ନବୀନଙ୍କ ପିଠି ଥାପୁଡାଇଲେ ଦଲାଇଲାମା ! କହିଲେ ଜିମ୍ବାୱେ ରାଷ୍ଟ୍ରପତି ପରି ଜାବୁଡି ଧରି ନାହାନ୍ତି କ୍ଷମତା ! ଲୋକ ଚାହୁଁଛନ୍ତି, ସମ୍ମାନ କରୁଛନ୍ତି

32

କନକ ବ୍ୟୁରୋ : ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ପିଠି ଥାପୁଡାଇଛନ୍ତି ଧର୍ମଗୁରୁ ଦଲାଇଲାମା । ଦୁଇ ଦିନିଆ ଓଡିଶା ଗସ୍ତରେ ଆସିଥିବା ଏହି ତିବ୍ଦତୀୟ ଧର୍ମଗୁରୁ ବିମାନବନ୍ଦରରୁ ସିଧାସଲଖ ନବୀନ ନିବାସରେ ଆସି ମୁଖ୍ୟମନ୍ତ୍ରୀଙ୍କ ସହ ଆଲୋଚନା କରିଛନ୍ତି । ଏହି ଅବସରରେ ତାଙ୍କୁ ଲୋକେ ଭଲ ପାଉଥିବାରୁ ଏତେ ଦିନ ଧରି ଶାସନରେ ଅଛନ୍ତି ବୋଲି କହିବାକୁ ପଛାଇନଥିଲେ ଦଲାଇଲାମା । ନବୀନଙ୍କ ପାଖରେ କ୍ଷମତା ଲୋଭ ନଥିବା ମଧ୍ୟ ସେ କହିଛନ୍ତି ।

ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ପ୍ରଂଶସାରେ ପୋତି ପକାଇଲେ ବିଶ୍ୱର ଅନ୍ୟତମ ପ୍ରମୁଖ ଧର୍ମଗୁରୁ ଚତୁର୍ଦ୍ଦଶ ଦଲାଇଲାମା । ଏହାସହ ସେ କହିଛନ୍ତି, ଜିମ୍ବାୱେର ରାଷ୍ଟ୍ରପତିଙ୍କ ପରି ନବୀନ ନୁହଁନ୍ତି । ଅର୍ଥାତ ନବୀନ କ୍ଷମତା ଚାହୁଁନାହାନ୍ତି କିନ୍ତୁ ଲୋକେ କହୁଛନ୍ତି ସେ କ୍ଷମତାରେ ରୁହନ୍ତୁ ।

କଳିଙ୍ଗ ଇନଷ୍ଟିଚ୍ୟୁଟ ଅଫ ସୋସିଆଲ ସାଇନସ ବା କିସର ୧୦ମ ହ୍ୟୁମାନିଟାରିଆନ ପୁରସ୍କାର ଗ୍ରହଣ କରିବାକୁ ଆସିଥିବା ଏହି ଧର୍ମଗୁରୁ ନବୀନଙ୍କ ପିଠି ଥାପୁଡାଇଛନ୍ତି । ତେବେ ଡୋକଲାମ ବିବାଦ ପରେ ଭାରତ ଓ ଚୀନ ସର୍ମ୍ପକରେ ସନ୍ଦେହର ବାତାବରଣ ସୃଷ୍ଟି ହୋଇଥିବା ବେଳେ ଦଳାଇଲାମା ଏ ବିଷୟରେ ମତ ରଖି କହିଛନ୍ତି, ଭାରତ ଓ ଚୀନ ଉଭୟ ଉଭୟଙ୍କୁ ଆବଶ୍ୟକ କରନ୍ତି । ତେଣୁ ଉଭୟ ଦେଶ ମଧ୍ୟରେ ଶାନ୍ତି ବଜାୟ ରହିବା ଆବଶ୍ୟକ । ୮୨ ବର୍ଷିୟ ତିବତର ଏହି ଚତୁର୍ଦଶ ଦଲାଇଲାମାଙ୍କୁ ନେଇ ଚୀନ ଓ ଭାରତ ମଧ୍ୟରେ ବିବାଦ ରହିଛି । ୭ ବର୍ଷ ପରେ ଦଲାଇଲାମା ପୁଣିଥରେ ଭାରତକୁ ଆସିଛନ୍ତି ।