ଭାରତର ବଡ ବିଜୟ ! ଇଣ୍ଟରନ୍ୟାସନାଲ କୋର୍ଟ ଅଫ ଜଷ୍ଟିସରେ ଦ୍ୱିତୀୟ ଥର ପାଇଁ ବିଚାରପତି ଭାବେ ନିର୍ବାଚିତ ହେଲେ ଭାରତର ଦଲବୀର ଭଣ୍ଡାରୀ, ବାଦ ପଡିଲା ବ୍ରିଟେନ

26

ବ୍ରିଟେନକୁ ମାତ ଦେଲା ଭାରତ ! ଜାତିସଂଘରେ ଭାରତର ବଡ ବିଜୟ । ଲଗାତର ଦ୍ୱିତୀୟ ଥର ପାଇଁ ଇଂଟରନ୍ୟାସନାଲ କୋର୍ଟ ଅଫ୍ ଜଷ୍ଟିସରେ ବିଚାରପତି ହେଲେ ଭାରତର ଦଲବୀର ଭଣ୍ଡାରି । ବ୍ରିଟେନକୁ ପଛରେ ପକାଇ ଏହି ସମ୍ମାନଜନକ ତଥା ଗୁରୁତ୍ୱପୂର୍ଣ ପଦବୀରେ ପୁଣି ବିଚାରପତି ଆସନ ଅଳଂକୃତ କରିଛନ୍ତି ଦଲବୀର ଭଣ୍ଡାରି । ଇଂଟରନ୍ୟାସନାଲ କୋର୍ଟ ଅଫ୍ ଜଷ୍ଟିସ ବା ଆଇସିଜେ ବିଚାରପତି ପଦ ପାଇଁ ବ୍ରିଟେନ୍ର ଖ୍ରିଷ୍ଟୋଫର ଗ୍ରୀନଉଡଙ୍କ ସହ ଥିଲା ଦଲବୀରଙ୍କ ମୁକାବିଲା ।

କିନ୍ତୁ ଶେଷ ମୂହୁର୍ତରେ ନାମ ପ୍ରତ୍ୟାହାର କରିନେଇଥିଲା ବ୍ରିଟେନ୍ । ହାରିବା ଏକପ୍ରକାର ନିଶ୍ଚିତ ଜାଣିବା ପରେ ଏହି ଦୌଡରୁ ଓହରି ଯାଇଥିଲେ ଖ୍ରିଷ୍ଟୋଫର । ଜାତିସଂଘ ମହାସଭାରେ ଆଇସିଜେ ବିଚାରପତି ପଦ ପାଇଁ ହେଉଥିବା ଭୋଟିଂରେ ଦଲବୀରଙ୍କୁ ୧୮୩ ଭୋଟ୍ ମିଳିଥିଲା । ସୁରକ୍ଷା ପରିଷଦର ସମସ୍ତ ୧୫ଟି ଭୋଟ୍ ଦଲବୀରଙ୍କ ସପକ୍ଷରେ ଯାଇଥିଲା । ଆଇସିଜେରେ ପ୍ରତି ୩ ବର୍ଷ ଅନ୍ତରରେ ୫ ଜଣ ଲେଖାଏଁ ବିଚାରପତି ନିଯୁକ୍ତ ହୋଇଥାନ୍ତି । ତେବେ ପୂର୍ବରୁ ୪ ବିଚାରପତିଙ୍କ ନିର୍ବାଚନ ଶେଷ ହୋଇଥିବା ବେଳେ ଶେଷ ବିଚାରପତିଙ୍କ ପାଇଁ ଭାରତ ଓ ବ୍ରିଟେନ ମଧ୍ୟରେ ଲଢେଇ ହୋଇଥିଲା । ୧୧ ତମ ପଯ୍ୟାୟ ପର୍ଯ୍ୟନ୍ତ ଦଲବୀର ଜାତିସଂଘ ମହାସଭାରେ ଖ୍ରୀଷ୍ଟଫୋଡଙ୍କ ଠାରୁ ଆଗୁଆ ରହିଥିଲେ । କିନ୍ତୁ ସୁରକ୍ଷା ପରିଷଦରେ ପଛୁଆ ରହିଥିଲେ । ତେବେ ବିଚାରପତି ନିର୍ବାଚିତ ହେବା ପାଇଁ ଉଭୟ ଜାତିସଂଘ ମହାସଭା ଓ ସୁରକ୍ଷା ପରିଷଦରେ ବିଜୟୀ ହେବା ନିତାନ୍ତ ଆବଶ୍ୟକ । ଏସବୁକୁ ଦୁଷ୍ଟିରେ ରଖି ବ୍ରିଟେନ ଓହରି ଯାଇଥିବା ଚର୍ଚ୍ଚା ହେଉଛି ।

ତେବେ ସବୁଠାରୁ ଗୁରୁତ୍ୱପୂର୍ଣ କଥା ହେଉଛି ପାକିସ୍ତାନ ଜେଲରେ ଥିବା ଭାରତୀୟ ନୌସେନା ଅଧିକାରୀ କୁଳଭୂଷଣ ଯାଦବଙ୍କ ଫାଶି ଦଣ୍ଡାଦେଶ ସଂପର୍କରେ ଶୁଣାଣି ଚାଲିଥିବା ବେଳେ ଦଲବୀର ଭଣ୍ଡାରି ହିଁ ବିଚାରପତି ରହିଥିଲେ । ତେବେ କୁଳଭୂଷଣଙ୍କ ମାମଲା ଏବେ ଆଇସିଜେରେ ବିଚରାଧୀନ ଥିବାରୁ ଭାରତ ପାଇଁ ପୁଣିଥରେ ଆଶା ସଞ୍ଚାର ହୋଇଛି । ଦଲବୀରଙ୍କ ବିଜୟ ପରେ ଭାରତର ବୈଦଶିକ ମନ୍ତ୍ରୀ ସୁଷମା ସ୍ୱରାଜ ଟ୍ୱିଟ୍ କରି ଶୁଭେଚ୍ଛା ଜଣାଇଛନ୍ତି । ଅନ୍ୟପକ୍ଷରେ ଦେଖିବାକୁ ଗଲେ ପ୍ରଥମ ଥର ପାଇଁ ଆଇସିଜେରେ ବ୍ରିଟେନରୁ ପକ୍ଷରୁ କୌଣସି ବିଚାରପତି ନିର୍ବାଚିତ ହୋଇ ନାହାନ୍ତି ।