ସମଦଶା ! ସମୟ ସହ ଲଢୁଛନ୍ତି ବିଜୁବାବୁଙ୍କ ଅମଳର ଦୁଇ ନେତା, ଉଭୟଙ୍କ ଉପରେ ପୂରା ରାଜ୍ୟର ନଜର

38

କନକ ବ୍ୟୁରୋ : ମନ୍ତ୍ରୀ ପଦ ସହ ଦଳୀୟ ପଦରୁ ବିଦା ହେଲେ ଡ. ଦାମୋଦର ରାଉତ । ଜିଲ୍ଲା କମିଟିରୁ ବାଦ ପଡ଼ିଲେ ବିଜୟ ମହାପାତ୍ର । ଦୁଇ ନେତାଙ୍କ ସମଦଶା । ବିଜେଡିରେ ମୁଖ୍ୟମନ୍ତ୍ରୀଙ୍କ ଭରସା ହରାଇଛନ୍ତି ଦାମ ରାଉତ । ବିଜେପିରେ କୋଣଠେସା ହୋଇ ରହିଛନ୍ତି ବରିଷ୍ଠ ନେତା ବିଜୟ ମହାପାତ୍ର । ତେବେ କ’ଣ ହେବ ଏହି ଦୁଇ ତୁଙ୍କ ନେତାଙ୍କ ରାଜନୈତିକ ଭବିଷ୍ୟତ? କେଉଁ ଭଳି ଭାବରେ ଏହି ସ୍ଥିତିର ମୁକାବିଲା କରିବେ ଏହି ଦୁଇ ନେତା ।

dama and bijayବର୍ତମାନ ବିଜୁବାବୁଙ୍କ ଅମଳର ଏହି ଦୁଇ ତୁଙ୍ଗ ନେତାଙ୍କ ସମଦଶା ପଡିଛି । ନିଜ ସ୍ଥିତି ପାଇଁ ସମୟ ସହ ଲଢୁଛନ୍ତି ଏହି ଦୁଇ ନେତା । ୪୦ ବର୍ଷ ଧରି ରାଜ୍ୟ ରାଜନୀତିକୁ ହଲଚଲ କରୁଥିବା ବିଜୟ ମହାପାତ୍ର ଓ ଦାମ ରାଉତ ନିଜ ଦଳରେ କଣଠେସା ହୋଇ ଯାଇଛନ୍ତି । ବିଭିନ୍ନ ପ୍ରସଙ୍ଗରେ ନିଜ ଦଳ ବିରୋଧରେ ମତ ଦେଇ କେନ୍ଦ୍ରାପଡ଼ା ଜିଲ୍ଲା କମିଟିରୁ ବାଦ ପଡିଛନ୍ତି ବିଜୟ । ସେପଟେ ବାରମ୍ବାର ବିବାଦୀୟ ମନ୍ତବ୍ୟ ଦେଇ ମନ୍ତ୍ରୀପଦ ସହ ଦଳୀୟ ପଦରୁ ବିଦା ହୋଇଛନ୍ତି ଦାମ ରାଉତ ।

ବିଜୁ ବାବୁଙ୍କ ଅମଳରେ ଦୁଇ ନେତା ବିଜୟ ମହାପାତ୍ର ଓ ଦାମ ରାଉତଙ୍କର ବେଶ ପ୍ରଭାବ ରହିଥିଲା । ତେବେ ଗତ ୧୭ ବର୍ଷ ହେଲା ବିଧାନସଭାକୁ ଯିବାକୁ ସଂଘର୍ଷ କରୁଛନ୍ତି ବିଜୟ ମହାପାତ୍ର । ଦଳ ଗଢିବା ଠାରୁ ଆରମ୍ଭ କରି ବିଜେପିରେ ଯୋଗଦାନ ପରେ ବି ଆଉ ଥରେ ରାଜନୀତିରେ ସଫଳତା ପାଇବା ତାଙ୍କ ପାଇଁ ସମ୍ଭବ ହୋଇନାହିଁ । ସେହିପରି ଗତ ୧୭ ବର୍ଷ ଭିତରେ ତିନି ତିନି ଥର ମନ୍ତ୍ରୀମଣ୍ଡଳରୁ ବିଦା ହୋଇଛନ୍ତି ଦାମ ରାଉତ ।
ତେବେ ଜିଲ୍ଲା କମିଟିରୁ ବାଦ ପଡିବା ପରେ ବିଜୟ କହିଛନ୍ତି ଏବେ ଦଳ ସରକାର ବିରୋଧରେ ନ ଲଢି କେବଳ ମୋ ବିରୋଧରେ ଲଢୁଛି । ତେଣୁ ଯେଉଁମାନେ ଏଭଳି କରୁଛନ୍ତି ତାଙ୍କୁ ଧନ୍ୟବାଦ ଦେଇଛନ୍ତି ବିଜୟ । ସେହିଭଳି ଦାମ ମନ୍ତ୍ରୀପଦ ଓ ଦଳୀୟ ପଦରୁ ବିଦା ହେବା ପରେ କହିଛନ୍ତି, ମୁଖ୍ୟମନ୍ତ୍ରୀଙ୍କ ବିଶ୍ୱାସ ତାଙ୍କ ଉପରୁ ତୁଟିଯିବାରୁ ତାଙ୍କୁ ବହିଷ୍କାର କରାଯାଇଛି ।

ତେବେ ଏଠି ଗୋଟିଏ କଥା ସାମ୍ନାକୁ ଆସୁଛି, ଜିଲ୍ଲା କମିଟିରୁ ବାଦ ପଡିବା ପରେ ବିଜୟ ଦଳ ଛାଡିଦେବେ କି ? ବିଜେପି ବିରୋଧରେ ଥିବା ଅସନ୍ତୋଷକୁ ଆହୁରି ଶାଣିତ କରିବେ । ଏହା ଉପରେ ରହିଛି ସମସ୍ତଙ୍କ ନଜର । ସେପଟେ ଦାମ ବାବୁ ପୁଣି ଥରେ ବିଜୁ ବିଚାର ମଂଚକୁ ପାଥେୟ କରି ଲାଇମ୍ ଲାଇଟ୍ ରହିବାକୁ ଉଦ୍ୟମ କରିପାରନ୍ତି । ଏକ ବିପରୀତ ସ୍ଥିତି ସହ ଲଢୁଥିବା ଡାକ୍ତର ଦାମ ରାଉତ ଓ ବିଜୟ ମହାପାତ୍ର ଆଗକୁ କି ପଦକ୍ଷେପ ନେଉଛନ୍ତି ଓ ଓଡ଼ିଶା ରାଜନୀତିକୁ କେଉଁ ମୋଡକୁ ନେଉଛନ୍ତି, ଏହି ରୋଚକ ରାଜନୈତିକ ଦୃଶ୍ୟକୁ ସାରା ଓଡ଼ିଶା ଅପେକ୍ଷା କରିଛି ।