିଛନ୍ତି । ବାପିଙ୍କ ବିରୋଧରେ ଥିବା କିଛି ପୁରୁଣା ମାମଲା ସଂପର୍କରେ ମଧ୍ୟ ଚିଠିରେ ସଂଲଗ୍ନ କରିଛନ୍ତି। ପୁରୁଣା ମାମଲାଗୁଡିକର ବର୍ତମାନ କି ଷ୍ଟାଟସ ରହିଛି ତାହାର ରିଭ୍ୟୁ କରିବାକୁ ମଧ୍ୟ ଦାମ ଲେଖିଛନ୍ତି।

ପରୋକ୍ଷରେ ବାପି ସର୍ଖେଲଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ପାଇଁ ନିବେଦନ କରିଛନ୍ତି ଡାକ୍ତର ଦାମ ରାଉତ। ସମବାୟ ମନ୍ତ୍ରୀ ତାଙ୍କ ଚିଠିରେ ପାରାଦୀପ ଶିଳ୍ପାଂଚଳରେ ବୃଦ୍ଧି ପାଉଥିବା ଅପରାଧ ପାଇଁ ଚିନ୍ତା ପ୍ରକଟ କରିବା ସହ ପାରାଦୀପ ପୁଲିସ ଓ ସ୍ଥାନୀୟ ପ୍ରଶାସନର ଅପାରଗତାକୁ ନେଇ ଅସନ୍ତୋଷ ପ୍ରକାଶ କରିଛନ୍ତି।

ଦାମଙ୍କ ଚିଠି ପରେ ସରଗରମ ହୋଇଛି ଜଗତସିଂହପୁର ରାଜନୀତି। ଅନ୍ୟପଟେ ଏ ନେଇ ପ୍ରତିକ୍ରିୟା ପ୍ରକାଶ କରିଛନ୍ତି କଂଗ୍ରେସ ନେତା ବାପି ସର୍ଖେଲ। ସେ କହିଛନ୍ତି, ପଂଚାୟତ ନିର୍ବାଚନକୁ ଆଖି ଆଗରେ ରଖି ରାଜନୈତିକ ଷଡଯନ୍ତ୍ର କରୁଛନ୍ତି ଦାମ।