ଲୋକଙ୍କ ଉପରେ ମହଙ୍ଗା ମାଡ଼ ! ବଢ଼ିଲା ଡାଲି, ତେଲ ଓ ପିଆଜ ଦର

371

କନକ ବ୍ୟୁରୋ : କାର୍ତ୍ତିକ ପାଇଁ ପରିବା ଦର ଆକାଶ ଛୁଆଁ ଥିବାବେଳେ ଏବେ ଡାଲି, ତେଲ ଓ ପିଆଜ ଦର ବଢ଼ିଯାଇଛି । ହେଲେ ଡାଲି ଦର ସବୁଠୁ ଅଧିକ ବାଧୁଛି । ମୁଗ, ହରଡ଼, ବୁଟ ଡାଲି କେଜି ପିଛା ୫ରୁ ୧୦ଟଙ୍କା ବଢ଼ିଥିବାବେଳେ ଖୁଚୁରା ବଜାରରେ ଏହା ୭ରୁ ୧୨ଟଙ୍କା ବଢ଼ିଛି । ମାସକରେ ଡାଲି ଦର ଏତେ‌ ବଢ଼ିବା ଲୋକଙ୍କ ଉପରେ ମହଙ୍ଗା ମାଡ଼ ସଦୃଶ ହୋଇଛି ।

ଖାଦ୍ୟ ଯୋଗାଣ ବିଭାଗ ପକ୍ଷରୁ ଜାରି ହୋଇଥିବା ରିପୋର୍ଟ ଅନୁଯାୟୀ ପାଇକାରୀ ଦରରେ ହରଡ଼ ଡାଲି ଦର ଗତ ମାସରେ ୬୦ଟଙ୍କା ଥିବାବେଳେ ଆଜି ଏହା ୭୦ଟଙ୍କାରେ ପହଞ୍ଚିଛି । ଏକସଙ୍ଗେ ୧୦ଟଙ୍କା ବଢ଼ିଛି । ଖୁଚୁରା ବଜାରରେ ଏହା ୭୫ରୁ ୭୭ଟଙ୍କାରେ ବିକ୍ରି ହେଉଛି ।ଯେତେବେଳେ କି ଗତବର୍ଷ ଏହି ସମୟରେ ହରଡ କେଜି ୬୫ଟଙ୍କା ଥିଲା । ସେହିପରି ମୁଗ ଡାଲି କେଜି ଗତ ମାସରେ ୭୦ଟଙ୍କା ଥିବାବେଳେ ଆଜି ଏହା ୭୫ଟଙ୍କାରେ ପହଞ୍ଚିଛି । ମାସକରେ ଏକାଥରକେ ୫ଟଙ୍କା ବଢ଼ିଯାଇଛି । ଯେତେବେଳେ କି ଖୁଚୁରା ବଜାରରେ ମୁଗ ଡାଲି ୮୦ଟଙ୍କା ଛୁଇଁଲାଣି । ଗତବର୍ଷ ଏହି ସମୟରେ ମୁଗ ଡାଲି କେଜି ପିଛା ପାଇକାରୀ ଦର ୬୮ଟଙ୍କା ଥିଲା । ବର୍ଷକରେ ୭ଟଙ୍କା ବଢ଼ିଛି । ବୁଟ ଡାଲି ବି ଗତ ମାସ ତୁଳନାରେ ୬ଟଙ୍କା ବଢ଼ିଛି। ୬୨ରୁ ୬୮ଟଙ୍କାରେ ପହଞ୍ଚିଲାଣି ।

onion
image courtesy – www.maverics.in

କେବଳ ଡାଲି ନୁହେଁ ସୋରିଷ ତେ‌ଲ ଗତବର୍ଷ ୯୬ଟଙ୍କା ଥିବାବେଳେ ଏବେ ଲିଟର ୧୦୬ଟଙ୍କା ଛୁଇଁଛି । ଖୁଚୁରା ବଜାରରେ ଏହା ୧୧୦ରୁ ୧୧୨ଟଙ୍କାରେ ବିକ୍ରି ହେଉଛି । ରିଫାଇନ୍ ତେଲ ଯଦିଓ ଗତ ମାସ ଅପେକ୍ଷା ତିନି ଟଙ୍କା କମିଛି ବୋଲି କୁହାଯାଉଛି ‌କିନ୍ତୁ ଗତ ବର୍ଷ ତୁଳନାରେ ୭ଟଙ୍କା ବଢ଼ିଛି। ଏବେ ରିଫାଇନ୍ ପାଇକାରୀ ମୂଲ୍ୟ ୮୨ଟଙ୍କା  ରହିଛି ।

Source:Healthline

ଆଳୁ ୧୬ଟଙ୍କାରୁ ଖସି ୧୪ଟଙ୍କାରେ ପହଞ୍ଚିଥିବାବେଳେ ପିଆଜ ୧୮ରୁ ୨୦ଟଙ୍କାକୁ ବୃଦ୍ଧି ପାଇଛି । କିନ୍ତୁ ଖୁଚୁରା ବଜାରରେ ଆଳୁ ୧୮ଟଙ୍କା ଏବଂ ପିଆଜ ୨୫ଟଙ୍କାରେ ବିକ୍ରି ହେଉଛି । ଗତ ମାସରେ ଡିଜେଲ୍ ଦର ହୁ ହୁ ହୋଇ ବଢ଼ିଥିବାରୁ ବିଭିନ୍ନ ସାମଗ୍ରୀର ଦର ବୃଦ୍ଧି ପାଇଁ ତେଲ ବୃଦ୍ଧିକୁ ଦାୟୀ କରାଯାଇଥିଲା । କିନ୍ତୁ ଏବେ ତେଲ ଦର କମିବା ପରେ ଦାମ୍ କମୁନି । ଯେତେବେଳେକି ଡାଲି ଦର ବୃଦ୍ଧି ପାଇଁ ଏହାର ଏମ୍‌ଏସ୍‌ପି ବଢ଼ିଥିବା କାରଣ ଦର୍ଶାଯାଉଛି ।