ଗେରୁଆ ଶିବିରର ସିପାହୀ ସାଜିବେ ଦାମ? ଦିଲ୍ଲୀ ଗସ୍ତକୁ ନେଇ ବଢିଲା ଚର୍ଚ୍ଚା ।

306

କନକ ବ୍ୟୁରୋ : ଦିଲ୍ଲୀ ଯିବେ ଦାମ ରାଉତ । ଗତକାଲି ଶେଷ ମୁହୂର୍ତ୍ତରେ ଦିଲ୍ଲୀ ଗସ୍ତ ବାତିଲ କରିବା ପରେ ଆଜି ପୁଣିଥରେ ନିଜର ରାଜନୈତିକ କ୍ୟାରିୟରକୁ ଜୀବନ୍ୟାସ ଦେବାକୁ ଦିଲ୍ଲୀ ଗସ୍ତରେ ଦାମୋଦର ରାଉତ ଯାଉଥିବା ନେଇ ବିଶ୍ୱସ୍ତ ସୁତ୍ରରୁ ସୂଚନା ମିଳିଛି । ସନ୍ଧ୍ୟାରେ ଦାମ ରାଉତ ନୂଆ ଶିବିରର ସିପାହୀ ହେବାକୁ ଦିଲ୍ଲୀ ଗସ୍ତରେ ଯାଉଥିବା ଜଣାପଡିଛି । ଏକ ସ୍ୱତନ୍ତ୍ର ବିମାନ ଯୋଗେ ଦାମ ଦିଲ୍ଲୀ ଯାଉଥିବା ବେଳେ ସାଙ୍ଗରେ ବିଜେପିର କିଛି ରାଜ୍ୟସ୍ତରୀୟ ନେତା ଯାଉଥିବା ସୂଚନା ମିଳିଛି । ଦିଲ୍ଲୀରେ ପହଞ୍ଚିବା ପରେ ବିଜେପିର ଶୀର୍ଷ ସ୍ତରୀୟ ନେତୃବୃନ୍ଦଙ୍କ ସହ ଆଲୋଚନା ହେବା ନେଇ ସ୍ଥିର ହୋଇଛି । ଏହାପରେ ଦାମ ବିଜେପିରେ ମିଶିବେ କି ନାହିଁ ତାହା ଉପରୁ ପରଦା ହଟିବ ।

ଗତକାଲି ବିଜେପିରେ ମିଶ୍ରଣ ନେଇ ଦିଲ୍ଲୀ ଯାଇ ରାଷ୍ଟ୍ରୀୟ ଅଧ୍ୟକ୍ଷ ଅମିତ ଶାହାଙ୍କ ସହ ଆଲୋଚନା କରିଥାନ୍ତେ ପାରାଦୀପ ବିଧାୟକ । ତେବେ ଶେଷ ମୁହୁର୍ତରେ ବାତିଲ ହୋଇଥିଲା ଦାମଙ୍କ ଦିଲ୍ଲୀ ଗସ୍ତ । ଆଉ ଏହାସହ ଦାମଙ୍କୁ ବ୍ରେକ୍ ଦେବା ଲାଗି ବିଜେଡି ଜୋରଦାର ଉଦ୍ୟମ କରୁଥିବା ନେଇ ଚର୍ଚ୍ଚା ହେଉଥିବା ବେଳେ ପୁଅ ସମ୍ବିତ ରାଉତରାୟଙ୍କୁ ବିଧାୟକ ଟିକେଟ୍ ଅଫର୍ ଦିଆଯାଇଥିବା ଶୁଣିବାକୁ ମିଳୁଛି । ବିଜେପିରେ ଦାମ ଯୋଗ ଦେଲେ, ପୂରା ଜଗତସିଂହପୁର ରାଜନୀତିକୁ ଏହା ପ୍ରଭାବିତ କରିବା ଆଶଙ୍କା ରହିଛି । ଚର୍ଚ୍ଚା ହେଉଛି, ଦାମଙ୍କୁ ବ୍ରେକ୍ ଦେବା ଲାଗି ପୁଅ ସମ୍ବିତ ରାଉତରାୟଙ୍କୁ ପାରାଦୀପ ଟିକେଟ୍ ଓ ଝିଅ ପ୍ରୀତିନନ୍ଦା ରାଉତରାୟଙ୍କୁ ଭୁବନେଶ୍ୱର ମେୟର ପଦବୀ ପାଇଁ ମଧ୍ୟ ଅଫର ଦେଇଛି ବିଜେଡି ।
ଏସବୁ ଭିତରେ ଆଜି ଦାମଙ୍କ ପୁଅ ସମ୍ବିତ ରାଉତରାୟଙ୍କୁ ମଧ୍ୟ ନବୀନ ନିବାସରେ ଦେଖିବାକୁ ମିଳିଥିଲା । ପାରାଦ୍ୱୀପ ଟିକେଟ ପାଇଁ ସେ ଆଶାୟୀ ଥିବା କହିଛନ୍ତି ସମ୍ବିତ । କିନ୍ତୁ ଦାମଙ୍କୁ ଚୁପ୍ କରିବାକୁ ବିଜେଡି ଯେଉଁ ଫର୍ମୁଲା ଆପଣାଇଥିଲା ସେଥିରେ ଖୋଦ୍ ନିଜେ ପୂର୍ଣ୍ଣଛେଦ ଟାଣିଛନ୍ତି ଦାମ । ପୁଅ କିମ୍ବା ଝିଅ କାହା କଥା ଶୁଣିବି ନାହିଁ ବୋଲି ଆଜି ରୋକଠୋକ କହିଛନ୍ତି ଦାମ । ଏପରିକି ୨୦୧୯ରେ ନବୀନ ସରକାରକୁ ମାତ୍ ଦେବାକୁ ସବୁ ପ୍ରକାର ପ୍ରୟାସ କରିବି ବୋଲି କହିଛନ୍ତି ଦାମ । ଏହାଛଡା ମୋତେ ଯେଉଁଭଳି ନିନ୍ଦିତ କରାଯାଇଛି ମୁଁ ସେହିଭଳି ନିନ୍ଦିତ କରିବି ବୋଲି କହିଛନ୍ତି ଦାମ । ଆଉ ଏଭଳି କହି ଦାମ ଆଟାକିଙ୍ଗ ମୁଡରେ ଥିବା ଦର୍ଶାଇଛନ୍ତି । ତେବେ ଯଦି ଦାମ ବିଜେପିରେ ଯୋଗ ଦିଅନ୍ତି ତେବେ ଏହା ବିଜେଡି ପାଇଁ ମହଙ୍ଗା ସାବ୍ୟସ୍ତ ହେବ କି ନାହିଁ ତାହା ଆଗାମୀ ଦିନରେ ଜଣାପଡିବ ।