ଦାମଙ୍କ ମୁହଁରୁ ପୁଣି ଖୋଲିଗଲା ନବୀନଙ୍କ ତୁଣ୍ଡି : ପାଣ୍ଡିୟାନଙ୍କୁ କଲେ ସମାଲୋଚନା

42

ଭୁବନେଶ୍ୱର ବ୍ୟୁରୋ, କନକ ନ୍ୟୁଜ୍ : ଅବସର ଥିଲା କନକ ନ୍ୟୁଜ ପକ୍ଷରୁ ଆୟୋଜିତ ପାୱାରଲିଷ୍ଟ ୨୦୧୬ର ସ୍ୱତନ୍ତ୍ର କାର୍ଯ୍ୟକ୍ରମ । ରାଜ୍ୟର ସବୁଠାରୁ କ୍ଷମତାଶାଳୀ ତାଲିକାର ତୃତୀୟ ସ୍ଥାନରେ ପାଣ୍ଡିଆନ ରହିବା ପରେ ଲୋଡାଯାଇଥିଲା ଦାମଙ୍କ ମତ । ଆଉ ଏହି ସମୟରେ ଦାମ ଦେଇଥିଲେ ବିବାଦୀୟ ମନ୍ତବ୍ୟ ।

ଆଉ ପୁଣି ଅମାନିଆ ହୋଇଥିଲା ଦାମଙ୍କ ତୁଣ୍ଡ । ବୟାନ ଦେଇ ସବୁବେଳେ ବିବାଦ ସୃଷ୍ଟି କରୁଥିବା ଦାମବାବୁ ଏଠି ପ୍ରୟୋଗ କରଛନ୍ତି ସବୁଠାରୁ ବଡ ଅସ୍ତ୍ର । ମୁଖ୍ୟମନ୍ତ୍ରୀଙ୍କ ବ୍ୟକ୍ତିଗତ ସଚିବ ତଥା ଆଇଏଏସ ଭି. କାତ୍ତର୍ତିକେୟ ପାଣ୍ଡିଆନଙ୍କ ବାବଦରେ ଦେଇଛନ୍ତି ସବୁଠାରୁ ବିବାଦୀୟ ବକ୍ତବ୍ୟ । ସିଧାସଳଖ ନାଁ ନେଇ କେବେ ବି ସମାଲୋଚନା କରିନଥିବା ଦାମ ବାବୁ ଏଥର କିନ୍ତୁ ସବୁ ସୀମା ଲଂଘିଛନ୍ତି ।

ରାଜନୀତିରେ ନେତାଙ୍କ କ୍ଷମତାରେ ପ୍ରଶାସକଙ୍କ ଅଯଥା ହସ୍ତକ୍ଷେପକୁ ନାପସନ୍ଦ କରି ଆସୁଥିବା ଦାମବାବୁ ସିଧାସଳଙ୍କ ପାଣ୍ଡିଆନଙ୍କ କର୍ତୃତ୍ୱକୁ ନେଇ ପ୍ରଶ୍ନ କରିଛନ୍ତି । ପାରିବା ପଣିଆ ଓ ରାଜନୀତିର କାଟତୀକୁ ନେଇ ପାଣ୍ଡିଆନଙ୍କୁ କରିଛନ୍ତି ଆକ୍ଷେପ । ଏପରିକି ମହାଦେବଙ୍କ ନିକଟରେ ଥିବା ବାସୁଆ ବଳଦ ସହ ତୁଳନା କରିବାକୁ ପଛାଇ ନାହାନ୍ତି ଦାମୋଦର ରାଉତ ।

କୁହାଯାଏ, ମନ୍ତ୍ରୀପଦରେ ରହିବାକୁ ହେଲେ ଆବଶ୍ୟକ ପାଣ୍ଡିଆନଙ୍କ ସହ ଭଲ ଲିଙ୍କ । ହେଲେ ଏହି ଚର୍ଚ୍ଚାକୁ କାଟି ଉଡାଇ ଦେଇଛନ୍ତି ଦାମ ବାବୁ । କିଛି ଦିନ ପରେ ନବୀନ ନିଜ ଚତୁର୍ଥ ପାଳିର ଦ୍ୱିତୀୟ ବର୍ଷ ପୂରଣ କରିବାକୁ ଯାଉଥିବା ବେଳେ ସେ କେବେ ପାଣ୍ଡିଆନଙ୍କୁ ଫୋନ କରିନଥିବା କହିଛନ୍ତି ଏହି ବରିଷ୍ଠ ମନ୍ତ୍ରୀ ।

କିଛି ଦିନ ଆଗରୁ ବିବାଦୀୟ ବୟାନ ଦେଇ ସୁପ୍ରିମୋଙ୍କ ତାଗିଦର ଶିକାର ହୋଇଥିଲେ ବି ଦାମ ବାବୁ ସାଲିସ ରାଜନୀତି ସହ ନିଜକୁ ଖାପ ଖୁଆଇ ପାରିନାହାନ୍ତି । ଏବଂ ଜଣେ ସ୍ୱାଧୀନଚେତା ନେତା ଭାବେ ନିଜ ପରିଚୟ ସୃଷ୍ଟି କରିଛନ୍ତି ।