ଦିଦି ବଢାଇଲେ ଦାମଙ୍କ ଅଡୁଆ : ଦାମଙ୍କ ଘର ଜଗିଲା ୫ ପ୍ଲାଟୁନ ପୋଲିସ ଫୋର୍ସ

22

କନକ ବ୍ୟୁରୋ : ଯାଜପୁରରେ ଏକ ଦଳୀୟ ସଭାରେ ଦାମବାବୁଙ୍କ ବୟାନ ରାଜ୍ୟ ରାଜନୀତିରେ ନିଆଁ ଲଗାଇ ଦେଇଛି । ଆଉ ବିବାଦୀୟ ହୋଇପଡିଛନ୍ତି ବରିଷ୍ଠ ମନ୍ତ୍ରୀ ଡାକ୍ତର ଦାମୋଦର ରାଉତ । ଜଣେ ବିଜେପି ନେତ୍ରୀଙ୍କ ଉଦ୍ଦେଶ୍ୟରେ ଦାମଙ୍କ ସ୍ୱାମୀ ଛାଡି ଅଙ୍ଗନୱାଡି ମନ୍ତବ୍ୟ ପରେ ଆଜି ରାଜଧାନୀରେ ବହୁ ସଂଖ୍ୟାରେ ଅଙ୍ଗନୱାଡି କର୍ମୀ ଏକଜୁଟ୍ ହୋଇ ଦାମଙ୍କୁ ବିରୋଧ କରିବାକୁ ବାହାରିଥିଲେ ।

ଏପଟେ କୌଣସି ଅଘଟଣ ଆଶଙ୍କା କରି ଦାମଙ୍କ ସରକାରୀ ବାସଭବନ ପୋଲିସ ଛାଉଣୀରେ ପରିଣତ ହୋଇଥିଲା । ମନ୍ତ୍ରୀ ଦାମୋଦର ରାଉତ ବାସଭବନରେ ନଥିବା ବେଳେ ଏପଟେ ପ୍ରାୟ ୫ ପ୍ଲାଟୁନ ପୋଲିସ ଫୋର୍ସ ତାଙ୍କ ଘର ଆଗରେ ବାରିକେଡ୍ ବନାଇ ଜଗି ରହିଥିଲେ । ଆଶଙ୍କା ଥିଲା, ବିଜେପି କର୍ମୀ ଓ ଅଙ୍ଗନୱାଡି କର୍ମୀ ଘର ଭିତରକୁ ଧସେଇ ପଶିିଯିବେ ।

କିନ୍ତୁ ଦାମଙ୍କ ବୟାନକୁ ନେଇ ନିଜ ଦଳରେ ବି ବିରୋଧର ସ୍ୱର ଉଠିଥିଲା । ତେବେ ଯାଜପୁରରେ ଭାଷଣ ପରେ ଗତକାଲି ଦାମ ୟୁଟର୍ନ ମାରିଥିଲେ । କହିଥିଲେ, ସେ ଏଭଳି କହିନାହାନ୍ତି । ଦାମଙ୍କ ବୟାନକୁ ନେଇ ବିବାଦ କିଛି ନୂଆ କଥା ନୁହେଁ । କିନ୍ତୁ ଯାଜପୁର ଭାଷଣରେ ଦାମଙ୍କ ବୟାନ ପରେ ତାତି ଉଠିଛି ବିଜେପି ।