ନବୀନ ନିବାସରେ ପହଂଚିଲେ ମନ୍ତ୍ରୀ ଦାମୋଦର ରାଉତ : କାହିଁକି ହେଲା ଡାକରା, କ’ଣ କହିଲେ ମୁଖ୍ୟମନ୍ତ୍ରୀ, ଜୋର ଧରିଲା ଚର୍ଚ୍ଚା

12

କନକ ବ୍ୟୁରୋ : ତିନି ଦିନରେ ତିନୋଟି ଦୃଶ୍ୟ । ସୋମବାର ଦିନ ଦାମ କହିଲେ କଂଗ୍ରେସ ସହ ମେଂଟ ପାଇଁ ବିଜେଡି ପ୍ରସ୍ତୁତ । ମଙ୍ଗଳବାର ଦିନ ମୁଖ୍ୟମନ୍ତ୍ରୀ ଟ୍ୱିଟ୍ କଲେ ଯେ କଂଗ୍ରେସ ଆଉ ବିଜେପିଠାରୁ ବିଜେଡି ସମଦୂରତା ରକ୍ଷା କରିଛି । ଆଉ ବୁଧବାର ଦିନ ନବୀନ ନିବାସରେ ଦେଖିବାକୁ ମିଳିଲା ଉପସଭାପତି ଦାମ ରାଉତଙ୍କୁ ।

ସାଧାରଣତଃ ବରିଷ୍ଠ ନେତା ଡାକ୍ତର ଦାମୋଦର ରାଉତଙ୍କୁ ନବୀନ ନିବାସରେ କେବେ ଦେଖିବାକୁ ମିଳେନାହିଁ । କିନ୍ତୁ ବୁଧବାର ଦିନ ହଠାତ୍ ଦାମ ପହଂଚିଥିଲେ ନବୀନ ନିବାସରେ । କଂଗ୍ରେସ ସହ ମେଂଟ କରିବାକୁ ଗଣମାଧ୍ୟମରେ ଦାମବାବୁ କହିବା ପରେ ଆଜି ନବୀନ ନିବାସ ଆସିବାର କାରଣ ସହଜରେ ଜଣେ ଅନୁମାନ କରିପାରିବ ।

ସୋମବାର ସଚିବାଳୟରେ ନିଜ ପ୍ରକୋଷ୍ଠରେ ଗଣମାଧ୍ୟମଙ୍କୁ କଂଗ୍ରେସ ସହ ମେଂଟ କରିବା ପାଇଁ ବିଜେଡି ପ୍ରସ୍ତୁତ ଅଛି ବୋଲି ମନ୍ତବ୍ୟ ଦେଇଥିଲେ ଡାକ୍ତର ରାଉତ । ଏହା ପରେ ଚାରିଆଡେ ଚର୍ଚା ଖେଳିଗଲା । ବାଧ୍ୟ ହୋଇ ପରଦିନ ନବୀନ ଟ୍ୱିଟ୍ କରି ସ୍ପଷ୍ଟୀକରଣ ରଖିଲେ । ଆଉ ଏହାପରେ ନବୀନ ନିବାସରୁ ଡକରା ପଡିଥିଲା ଦାମବାବୁଙ୍କୁ ।

ପ୍ରାୟ ୧୦ ମିନିଟ ନବୀନ ନିବାସରେ ରହିବା ପରେ ଫେରିଯାଇଥିଲେ ଡାକ୍ତର ରାଉତ । ଆମେ ତାଙ୍କର ପ୍ରତିକ୍ରିୟା ଜାଣିବାକୁ ଚେଷ୍ଟା ବି କରିଥିଲୁ । କିନ୍ତୁ ବିଜେଡିର ତୁଣ୍ଡ କୁହାଯାଉଥିବା ଏହି ନେତା ପ୍ରତିକ୍ରିୟା ଦେବାକୁ ଏଡାଇଯାଇଥିଲେ ।