ଭୁବନେଶ୍ୱରରେ ପହଞ୍ଚିଲେ ଦାମ ! ଏବେ ଗେରୁଆ ଗଡ଼ରୁ ଶୁଭିବ ଶାଣିତ ସ୍ୱର, କ’ଣ ରହିବ ଆଗାମୀ ରାଜନୈତିକ ପଦକ୍ଷେପ ?

226

କନକ ବ୍ୟୁରୋ : ଗତକାଲି ଗେରୁଆ ଶିବିରରେ ଯୋଗଦେବା ପରେ ଆଜି ଓଡ଼ିଶା ଫେରିଛନ୍ତି ଦାମ ରାଉତ । ବିମାନବନ୍ଦରରେ ଦାମଙ୍କୁ ସ୍ୱାଗତ ଜଣାଇଛନ୍ତି ସମର୍ଥକ ଏବଂ ଏକ ବିରାଟ ଶୋଭାଯାତ୍ରାେରେ ଦାମଙ୍କୁ ପାଛୋଟି ଆଣିଛନ୍ତି ବିଜେପି କର୍ମୀ । ବିଜେପିରେ ଯୋଗଦେବା ପରେ ଭୁବନେଶ୍ୱରରେ ପହଞ୍ଚିଲେ ଦାମ ରାଉତ । ଗତକାଲି ଗେରୁଆ ଟୋପି ପିନ୍ଧିଛନ୍ତି ଦାମ ରାଉତ । ଧର୍ମେନ୍ଦ୍ର ପ୍ରଧାନଙ୍କ ଉପସ୍ଥିତିରେ ଦାମ ପଦ୍ମ ଧରିଛନ୍ତି । ଦାମଙ୍କ ମିଶ୍ରଣ ପର୍ବରେ ବିଜେପି ରାଷ୍ଟ୍ରୀୟ ଉପସଭାପତି ବୈଜୟନ୍ତ ପଣ୍ଡା, ଓଡିଶା ପ୍ରଭାରୀ ଅରୁଣ ସିଂ ଏବଂ ରାଜ୍ୟ ବିଜେପି ବିଧାୟକ ଦଳ ନେତା କନକ ବର୍ଦ୍ଧନ ସିଂଦେଓ ସାମିଲ ଥିଲେ । ଗେରୁଆ ଦଳରେ ଯୋଗ ଦେବା ପରେ ରାଜ୍ୟ ସରକାରଙ୍କ ଉପରେ ବର୍ଷିଥିଲେ ଏହି ବରିଷ୍ଠ ନେତା ।

ତେବେ ଓଡ଼ିଶା ଫେରିବା ପରେ ଦାମଙ୍କର ଆଗାମୀ ରାଜନୈତିକ ପଦକ୍ଷେପ କ’ଣ ରହିବ ତା ଉପରେ ସମସ୍ତଙ୍କ ନଜର । କେଉଁ ସ୍ଥାନରୁ ନିର୍ବାଚନ ଲଢ଼ିବେ ସେନେଇ ଉତ୍କଣ୍ଠା ଜାରି ରହିଛି । ସୂଚନାଯୋଗ୍ୟ ଗତକାଲି ବିଜେପିରେ ଯୋଗ ଦେବା ପରେ ଦାମ କହିଛନ୍ତି , ସେ ବାଲିକୁଦା-ଏରସମା ଆସନରୁ ଲଢିବାକୁ ଆଗ୍ରହୀ । ଦାମ କହିଛନ୍ତି, ଜନ୍ମସ୍ଥାନ ବାଲିକୁଦାରୁ ସେ ୨୫ ବର୍ଷ ବିଧାୟକ ଥିଲେ । ତେଣୁ ଶେଷ ଜୀବନରେ ଜନ୍ମମାଟିର ସେବା କରିବାକୁ ଚାହୁଁଛି । ତେବେ ଦାମଙ୍କ ବାଲିକୁଦା-ଏରସମାରୁ ଲଢିବା ନିଷ୍ପତି ପୁଅ ସମ୍ବିତ ରାଉତରାୟଙ୍କୁ ଆଶ୍ୱସ୍ତି ଦେଇପାରେ ।

କାରଣ, ପାରାଦୀପ ଆସନରୁ ଲଢିବାକୁ ସେ ଅନେକ ଦିନରୁ ଆଗ୍ରହୀ ଥିବା କହିସାରିଛନ୍ତି ସମ୍ବିତ । ତେଣୁ ବିଜେଡି ଯଦି ସମ୍ବିତଙ୍କୁ ପାରାଦୀପରୁ ଟିକେଟ୍ ଦିଏ , ତେବେ ବାପାଙ୍କ ସହ ଟକ୍କର ନେଇ ଆଉ ଆଶଙ୍କା ରହିବ ନାହିଁ । ଏପରିକି ବାପାଙ୍କ ଲୋକପ୍ରିୟତା ଏବଂ ବିଜେଡି ଟିକେଟ୍ ତାଙ୍କୁ ନିର୍ବାଚନରେ ଲାଭ ଦେବା ସମ୍ଭାବନା ଅଧିକ ।