ପିଆଜର ଅଭାବୀ ବିକ୍ରି ପ୍ରସଙ୍ଗ ! ଓଡିଶା ଅବଗତ କରାଇନଥିବା ନେଇ କେନ୍ଦ୍ର କୃଷିମନ୍ତ୍ରୀଙ୍କ ମନ୍ତବ୍ୟର ଜବାବ ଦେଲେ ରାଜ୍ୟ କୃଷିମନ୍ତ୍ରୀ

34

କନକ ବ୍ୟୁରୋ: ରାଜ୍ୟର ପିଆଜର ଅଭାବୀ ବିକ୍ରିକୁ ନେଇ ମୁହାଁମୁହିଁ ହୋଇଛନ୍ତି କେନ୍ଦ୍ର ଓ ରାଜ୍ୟ । ଗତକାଲି କେନ୍ଦ୍ର କୃଷିମନ୍ତ୍ରୀ ରାଧାମୋହନ ସିଂ କହିଥିଲେ, ଏ ବାବଦରେ ରାଜ୍ୟ କାହିଁକି ଜଣାଇଲା ନାହିଁ । ଏହାର ଆଜି କଡା ଜବାବ ରଖିଛନ୍ତି କୃଷିମନ୍ତ୍ରୀ ଦାମୋଦର ରାଉତ । କେନ୍ଦ୍ରକୁ ଫସଲ କ୍ଷତି ନେଇ କାହିଁକି ଆମେ ଜଣାଇବୁ ବୋଲି ପ୍ରଶ୍ନ କରିଛନ୍ତି ଦାମ । ଆଉ ଜଣାଇଥିଲେ କଣ କରିଥାନ୍ତେ ସେ ନେଇ କେନ୍ଦ୍ର ସରକାର ଉତର ଦେବାକୁ ସେ ଦାବି କରିଛନ୍ତି ।

ଆଳୁ ପିଆଜ ବୀମାଭୁକ୍ତ ନୁହେଁ ତେଣୁ ପିଆଜର ଅଭାବୀ ବିକ୍ରୀ ଜଣାଇଲେ କେନ୍ଦ୍ର ସରକାର କଣ କରିବେ ବୋଲି ପ୍ରଶ୍ନ କରିଛନ୍ତି କୃଷିମନ୍ତ୍ରୀ । ସେ ଆହୁରି ମଧ୍ୟ ପ୍ରଶ୍ନ କରିଛନ୍ତି ବର୍ତମାନ ଯାଏଁ ଅଭାବୀ ବିକ୍ରୀର ସମାଧାନ ଯାଏଁ କେନ୍ଦ୍ର ସରକାର କଣ କରିଛନ୍ତି । ରାଜ୍ୟକୁ ଭର୍ତ୍ସନା କରିବା କେନ୍ଦ୍ରମନ୍ତ୍ରୀଙ୍କ ଦାୟିତ୍ୱ ନୁହେଁ । କେନ୍ଦ୍ର-ରାଜ୍ୟ ଭିତରେ ସମ୍ପର୍କ କଣ କେନ୍ଦ୍ରମନ୍ତ୍ରୀ ରାଧାମୋହନ ଜାଣନ୍ତି ନାହିଁ ବୋଲି ଏଭଳି କଥା କହୁଥିବା ଦାମ କହିଛନ୍ତି ।