ବିଜେଡିରୁ ଯିବା ପରେ ଦାମଙ୍କ ନୂଆ ଠିକଣା ବିଜୁ ସମତାକ୍ରାନ୍ତି ଦଳ  । ୨୦୧୯ରେ ପଡିବ କି ପ୍ରଭାବ?

923

କନକ ବ୍ୟୁରୋ : ନୂଆ ଦଳ ଘୋଷଣା କଲେ ପାରାଦୀପ ବିଧାୟକ ଦାମୋଦର ରାଉତ । ଦାମଙ୍କ ଏହି ନୂଆ ଦଳର ନାଁ ରହିଛି ବିଜୁ ସମତାକ୍ରାନ୍ତି ଦଳ । ଏନେଇ ଆଜି ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି ଦାମ । ଯଜେ୍ଞଶ୍ୱର ବାବୁ ଓ ବ୍ରଜ କିଶୋର ତ୍ରିପାଠୀଙ୍କ ଉପସ୍ଥିତିରେ ଏହି ନୂଆ ଦଳର ପୁନାଦି ଖୋଳିଛନ୍ତି ଦାମ । ତେବେ ଦାମଙ୍କ ନୂଆ ଦଳରେ ସେମିତି କୌଣସି ପରିଚିତ ଚେହେରା ସାମିଲ ହୋଇନାହାନ୍ତି । ନୂଆ ଦଳ ସହ ରାଜ୍ୟ ରାଜନୀତିରେ ଆଉ ଏକ ନୂଆ ଇନିଂସ ଖେଳିବାକୁ ଯାଉଛନ୍ତି ଓଡିଶା ରାଜନୀତିର ଏହି ପୋଖତ ଖେଳାଳି ।

ପୂର୍ବରୁ ବିଜେଡିରେ ଥିବା ଦାମ ବିବାଦୀୟ ମନ୍ତବ୍ୟ ପାଇଁ ପ୍ରଥମେ ମନ୍ତ୍ରୀପଦରୁ ବିଦା ହୋଇଥିଲେ । ପରେ ପରେ ନିଜର ବେଲଗାମ ତୁଣ୍ଡ ପାଇଁ ସେପ୍ଟେମ୍ବର ୧୨ରେ ଦଳରୁ ଦାମଙ୍କୁ ବହିଷ୍କାର କରାଯାଇଥିଲା । ଆଉ ଏହାପରେ ନବୀନଙ୍କୁ ଚେକମେଟ ଦେବାକୁ ଦାମ ନୂଆ ଦଳ ଗଠନ କରିବେ ବୋଲି ଘୋଷଣା କରିଥିଲେ । ବୈଜୟନ୍ତ ପଣ୍ଡା, ପ୍ରଫୁଲ ଘଡେଇ, ପଞ୍ଚାନନ କାନୁନଗୋଙ୍କ ଭଳି ନେତାଙ୍କୁ ସାଙ୍ଗରେ ନେଇ ନୂଆ ଦଳ ଗଠନ କରିବେ ବୋଲି କହିଥିଲେ ଦାମ । ତେବେ ସେତେବେଳେ ଏକଥାକୁ ଖଣ୍ଡନ କରିଥିଲେ ତିନି ନେତା । ଆଉ ଏହାପରେ ଦାମ ରାଜ୍ୟର ବିଭିନ୍ନ ସ୍ଥାନରେ ନବୀନଙ୍କ ବିରୋଧରେ ସଭା କରି ଆସୁଛନ୍ତି ।

୨୦୧୯ ନିର୍ବାଚନକୁ ଆଉ ମାତ୍ର ଅଳ୍ପ କିଛି ଦିନ ବାକି ଥିବା ବେଳେ ଦାମଙ୍କ ନୂଆ ଦଳ ରାଜିନୀତିର ପଶାପାଲିରେ ବିଜେଡିକୁ ଚେକମେଟ ଦେଇପାରୁଛି କି ନାହିଁ ତାହା ଉପରେ ଏବେ ରାଜ୍ୟବାସୀଙ୍କ ନଜର ରହିବ । କାରଣ ପୂର୍ବରୁ ମଧ୍ୟ ବିଜେଡିକୁ ଟକ୍କର ଦେବାକୁ ଓଡିଶାରେ ଅନେକ ଆଞ୍ଚଳିକ ଦଳ ଗଠନ ହୋଇଥିଲା । କିନ୍ତୁ ନବୀନଙ୍କ ଲୋକପ୍ରିୟତା ଆଗରେ କିଛି ଆଞ୍ଚଳିକ ଦଳ ସମ୍ପୂର୍ଣ୍ଣ ମୂଳପୋଛ ହୋଇଥିବା ବେଳେ ଆଉ କିଛି ଆଞ୍ଚଳିକ ଦଳ ରାଜନୀତିରେ ତିଷ୍ଠି ରହିବା ପାଇଁ ସଂର୍ଘଷ କରୁଛନ୍ତି । ଆଉ ଏଭଳି ସମୟରେ ଦାମଙ୍କ ନୂଆ ଦଳ କେଉଁ ରାଜ୍ୟ ରାଜନୀତିରେ କଣ ପ୍ରଭାବ ପକାଇବ ତାହା ଦେଖିବା ବାକି ରହିଲା ।