ପଦ୍ମ ଧରିଲେ ପାରାଦୀପ ବିଧାୟକ ! ବୈଜୟନ୍ତ ଓ ଧର୍ମେନ୍ଦ୍ରଙ୍କ ଉପସ୍ଥିତିରେ ବିଜେପିରେ ଯୋଗ ଦେଲେ ଦାମୋଦର ରାଉତ

1,182

କନକ ବ୍ୟୁରୋ : ପଦ୍ମ ଧରିଲେ ପାରାଦୀପ ବିଧାୟକ । ବିଜେପିରେ ଯୋଗଦେଲେ ବରିଷ୍ଠ ନେତା ଦାମୋଦର ରାଉତ । ଗେରୁଆ ରଙ୍ଗରେ ରଙ୍ଗୀନ ହେଲେ ଦାମ । ନୂଆଦିଲ୍ଲୀରେ ବିଜେପି ମୁଖ୍ୟାଳୟରେ ବିଜେପି ରାଷ୍ଟ୍ରୀୟ ଉପାଧ୍ୟକ୍ଷ ବୈଜୟନ୍ତ ପଣ୍ଡା, କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଓ ରାଜ୍ୟ ପ୍ରଭାରୀ ଅରୁଣ ସିଂଙ୍କ ଉପସ୍ଥିତିରେ ପଦ୍ମ ଧରିଛନ୍ତି  ଦାମୋଦର ରାଉତ । ବିଜେଡିରୁ ବହିଷ୍କାର ହେବାର ଠିକ୍ ୬ ମାସ ପରେ ଗେରୁଆ କ୍ୟାମ୍ପରେ ଏଣ୍ଟ୍ରି ମାରିଛନ୍ତି ଦାମ  । ଏହାପୂର୍ବରୁ  ପାରାଦୀପରେ ପଦ୍ମ ଫୁଟାଇବାକୁ ଦାମ ଯେଉଁ ପଣ କରିଥିଲେ ବିଜେପିରେ ମିଶିବା ପରେ ତାହା ଆହୁରି ସହଜ ହୋଇଯିବ ବୋଲି ଚର୍ଚ୍ଚା ହେଉଛି । ଏହାପୂର୍ବରୁ ଦାମ ଆଜି ଗଣମାଧ୍ୟମରେ କହିଥିଲେ, ମୋତେ ଯେଉଁଭଳି ନିନ୍ଦିତ କରାଯାଇଛି ମୁଁ ମଧ୍ୟ ନବୀନ ସରକାରକୁ ସେହିଭଳି ନିନ୍ଦିତ କରିବି ।

ପୁଅର ରାଜନୈତିକ କ୍ୟାରିୟର ଗଢ଼ିବେ ନା’ ବିଜେପିରେ ମିଶି ନିଜ ଅଭିଲାଷା ପୂର୍ଣ୍ଣ କରିବେ, କିଛି ଦିନ ଧରି ଏହି ଦ୍ୱନ୍ଦ୍ୱ ଭିତରେ ରହିଥିବା ଦାମ ରାଉତ, ଶେଷରେ ନିଜ ରାଜନୈତିକ ଅଭିଯାନକୁ ଗୁରୁତ୍ୱ ଦେଇଛନ୍ତି । ଅର୍ଥାତ୍ ବିଜେପିରେ ମିଶି ନବୀନ ବିରୋଧୀ ଅଭିଯାନକୁ ବାଛିଛନ୍ତି ଦାମ । ବୁଧବାର ଦିନ ତାଙ୍କର ଦିଲ୍ଲୀ ଗସ୍ତ କାର୍ଯ୍ୟକ୍ରମ ଶେଷ ମୁହୁର୍ତରେ ବାତିଲ ହୋଇଥିଲା । ପୁଅ ସମ୍ବିତ ରାଉତରାୟଙ୍କୁ ବିଜେଡି ଟିକେଟ୍ ଅଫର୍ ଦେବା ପରେ ପରିବାରର ଚାପ ଆଗରେ ସେ ମତ ବଦଳାଇଥିବା ଚର୍ଚ୍ଚା ହେଉଥିଲା । ତେବେ ଦିନକ ପରେ ପୁଣି ଥରେ ନବୀନ ବିରୋଧୀ ଆଭିମୁଖ୍ୟକୁ ଦୋହରାଇଛନ୍ତି ଦାମ ।

ଗୋଟିଏ ପଟେ ବାପା ଦାମ ରାଉତ ବିଜେପିରେ ମିଶି ବିଜେଡିକୁ ଚେକ୍ ଦେବାକୁ ଚାହୁଁଥିବା ବେଳେ ଦିନ ତମାମ ନବୀନ ନିବାସରେ ପୁଅ ସମ୍ବିତ ରାଉତରାୟଙ୍କୁ ଦେଖିବାକୁ ମିଳିଥିଲା । ନବୀନଙ୍କ କ୍ୟାମ୍ପର ଡଜେନ ସରିକି ନେତା ସମ୍ବିତଙ୍କୁ ସହ ଆଲୋଚନା କରିଥିଲେ । ଏପରିକି ବାପାଙ୍କୁ ବିଜେପିରେ ଯୋଗ ନ ଦେବାକୁ ବୁଝାଇବାକୁ ସମ୍ବିତଙ୍କୁ କୁହାଯାଇଥିଲା । କିନ୍ତୁ ଦାମଙ୍କୁ ଚୁପ୍ କରିବାକୁ ବିଜେଡି ଯେଉଁ ଫର୍ମୁଲା ଆପଣାଇଥିଲା ସେଥିରେ ଖୋଦ୍ ନିଜେ ପୂର୍ଣ୍ଣଛେଦ ଟାଣିଛନ୍ତି ଦାମ । ପୁଅ କିମ୍ବା ଝିଅ କାହା କଥା ଶୁଣିବି ନାହିଁ ବୋଲି ଆଜି ରୋକଠୋକ କହିଛନ୍ତି ଦାମ  । ଏପରିକି ୨୦୧୯ରେ ନବୀନ ସରକାରକୁ ମାତ୍ ଦେବାକୁ ସବୁ ପ୍ରକାର ପ୍ରୟାସ କରିବି ବୋଲି କହିଛନ୍ତି ଦାମ । ଏହାଛଡା ମୋତେ ଯେଉଁଭଳି ନିନ୍ଦିତ କରାଯାଇଛି ମୁଁ ସେହିଭଳି ନିନ୍ଦିତ କରିବି ବୋଲି କହିଛନ୍ତି ଦାମ । ଆଉ ଏଭଳି କହି ଦାମ ଆଟାକିଙ୍ଗ ମୁଡରେ ଥିବା ଦର୍ଶାଇଛନ୍ତି । ସେପଟେ ସମ୍ବିତ ମଧ୍ୟ ପାରାଦୀପ ନିର୍ବାଚନ ମଣ୍ଡଳୀରୁ ଲଢିବାକୁ ଆଶାୟୀ ଥିବା କହିଛନ୍ତି ।

ଉଭୟ ବାପ-ପୁଅଙ୍କ ଆଖି ପାରାଦୀପ ନିର୍ବାଚନ ମଣ୍ଡଳୀ ଉପରେ । ଏପରି ବି ହୋଇପାରେ ପାରାଦୀପରେ ଦେଖିବାକୁ ମିଳିପାରେ ବାପା-ପୁଅଙ୍କ ମଧ୍ୟରେ ଟକ୍କର ।

ମତାମତ

Your email address will not be published.