ଆଜିଠୁ ଦଲାଇଲାମାଙ୍କ ୩ ଦିନିଆ ଓଡିଶା ଗସ୍ତ ! ନବୀନଙ୍କୁ ଭେଟିବେ ତିବ୍ଦତୀୟ ଧର୍ମଗୁରୁ

22

କନକ ବ୍ୟୁରୋ: ତିବ୍ଦତୀୟ ଧର୍ମଗୁରୁ ଦଲାଇଲାମା ଆଜିଠୁ ୩ ଦିନିଆ ଓଡିଶା ଗସ୍ତରେ ଆସୁଛନ୍ତି । ଆଜି ଅପରାହ୍ନରେ ସେ ଭୁବନେଶ୍ୱରରେ ପଂହଚିବେ । ଏହାପରେ ବିମାନବନ୍ଦରରରୁ ସେ ସିଧା ନବୀନ ନିବାସ ଯିବେ । ସେଠାରେ ମୁଖ୍ୟମନ୍ତ୍ରୀଙ୍କ ସହ ପ୍ରାୟ ୨୦ ମିନିଟ୍ ଧରି ଆଲୋଚନା କରିବେ । ହୋଟେଲରେ ରାତ୍ରିଯାପନ ପରେ ମଙ୍ଗଳବାର ସକାଳେ ସେ କିସ୍ ବିଶ୍ୱବିଦ୍ୟାଳୟ ଯିବେ । ସକାଳ ୯ଟାରୁ ୧୧ ଟା ୩୦ ଯାଏଁ କିସର କାର୍ଯ୍ୟକ୍ରମରେ ଯୋଗ ଦେବେ ।

ଏହି କାର୍ଯ୍ୟକ୍ରମରେ ଦଲାଇଲାମାଙ୍କୁ କିସ୍ ପକ୍ଷରୁ ହ୍ୟୁମାନିଟାରିଆନ୍ ସମ୍ମାନରେ ସମ୍ମାନିତ କରାଯିବ । ଏହି କାର୍ଯ୍ୟକ୍ରମ ପରେ ଅପରାହ୍ନ ୧ଟାରୁ ୧ଟା ୪୫ପର୍ଯ୍ୟନ୍ତ ଚନ୍ଦ୍ରଗିରିରୁ ଆସିଥିବା ତିବ୍ଦତୀୟ ବାସିନ୍ଦାଙ୍କ ସହ ଆଲୋଚନା କରିବେ । ଏହାପରେ ଅପରାହ୍ନ ୧ଟା ୫୦ରେ ହୋଟେଲ ଟ୍ରାଇଡେଣ୍ଟ ଅଭିମୁଖେ ଯିବେ । ସେଠାରେ ରାତ୍ରିଯାପନ କରିବେ । ବୁଧବାର ପୂର୍ବାହ୍ନ ୧୦ଟା ୨୦ରେ ଭୁବନେଶ୍ୱର ବିମାନବନ୍ଦରରୁ ଇଣ୍ଡିଗୋ ବିମାନରେ କୋଲକତା ଅଭିମୁଖେ ଯାତ୍ରା କରିବେ ବୋଲି ଜଣାପଡ଼ିଛି ।

ଦଲାଇଲାମାଙ୍କ ଗସ୍ତ ଅବସରରେ କମିସନରେଟ୍ ପୁଲିସ୍ ପକ୍ଷରୁ ଆବଶ୍ୟକ ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଛି । ତାଙ୍କୁ ଜେଡ୍ ପ୍ଲସ୍ ସୁରକ୍ଷା ଦିଆଯିବ । ଜଣେ ଏସିପି ରାଙ୍କର ଅଫିସରଙ୍କୁ ତାଙ୍କ ସୁରକ୍ଷା ଦାୟିତ୍ୱରେ ରଖାଯାଇଛି । ସେ ରହିବାକୁ ଥିବା ହୋଟେଲ୍ ଟ୍ରାଇଡେଣ୍ଟରେ ଏକ ପ୍ଲାଟୁନ୍ ପୁଲିସ୍ ଦିନରାତି ପହରା ଦେବେ ।