ସ୍ୱାଧୀନତା ଦିବସରେ ପରାଧୀନତାର ଚିତ୍ର! ଛୁଆଁଅଛୁଆଁ ଭେଦଭାବକୁ କେନ୍ଦ୍ର କରି ସ୍କୁଲରେ ପତାକା ଉତୋଳନରୁ ବଂଚିତ ରହିଲେ ଦଳିତ ଛାତ୍ରଛାତ୍ରୀ, ବସ୍ତିରେ ପାଳିଲେ ସ୍ୱାଧୀନତା ଦିବସ

44

କନକ ବ୍ୟୁରୋ : ସ୍ୱାଧୀନତାକୁ ୭୧ ବର୍ଷ ବିତିଯାଇଛି, ଆଜି ଆମେ ୭୨ ତମ ସ୍ୱାଧିନତା ଦିବସ ପାଳନ କରୁଛେ । ଦିଲ୍ଲୀର ଲାଲକିଲ୍ଲାରେ ପ୍ରଧାନମନ୍ତ୍ରୀ ମହାକାଶ ଅଭିଯାନ ପାଇଁ ଯୋଜନା ଘୋଷଣା କରୁଛନ୍ତି । ଦେଶ, ବିଶ୍ୱର ଏକ ଶ୍ରେଷ୍ଠ ଅର୍ଥନୀତି ବୋଲି କୁହାଯାଉଛି । ଏଭଳି ବଡ ବଡ ନାରା ଭିତରେ ଆମେ କେତେ ସ୍ୱାଧୀନ, ତାର ଏକ ଚିତ୍ର ଆସିଛି ପୁରୀ ଜିଲ୍ଲାରୁ । ଯେଉଁଠି ଆଜି ବି ରହିଛି ଛୁଆଁ ଅଛୁଁଆ ଭେଦଭାବ । ଆଉ ଏହି ଛୁଆଁଅଛୁଆଁ ଭେଦଭାବ ଯୋଗୁଁ କୁନି କୁନି ପିଲାମାନେ ସ୍କୁଲରେ ତ୍ରିରଙ୍ଗା ପତାକା ଉଡାଇବାରୁ ବଂଚିତ ହୋଇଛନ୍ତି ।

ଗୋଟିଏ ପଟେ ସ୍କୁଲ ଅଗଣାରେ ତ୍ରିରଙ୍ଗା ଉଡୁଛି, ଅନ୍ୟପଟେ ଦଳିତ ବସ୍ତିରେ ଛୋଟିଆ ପତାକାଟିଏ ଧରି ସ୍ୱାଧୀନତା ଦିବସ ପାଳନ କରୁଛନ୍ତି କୁନି କୁନି ପିଲା । ସ୍କୁଲ ଯାଇନଥିବା ଏହି ପିଲାମାନେ ବି ଛାତ୍ରଛାତ୍ରୀ । ଆଉ ଯେଉଁମାନେ ସ୍କୁଲ ପରିସରରେ ତ୍ରିରଙ୍ଗା ଉଡାଇଛନ୍ତି ସେମାନେ ବି ଛାତ୍ରଛାତ୍ରୀ । କାରଣ ଏହି ଛାତ୍ରଛାତ୍ରୀ ମାନେ ହେଉଛନ୍ତି ଜାତିରେ ଦଳିତ । ହେଲେ କାହିଁକି ଦଳିତ ପିଲାଙ୍କୁ ନିଜ ସାହିବସ୍ତିରେ ତ୍ରିରଙ୍ଗା ଉଠାଇବାକୁ ପଡୁଛି, ତାର କାରଣ ଜାଣିଲେ ଆପଣ ବି ଆଶ୍ଚର୍ଯ୍ୟ ହୋଇଯିବେ । ଏହା ପଛରେ ଏକମାତ୍ର କାରଣ ହେଉଛି ଦଳିତଙ୍କ ପ୍ରତି ଥିବା ଛୁଆଁଅଛୁଆଁ ଭେଦଭାବ ।

ଏକବିଂଶ ଶତାବ୍ଦୀର କଥିତ ସଭ୍ୟ ସମାଜ ଭିତରେ ପୁରୀ ଜିଲ୍ଲା ପିପିଲି ବ୍ଲକ୍ ନାହାମଙ୍ଗ ପାଟଣା ଗାଁରୁ ଅଭାବନୀୟ ଘଟଣା ସାମ୍ନାକୁ ଆସିଛି । ଦଳିତମାନେ ଅଭିଯୋଗ କରୁଛନ୍ତି ଯେ-ସ୍କୁଲ ଭିତରେ ଛୁଆଁ ଅଛୁଆଁ ଭେଦଭାବର ଶିକାର ହେଉଛନ୍ତି ଛାତ୍ରଛାତ୍ରୀ । ଅନ୍ୟପଟେ ସାଧାରଣବର୍ଗର ଅଭିଯୋଗ ହେଉଛି-ଦଳିତ ସଂପ୍ରଦାୟ ଲୋକମାନେ, ବିନାକାରଣରେ ଗାଳିଗୁଳଜ କରୁଛନ୍ତି । ଆଉ ଏହିବିବାଦ ଯୋଗୁଁ ଏହି କୁନି କୁନି ପିଲାମାନେ ୧୦ ଦିନ ହେଲା ସ୍କୁଲ ଯାଉ ନାହିଁନ୍ତି । ଏବଂ ନିଜ ଘର ପାଖରେ ସ୍ୱାଧିନତା ଦିବସ ପାଳନ କରିଛନ୍ତି ।

ଅନ୍ୟପଟେ ସ୍କୁଲ ଭିତରେ କୌଣସି ଭେଦଭାବ ହେଉନଥିବା ପ୍ରଧାନଶିକ୍ଷକ କହିଥିବା ବେଳେ ନିଜ ବସ୍ତିରେ ସ୍ୱାଧିନତା ଦିବସ ପାଳନ କଥା ତାଙ୍କୁ ମର୍ମାହତ କରିଥିବା କହିଛନ୍ତି । ଗାଁରେ ସୃଷ୍ଟି ହୋଇଥିବା ଏହି ବିବାଦକୁ ନେଇ ଉଭୟ ଗୋଷ୍ଠୀ ପକ୍ଷରୁ ବଳଙ୍ଗା ଥାନାରେ ଅଭିଯୋଗ ହୋଇଛି । ହେଲେ ଏଯାଏଁ ସମାଧାନର ବାଟ ବାହାରି ପାରି ନାହିଁ । ପିପିଲି ଅଂଚଳର ଏହି ଘଟଣା ହିଁ ପ୍ରମାଣ କରୁଛି ଯେ, ଆଜି ବି କେଉଁଠି ନା’ କେଉଁଠି ଛୁଆଁ ଅଛୁଆଁ ଭଳି କୁତ୍ସିତ ପ୍ରଥା ବଂଚି ରହିଛି ।