ଡାଲି ବଜାରରେ ନିଆଁ । ଖୁଚୁରା ବଜାରରେ କିଲୋ ପ୍ରତି ୮୫ ଛୁଇଁଲାଣି ଦର
ବୁଟ ଡାଲିକୁ ବାଦ ଦେଲେ ହରଡ଼, ମୁଗ ଓ ବିରି ଡାଲି ୮୦ ଟଙ୍କାକୁ ଟପିଯାଇଛି
କନକ ବ୍ୟୁରୋ : ପୁଣି ବଢ଼ିଲା ଡାଲି ଦର। ବୁଟ ଡାଲିକୁ ବାଦ ଦେଲେ ହରଡ଼, ମୁଗ ଓ ବିରି ଡାଲି ୮୦ ଟଙ୍କାକୁ ଟପିଯାଇଛି। ପାଇକାରୀ ଦର ୮୦ ଟଙ୍କା ଛୁଇଁଥିବାବେଳେ ଖୁଚୁରା ବଜାରରେ ୮୪/୮୫ ଟଙ୍କା ହୋଇଯାଇଛି। ଅମଳ ଋତୁ ଆରମ୍ଭ ହୋଇଯାଇଥିବାରୁ ଦର କମିବା କଥା। ମାତ୍ର ଅମଳ ପ୍ରଭାବ ଶୂନ। ମାସକ ଭିତରେ ଦୁଇ ଦୁଇ ଥର ବଢ଼ିଲାଣି ଡାଲି ଦର। ଆଗକୁ ଆହୁରି ବଢ଼ିବ ବୋଲି ବ୍ୟବସାୟୀ ମହଲରୁ ସୂଚନା ମିଳିଛି। ଫଳରେ ଖାଉଟି ମହଲରେ ଦେଖାଦେଇଛି ତୀବ୍ର ଅସନ୍ତୋଷ। ନଭେମ୍ବର ମାସ ଆରମ୍ଭରେ ପାଇକାରୀ ବଜାରରେ ହରଡ଼ ଡାଲି ମାନ ଅନୁସାରେ ୫୨ ଟଙ୍କାରୁ ୬୦ ଟଙ୍କା ହିସାବରେ ମିଳୁଥିଲା। ସେହିଭଳି ମୁଗ ୫୮ ଟଙ୍କାରୁ ୬୫ ଟଙ୍କା ଓ ବିରି ଡାଲି ୪୭ ଟଙ୍କାରୁ ୬୨ ଟଙ୍କା ଦରରେ ବିକ୍ରି ହେଉଥିଲା। ଖୁଚୁରା ବଜାରରେ ହରଡ଼, ମୁଗ ଓ ବିରି ଡାଲି ଦର ଯଥାକ୍ରମେ ୬୫, ୬୮ ଓ ୬୫ ଟଙ୍କା ଥିଲା। କିନ୍ତୁ ନଭେମ୍ବର ୧୦ ତାରିଖ ପରେ ଦର ବୃଦ୍ଧି ଘଟିଲା।
Kanak News is now on WhatsApp
Join and get latest news updates delivered to you via WhatsApp
କ୍ବିଣ୍ଟାଲ ପିଛା ପ୍ରାୟ ୧୫ ଶହ ଟଙ୍କା ବଢ଼ିଗଲା। ଫଳରେ ଖୁଚୁରା ବଜାରରେ ହରଡ଼ ଡାଲି ୭୨ ଟଙ୍କାକୁ ଛୁଇଁଯିବାବେଳେ ମୁଗ ଓ ବିରି ଡାଲି ଦର ୭୫ ଟଙ୍କାକୁ ଟପି ଯାଇଥିଲା। ସରକାରଙ୍କ ନିଷ୍ପତ୍ତି ଅନୁସାରେ ଡାଲି କିଣାବେଳେ ଚାଷୀଙ୍କୁ ଏମଏସପି ବାବଦରେ ଅଧିକ ଟଙ୍କା ପ୍ରଦାନ କରାଯିବାରୁ ଦର ଏଭଳି ବୃଦ୍ଧି ପାଇଥିଲା ବୋଲି କୁହାଗଲା। ତେବେ ଏହି ଦରବୃଦ୍ଧି ପୁଣି ଖସି ଆସିବ ବୋଲି ବ୍ୟବସାୟୀ ମହଲ ଆଶା କରିଥିଲା। କିନ୍ତୁ ଗତ ଦୁଇ ଦିନ ହେଲା ପୁଣି ପାଇକାରୀ ବଜାରରେ ଡାଲି ତାତି ଦେଖିବାକୁ ମିଳିଛି।
ଫଳରେ ପାଇକାରୀ ଦର କିଲୋ ପିଛା ୭୮ ଟଙ୍କାରୁ ୮୦ ଟଙ୍କାରେ ପହଞ୍ଚି ଯାଇଛି ଓ ସେହି ଅନୁସାରେ ଖୁଚୁରା ବଜାରରେ ଉଚ୍ଚ ମାନର ହରଡ଼ ଡାଲି କିଲୋ ୮୪/୮୫ ଟଙ୍କା ପଡ଼ୁଛି। ଅର୍ଥାତ୍ ଗତ ମାସ ତୁଳନାରେ ଖାଉଟି କିଲୋ ପିଛା ୧୦ ଟଙ୍କା ଅଧିକ ଗଣିବାକୁ ବାଧ୍ୟ ହେଉଛି। କିନ୍ତୁ ହରଡ଼ ଡାଲି ହାରରେ ମୁଗ ଓ ବିରି ଦର ବୃଦ୍ଧି ପାଇନାହିଁ। ଏ କ୍ଷେତ୍ରରେ କ୍ବିଣ୍ଟାଲ ପିଛା ୫ ଶହ ଟଙ୍କା ପର୍ଯ୍ୟନ୍ତ ବଢ଼ିଛି। ତେଣୁ ଖୁଚୁରା ବଜାରରେ ମଧ୍ୟ ଆପାତତଃ କିଲୋ ପିଛା ୫/୬ ଟଙ୍କା ବଢ଼ିଛି। ଏ ନେଇ ବ୍ୟବସାୟୀ ମହାସଂଘର ସମ୍ପାଦକ ସୁଧାକର ପଣ୍ଡାଙ୍କ କହିବା କଥା ବଡ଼ ବଡ଼ ମଲ୍ ମାଲିକମାନେ ପ୍ରଚୁର ପରିମାଣର ଡାଲି କିଣି ଦୀର୍ଘ ସମୟ ପର୍ଯ୍ୟନ୍ତ ମହଜୁଦ୍ ରଖି ପାରୁଛନ୍ତି। ଫଳରେ ଦର ନିୟନ୍ତ୍ରଣ ସିଧାସଳଖ ସେମାନଙ୍କ ହାତକୁ ଚାଲି ଯାଇଛି।