ମନ୍ତ୍ରୀ ପଦରୁ ବିଦା ହେବା ପରେ ନିଜ ଖବରକାଗଜରେ ମନ କଥା କହିଲେ ଦାମ : ୩ ଜଣ ଯୁବନେତାଙ୍କ ଷଡଯନ୍ତ୍ର ପାଇଁ ହରାଇବାକୁ ପଡ଼ିଲା ମନ୍ତ୍ରୀ ପଦ

39

କନକ ବ୍ୟୁରୋ :  ବ୍ରାହ୍ମଣଙ୍କୁ ଭିକମଗା କହି ମନ୍ତ୍ରୀପଦ ହରାଇବାର ପ୍ରାୟ ମାସେ ପରେ ନିଜ ମନର କଥାକୁ ପରିପ୍ରକାଶ କରିଛନ୍ତି ବିଜେଡିର ବରିଷ୍ଠ ନେତା ଡାକ୍ତର ଦାମୋଦର ରାଉତ । ତାଙ୍କ ସମ୍ପାଦନାରେ ପ୍ରକାଶ ପାଉଥିବା ଖବରକାଗଜ ସଂଚାରରେ ଆର୍ଟିକଲ ଲେଖି ଦଳର ତିନି ଯୁବ ନେତାଙ୍କୁ ଟାର୍ଗେଟ କରିଛନ୍ତି । ଯେଉଁମାନେ ତାଙ୍କ ମନ୍ତ୍ରୀପଦ ଯିବା ପଛର ମୁଖ୍ୟ ଖଳନାୟକ ବୋଲି ଦର୍ଶାଇଛନ୍ତି ଦାମ ବାବୁ ।

ବେଳେବେଳେ ଅନୁଭବର ଅନୁଭୂତି ଦୁଃଖ, ଅନୁଶୋଚନା ଏବଂ ମାନସିକ ଯନ୍ତ୍ରଣାକୁ ସାମ୍ନାକୁ ନେଇଆସେ । ସେମିତି ଏକ ତିକ୍ତ ଅନୁଭୂତିକୁ ମୁଁ ଏବେ ସାମ୍ନା କରୁଛି । ମାତ୍ର ଏହି ତିକ୍ତ ଅନୁଭୂତିକୁ ବିସ୍ତାରିତ ଭାବେ ଦୁନିଆଁ ସାମ୍ନାରେ ପ୍ରକାଶ କରିବାକୁ ସ୍ୱତଃ ପ୍ରୟାସ କରିପାରୁ ନାହିଁ, କାରଣ ମନରେ ଆଶଙ୍କା ଉପୁଜୁଛି କାଳେ ମୋର ତିକ୍ତ ଅନୁଭୂତିକୁ ଶୁଣିଲେ ମୋ ଘର ଉଜୁଡିଯିବାର ଆଶଙ୍କା ରହିଛି । ମୋ ଘରକୁ ମୁଁ ଭଲପାଏ । ମୋ ଘରର ମୁରବୀଙ୍କ ମନରେ ଦୁଃଖହେବ । ଅଶୁଭ କାମନା କରିବା କିମ୍ବା ତାଙ୍କର ମୁରବିତ୍ୱ ଉପରେ ଆଂଚ ଆଣିବା ପାଇଁ ମୋ ବିବେକ ମୋତେ ବାଧା ଦେଇଥାଏ ।

ସାତ ସାତଥର ବିଧାୟକ ହୋଇଥିବା ଏହି ଅଭିଜ୍ଞ ରାଜନେତାଙ୍କ ପାଇଁ ମହଙ୍ଗା ପଡିଲା ତାଙ୍କ ବୟାନବାଜି । ମାଲକାନଗିରିର ମାଲ୍ୟବନ୍ତ ଉତ୍ସବରେ ବ୍ରାହ୍ମଣଙ୍କୁ ଭିକମଗା କହି ପଦ ହରାଇବାକୁ ପଡିଥିଲା ଦାମ ବାବୁଙ୍କୁ । ମୁଁ ଆଦୌ ଦୁଃଖିତ କିମ୍ବା ବିଚଳିତ ନୁହେଁ । କାରଣ ମୋର ଘର ହେଉଛି ବିଜୁ ଜନତା ଦଳ, ମୋ ଘରର ମୁରବୀ ହେଉଛନ୍ତି ଦଳର ସଭାପତି ତଥା ମୁଖ୍ୟମନ୍ତ୍ରୀ ଶ୍ରୀଯୁକ୍ତ ନବୀନ ପଟ୍ଟନାୟକ । ମୁଖ୍ୟମନ୍ତ୍ରୀଙ୍କ ଇଚ୍ଛାରେ ମୁଁ ମନ୍ତ୍ରୀ ହୋଇଥିଲି, ତାଙ୍କ ଇଚ୍ଛାରେ ମୋତେ ମନ୍ତ୍ରିମଣ୍ଡଳରୁ ଅନ୍ତର କରିବାରେ ମୁଁ ଦୁଃଖିତ ନୁହେଁ କାରଣ ମନ୍ତ୍ରିମଣ୍ଡଳରେ ସ୍ଥାନ ପାଇବା ମୋର ସାମ୍ବିଧାନିକ ଅଧିକାର ନୁହେଁ, ତେବେ ମୁଁ ଅନୁଭବର ତିକ୍ତ ଅନୁଭୂତିକୁ ପ୍ରକାଶ କଲେ ବିଭିନ୍ନ ସ୍ତରରେ ଭୁଲ ବୁଝାମଣା ସୃଷ୍ଟି ହେଉଥିବାରୁ, ଏ ଅନୁଭୂତିକୁ ମୁଁ ଏଠାରେ ବ୍ୟକ୍ତ କରିବାକୁ ଉଚିତ ମନେକଲି ।

ମୋଟାମୋଟି ଭାବରେ ଦାମ ବାବୁ ତାଙ୍କର ଏହି ଆର୍ଟିକିଲ ଜରିଆରେ କହିବାକୁ ଚାହିଁଛନ୍ତି ଯେ, ତାଙ୍କ ମନ୍ତ୍ରୀପଦ ଯିବା ପଛରେ କିଛି ଯୁବ ନେତାଙ୍କ ଷଡଯନ୍ତ୍ର ରହିଛି । ଏବଂ ବିନା ତଦନ୍ତରେ ତାଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନକୁ ମଧ୍ୟ ଏହି ଉପାୟରେ ପ୍ରତିବାଦ କରିଛନ୍ତି ଦାମ ।