ବହୁ ବାଦ ବିବାଦ ମଧ୍ୟରେ ଅରୁଣାଚଳ ପ୍ରଦେଶ ଗସ୍ତରେ ତିବ୍ଦତୀୟ ଧର୍ମଗୁରୁ ଦଲାଇଲାମା !

46

କନକ ବ୍ୟୁରୋ : ବହୁ ବାଦ ବିବାଦ ମଧ୍ୟରେ ଅରୁଣାଚଳ ପ୍ରଦେଶ ଗସ୍ତ କରିଛନ୍ତି ତିବ୍ଦତୀୟ ଧର୍ମଗୁରୁ ଦଲାଇଲାମା । ଡିରଂଗରେ ଥିବା ଥୁପାଂଗ୍ ଧାର୍ମିକ ପୀଠରେ ଦଲାଇଲାମାଙ୍କୁ ଶ୍ରଦ୍ଧାଳୁମାନେ ସ୍ୱାଗତ କରିଥିଲେ । ଦଲାଇଲାମା ଏହି ଅବସରରେ କହିଛନ୍ତି ମୁଁ କୌଣସି ରାଜନୀତି କରୁନାହିଁ । ଚୀନର ଅଧିକାରୀମାନେ ଏଠାକୁ ଆସନ୍ତୁ ଓ ମୋର ବକ୍ତବ୍ୟ ଶୁଣନ୍ତୁ ।

ଦଲାଇଲାମାଙ୍କୁ ନେଇ ଚୀନ ଭାରତକୁ ବିରୋଧ କରୁଥିବାବେଳେ ଆଗକୁ ପରିସ୍ଥିତି ଆହୁରି ଉତ୍ତେଜନାପୂର୍ଣ ହେବା ଆଶାଙ୍କା ରହିଛି । ଦଲାଇଲାମାଙ୍କ ଅରୁଣାଚଳ ପ୍ରଦେଶ ଗସ୍ତକୁ ନେଇ ଏହି ବିରୋଧ ସୃଷ୍ଟି ହୋଇଛି । ଚୀନ ଧମକ ଦେଇଛି ଏହା ଦ୍ୱାରା ଭାରତ ଓ ଚୀନ ମଧ୍ୟରେ ଦ୍ୱିପାକ୍ଷିକ ସଂପର୍କ ପ୍ରଭାବିତ ହେବ । ପ୍ରକୃତରେ କିନ୍ତୁ ଚୀନ ଭାରତକୁ ଅରୁଣାଚଳ ପ୍ରଦେଶ ଲେହ ସୀମା ବିବାଦକୁ ନେଇ ବିରୋଧ କରୁଛି ।

ବରିଷ୍ଠ ବିଜେପି ନେତା ସୁବ୍ରମଣ୍ୟମ ସ୍ୱାମୀ କହିଛନ୍ତି ଯେ ଭାରତକୁ ବର୍ତମାନ ଯୁଦ୍ଧ ପାଇଁ ପ୍ରସ୍ତୁତ ରହିବା ଆବଶ୍ୟକ । ଦଲାଇଲାମାଙ୍କୁ ପ୍ରସଂଗ କରି ଭାରତକୁ ଚୀନ ଘେରିବାକୁ ଯୋଜନା କରିଛି । ସେହିପରି ଏନଏସଜି ଓ ୟୁଏନଏସସିରେ ଭାରତର ସଦସ୍ୟତାକୁ ଚୀନ ବିରୋଧ କରି ଆସୁଛି । ଫଳରେ ଏ ପ୍ରକାର ବିଦେଶ ନୀତିକୁ ଭାରତ ବିରୋଧ କରୁଛି ।

ଅନ୍ୟପକ୍ଷରେ ଅଜହର ମାସୁଦ ଓ ହାଫିଜ ସଇଦଙ୍କ ଉପରେ ପ୍ରତିବନ୍ଧକ ଲଗାଇବାକୁ ଭାରତ ଦାବି କରିଆସୁଥିବା ବେଳେ ଚୀନ କିନ୍ତୁ ଏହାକୁ ସମର୍ଥନ କରୁନାହିଁ । ଏହାଛଡା ଦକ୍ଷୀଣ ଚୀନ ସାଗରରେ ଚୀନର ଦାଦାଗିରିକୁ ଭାରତ ବିରୋଧ କରୁଛି । ଏସବୁ ପ୍ରସଂଗକୁ ନେଇ ଚୀନ ଭାରତକୁ ଟାର୍ଗେଟ କରୁଛି ।

ଚୀନର ଧମକକୁ ନେଇ ପ୍ରତିକ୍ରିୟା ରଖିଛି କଂଗ୍ରେସ । ପୁର୍ବତନ ମନ୍ତ୍ରୀ ତଥା କଂଗ୍ରେସ ନେତା ଶଶୀ ଥରୁର କହିଛନ୍ତି, ଦଲାଇଲାମା ଧର୍ମଗୁରୁ ହୋଇଥିବାରୁ ଭାରତର ସବୁ ଜାଗାକୁ ସେ ଯାଇପାରିବେ । ଭାରତର ଧାର୍ମିକ ମାମଲାରେ ଚୀନ ମୁଣ୍ଡ ପୁରାଇବା ଉଚିତ ନୁହେଁ ।