ଦାମଙ୍କ ପ୍ରଚାର ଷ୍ଟାଇଲକୁ ନେଇ ଚର୍ଚ୍ଚା । ଦାମଙ୍କ ପାଇଁ ଧର୍ମେନ୍ଦ୍ର ମାଗିଲେ ଭୋଟ୍ । ଉଠିଲା ପ୍ରଶ୍ନ, ପୁଅ ପାଇଁ ଧିମେଇ ଗଲା କି ଦାମଙ୍କ ପ୍ରଚାର ?

378

କନକ ବ୍ୟୁରୋ : ରାଜ୍ୟ ବିଜେପି କ୍ୟାମ୍ପେନରେ ଦେଖିବାକୁ ମିଳୁନି ଦାମଙ୍କ ଦମଦାର ପ୍ରଚାର । ନବୀନଙ୍କ ବିରୋଧରେ ଶୁଭୁନି ବିଶୋଦଗାର । ବିଜେଡିରୁ ବହିଷ୍କୃତ ହେବା ପରେ ବାରମ୍ବାର ନବୀନ ସରକାର ବିରୋଧରେ କଡା ଆଭିମୁଖ୍ୟ ରଖି ଆସୁଥିବା ଦାମ ରାଉତଙ୍କ ପ୍ରଚାର କେବଳ ସେ ଲଢ଼ୁଥିବା ଆସନ ଭିତରେ ସୀମିତ ରହିଛି ।  ଆଉ ଦାମଙ୍କ ପ୍ରଚାର ଷ୍ଟାଇଲକୁ ନେଇ ଚର୍ଚ୍ଚା ହେଉଛି ।

ପୁଅ ପାଇଁ ଦ୍ୱନ୍ଦ୍ୱରେ ପଡିଲେ କି ଦାମ ? ଧିମା ପଡିଛି କି ଦାମଙ୍କ ଶାଣିତ ଆକ୍ରମଣ ? ବାଲିକୁଦା ଏରସମାରେ ଧର୍ମେନ୍ଦ୍ରଙ୍କ ସହ ଦାମଙ୍କ ପ୍ରଚାର । ଦାମ କହୁଛନ୍ତି ମୋଦି ଲହର ଚାଲିଛି ଏବଂ ବିଜେପି ସପକ୍ଷରେ ଜନମତ ସୃଷ୍ଟି ହୋଇଛି । କିନ୍ତୁ ଏସବୁ ଭିତରେ ଚର୍ଚ୍ଚା ହେଉଛି କୁଆଡେ ପୁଅ ସମ୍ବିତ ରାଉତଙ୍କୁ ପାରାଦୀପରୁ ବିଜେଡି ପ୍ରାର୍ଥୀ କରିବା ପରେ ତାଙ୍କ ପ୍ରଚାର ଗାଡି ଧିମା ପଡିଯାଇଛି । ପୂର୍ବ ପରି ବିଜେଡିକୁ ଦାମଙ୍କ ଶାଣିତ ଆକ୍ରମଣ କରିବା ଆଉ ଦେଖିବାକୁ ମିଳୁନି । ତାଙ୍କ ପ୍ରଚାର କେବଳ ସେ ଲଢ଼ୁଥିବା ବାଲିକୁଦା-ଏରସମା ଭିତରେ ସୀମିତ ରହିଛି । ତେବେ ଏହାକୁ  ଖଣ୍ଡନ କରିଛନ୍ତି ଦାମ, କହିଛନ୍ତି ମିଡିଆ ଏଭଳି ପ୍ରଚାର କରୁଛି ।

ଅନ୍ୟପଟେ ବାଲିକୁଦା ଏରସମାରେ ପ୍ରଚାରକୁ ଜୋରଦାର କରିଛନ୍ତି ବିଜେଡି ପ୍ରାର୍ଥୀ ରଘୁନନ୍ଦନ ଦାସ୍ । ନବୀନଙ୍କ ବ୍ରାଣ୍ଡ ଓ ବିଜେଡିର ବିକାଶ ମୂଳକ ଯୋଜନାକୁ ପାଥେୟ କରି ଘର ଘର ବୁଲି ଭୋଟ ମାଗୁଛନ୍ତି ରଘୁନନ୍ଦନ । ଏଥର ସେ ବିଜୟୀ ହେବେ ବୋଲି ଦୃଢ଼ୋକ୍ତି ପ୍ରକାଶ କରିଛନ୍ତି । ବିଜେଡିରୁ ବହିଷ୍କୃତ ହେବା ପରେ ଦାମ ରାଉତ ବିଜେପିରୁ ଏହି ନିର୍ବାଚନ ମଣ୍ଡଳିରୁ ଲଢ଼ୁଥିବାରୁ ଏହି ଆସନ ଉପରେ ସାରା ରାଜ୍ୟର ନଜର ରହିଛି । ତେବେ ଭୋଟର କାହାକୁ ନେତା ବାଛୁଛନ୍ତି ତାହା ମେ ମାସ ୨୩ରେ ସ୍ପଷ୍ଟ ହେବ ।