ଦଳ ଗଢିବେ ଦାମ ! କହିଲେ, ଖସି ଯାଉଛନ୍ତି ମାଲଦାର ଲୋକ, ଟଙ୍କା ଦେବ କିଏ ?

116

କନକ ବ୍ୟୁରୋ : ନୂଆ ଦଳ ଗଢିବେ କି ଦାମ ? ରାଜ୍ୟ ରାଜନୀତିରେ ଏଭଳି ଚର୍ଚ୍ଚା ଜୋର ଧରିଥିବା ବେଳେ ଏହା ଉପରୁ ପରଦା ଉଠାଇଛନ୍ତି ଦାମ । ଏପରିକି ନୂଆ ଦଳ ଗଢିବାର ଫର୍ମୁଲା ମଧ୍ୟ ଗଣମାଧ୍ୟମ ଆଗରେ କହିଛନ୍ତି ଦାମ । କଂଗ୍ରେସ ଭବନରେ ବସି ଏଭଳି ବୟାନ ଦେଇଛନ୍ତି ସଜ ସଜ ବିଜେଡିରୁ ବହିଷ୍କୃତ ହୋଇଥିବା ଦାମ ରାଉତ । ଯାହା ରାଜ୍ୟ ରାଜନୀତିରେ ଚହଳ ସୃଷ୍ଟି କରିଛି । ଏପରିକି ନୂଆ ଦଳ ପାଇଁ କିଛି ବିଜୁ ଅନୁଗତଙ୍କ ସହ ଯୋଗାଯୋଗ କରିଥିବା କଥା କହିଛନ୍ତି ଦାମ । କିନ୍ତୁ ଏହି ନୂଆ ଦଳ ଗଠନରେ ମଧ୍ୟ ତାଙ୍କୁ କେଉଁଭଳି ଅସୁବିଧାର ସମ୍ମୁଖୀନ ହେବାକୁ ପଡୁଛି ତାହା କ୍ୟାମେରା ଆଗରେ କହିଛନ୍ତି ଦାମ ।

ଗାନ୍ଧିଜୀଙ୍କ ଜୟନ୍ତୀ ଅବସରରେ କଂଗ୍ରେସ ଭବନରେ ଆୟୋଜିତ ସମ୍ବିଧାନ ବଞ୍ଚାଅ ସମାବେଶରେ ଯୋଗ ଦେବା ଅବସରରେ ସେ ଏହି କଥା ଗଣମାଧ୍ୟମ ପ୍ରତିନିଧିଙ୍କୁ କହିଛନ୍ତି । ଏହି ପ୍ରସଙ୍ଗରେ ଦାମ ରାଉତ କହିଛନ୍ତି, ନୂଆ ଦଳ ଗଢିବା ପାଇଁ ବିଜେଡିରୁ ବିଦା ହୋଇଥିବା ବୈଜୟନ୍ତ ତାଙ୍କୁ ସାଥ୍ ଦେଉଛନ୍ତି । ଏପରିକି ବୈଜୟନ୍ତ ପଣ୍ଡା ନୂଆ ଦଳ ଗଢିବାକୁ ରାଜି ମଧ୍ୟ ଅଛନ୍ତି । କିନ୍ତୁ ଅନ୍ୟ ବିଜୁ ଅନୁଗାମୀ ଯେପରିକି ବିଜୟ ମହାପାତ୍ର ଏଯାଏଁ ଧରାଛୁଆଁ ଦେଉନାହାନ୍ତି । ତେବେ ଦିଲ୍ଲୀପ ରାୟଙ୍କ ସହ ତାଙ୍କର ଦେଖା ହୋଇନାହିଁ ବୋଲି ସେ କହିଛନ୍ତି ।

dama 1ଏହାଛଡା ଅନ୍ୟ କିଛି ବିଜୁ ପ୍ରେମୀ ଯେଉଁମାନେ ବିଭିନ୍ନ ଦଳରେ ରହିଥିଲେ ମଧ୍ୟ ଉପେକ୍ଷିତ ହେଉଛନ୍ତି ସେମାନଙ୍କ ସହ ଯୋଗାଯୋଗରେ ଅଛି ବୋଲି ଦାମ କହିଛନ୍ତି । ଏପରିକି ବର୍ତମାନ ପରିସ୍ଥିତିରେ ଆଉ ଏକ ନୂଆ ଦଳ ଗଠନ ହେବା ଆବଶ୍ୟକ ବୋଲି ସେ କହିଛନ୍ତି । ଏନେଇ କିଛି ମାଲଦାର ଲୋକ କଥା ହେଉଥିଲେ ବି ଧରାଛୁଆଁ ଦେଉନାହାନ୍ତି ବୋଲି କହିଛନ୍ତି ଦାମବାବୁ । ମାଲ ଥିଲେ ସିନା ଦଳ ଗଢିବି ନହେଲେ କେମିତି ଦଳ ଗଢିବି ବୋଲି ଦାମ କହିଛନ୍ତି । କିନ୍ତୁ ଯେପର୍ଯ୍ୟନ୍ତ ବିଜୁ ପ୍ରେମୀ ଏକାଠି ହୋଇନାହାନ୍ତି ସେତେବେଳ ଯାଏଁ ଦଳ ଗଢିବା କଥା ସମ୍ଭବ ନୁହେଁ ବୋଲି ସେ କହିଛନ୍ତି । ଆଉ ଦାମଙ୍କ ଏହି ବୟାନ ପରେ ପୁଣିଥରେ ଏକ ନୂଆ ଆଞ୍ଚଳିକ ଦଳ ଗଠନର ସଂକେତ ଦେଉଛି ।

ଆଜି ସଂଧ୍ୟାରେ କଂଗ୍ରେସ ଭବନରେ ପହଂଚିଥିଲେ ବିଜେଡିରୁ ବହିଷ୍କୃତ ନେତା ଦାମ । ଏପରିକି ଓଡିଶା କଂଗ୍ରେସ ପ୍ରଭାରୀ ଜିତେନ୍ଦ୍ର ସିଂଙ୍କ ପାଖରେ ବସି ବେଶ କିଛି ସମୟ କଥା ହୋଇଥିଲେ ଦାମ । ଏସବୁ ବାଦ୍ କଂଗ୍ରେସ ସଭା ମଧ୍ୟରେ ବିଜେପିକୁ ଟାର୍ଗେଟ କରିବାକୁ ଭୁଲିନଥିଲେ ଦାମ । କେନ୍ଦ୍ର ସରକାର ପ୍ରଚାର ସର୍ବସ୍ୱ ରାଜନୀତି କରୁଛନ୍ତି ବୋଲି କହିଛନ୍ତି ଦାମ । କେନ୍ଦ୍ରରେ ଏବେ ଗଣତନ୍ତ୍ର ନୁହେଁ ବରଂ ଦଳତନ୍ତ୍ର ଚାଲିଛି । ଆଉ ଏସବୁ ଭିତରେ ବିଜେଡିରୁ ବହିଷ୍କୃତ ହେବା ପରେ ଦାମ ରାଉତଙ୍କ କଂଗ୍ରେସ ଭବନ ଗସ୍ତକୁ ନେଇ ଏବେ ଆରମ୍ଭ ହୋଇଛି ଚର୍ଚ୍ଚା । ସର୍ବଦଳୀୟ କାର୍ଯ୍ୟକ୍ରମ ହୋଇଥିଲେ ମଧ୍ୟ କଂଗ୍ରେସ ଭବନକୁ ଦାମଙ୍କ ଗସ୍ତକୁ ସହଜରେ ଗ୍ରହଣ କରିପାରୁ ନାହାନ୍ତି ରାଜନୈତିକ ସମୀକ୍ଷକ । ଦାମଙ୍କ ଏହି ଗସ୍ତ ଏକ ନୂଆ ସମୀକରଣର ଚର୍ଚା ପାଇଁ ଖୋରାକ ଯୋଗାଇଛି ।