ଥରେ ବୁଲି ଯାଆନ୍ତୁ ଡକରାଇଯୋଡ଼ି ଜଳପ୍ରପାତ : ପଥର ଛାତିରେ ଅଙ୍କା ବଙ୍କା ହୋଇ ଝରି ଆସୁଥିବା ଝରଣାରେ ମଜା ଉଠାଉଛନ୍ତି ପର୍ଯ୍ୟଟକ

449

କନକ ବ୍ୟୁରୋ : ପ୍ରାକୃତିକ ସୌନ୍ଦର୍ଯ୍ୟରେ ପରିପୂର୍ଣ୍ଣ ଆମ ରାଜ୍ୟ ଓଡ଼ିଶା । ଆଉ ଏଠାରେ ରହିଛି ଅନେକ ସୁନ୍ଦର ସୁନ୍ଦର ପର୍ଯ୍ୟଟନସ୍ଥଳୀ । ରାଜ୍ୟର ପର୍ଯ୍ୟଟନ ମାନଚିତ୍ରରେ ମାଲକାନଗିରି ଜିଲ୍ଲାର ସ୍ୱତନ୍ତ୍ର ସ୍ଥାନ ରହିଛି । ଏଠାରେ ଥିବା ଜଳପ୍ରପାତ, ଘଞ୍ଚ ବନାନୀ, ସୁଦୀର୍ଘ ଚଟାଣ ପର୍ଯ୍ୟଟକଙ୍କୁ ମନ୍ତ୍ରମୁଗ୍ଧ କରେ । ମାଲକାନଗିରି ଜିଲ୍ଲାର ପର୍ଯ୍ୟଟନସ୍ଥଳୀ ଗୁଡ଼ିକ ଭିତରୁ ଡକରାଇଯୋଡ଼ି ଜଳପ୍ରପାତ ଅନ୍ୟତମ । ନବବର୍ଷର ଧୁମରେ ଘଞ୍ଚ ଜଙ୍ଗଲ ତଥା ପାହାଡ଼ ଖୋଲ ଭିତରେ ଥିବା ଡକରାଇଯୋଡ଼ି ଜଳପ୍ରପାତରେ ଗାଧୋଇ ମଜା ଉଠାଉଛନ୍ତି ପର୍ଯ୍ୟଟକ ।

ନବବର୍ଷ ଅବସରରେ ମାଲକାନଗିରିର ଡ଼କରାଇଯୋଡ଼ି ଜଳପ୍ରପାତରେ ପର୍ଯ୍ୟଟକଙ୍କ ଭିଡ଼ । ପଥର ଛାତିରେ ଅଙ୍କା ବଙ୍କା ହୋଇ ଝରି ଆସୁଥିବା ଝରଣାରେ ଗାଧୋଇବାର ଖୁବ ମଜା ମଧ୍ୟ ଉଠାଉଛନ୍ତି ପର୍ଯ୍ୟଟକ । ଦେଖନ୍ତୁ ଝରଣାରେ ଉପରୁ ତଳକୁ ଖସି କିପରି ମଜା ଉଠାଉଛନ୍ତି ଲୋକେ । ଚାରିପଟେ ପାହାଡ଼ ଓ ମଝିରେ ଥିବା ଏହି ଜଳପ୍ରପାତର କୁଳୁକୁଳୁ ଶବ୍ଦ ପର୍ଯ୍ୟଟକ ମାନଙ୍କୁ ଆକର୍ଷିତ କରୁଛି । ଆଦିବାସୀ ବହୁଳ ଅଞ୍ଚଳରେ ଲୁକ୍କାୟିତ ଭାବରେ ରହିଥିବା ଏହି ସ୍ଥାନରେ ବଣଭୋଜି ଓ ପ୍ରକୃତିକୁ ପାଖରୁ ଦେଖିବାର ସୁଯୋଗ ମିଳୁ ଥିବାରୁ ପ୍ରତିଦିନ ଏଠାକୁ ଶହ ଶହ ପର୍ଯ୍ୟଟକ ଦୂରଦୂରାନ୍ତରରୁ ଛୁଟି ଆସୁଛନ୍ତି ।

ଡକରାଇଯୋଡ଼ି ଜଳପ୍ରପାତକୁ ପ୍ରତିଦିନ ଶହ ଶହ ଲୋକ ଆସୁଥିଲେ ହେଁ ଏହି ପର୍ଯ୍ୟଟନସ୍ଥଳୀର ଉନ୍ନତି ଦିଗରେ ସଚେତନ ନୁହଁନ୍ତି ରାଜ୍ୟ ସରକାର । ଭିତ୍ତିଭୂମିର ଅଭାବ ଯୋଗୁଁ ସାଧାରଣରେ ପର୍ଯ୍ୟଟକ ଅସନ୍ତୋଷ ପ୍ରକାଶ କରିଛନ୍ତି । ଗତବର୍ଷ କନକ ନ୍ୟିୁଜରେ ଏହି ସ୍ଥାନ ସଂପର୍କରେ ଖବର ପ୍ରସାରଣ ପରେ ଜିଲ୍ଲାପାଳ ଏଠାକୁ ପରିଦର୍ଶନରେ ଆସିଥିଲେ । ଡକରାଇଯୋଡ଼ିକୁ ଯିବାପାଇଁ ରାସ୍ତା ନିର୍ମାଣ ଓ ବିଶ୍ରାମ ଗୃହ ନିର୍ମାଣ କରିବାକୁ ପ୍ରତିଶୃତି ମଧ୍ୟ ଦେଇଥିଲେ । ତେବେ ଗୋଟିଏ ବର୍ଷ ବିତିଯାଇଥିଲେ ମଧ୍ୟ କାମ ଆଗେଇ ପାରିନାହିଁ । କିିଛି ବାଟ ମୋରମ ଓ ମେଟାଲ ବିଛାଇ କାମ ସାରିଦେଇଛି ପ୍ରଶାସନ । ଜିଲ୍ଲା ପ୍ରଶାସନ କିମ୍ବା ରାଜ୍ୟ ସରକାର ଡକରାଇଯୋଡ଼ିର ବିକାଶ ଦିଗରେ ସଚେତନ ହୁଅନ୍ତେ, ତେବେ ଏହି ସ୍ଥାନଟି ଜିଲ୍ଲାର ଏକ ପ୍ରମୁଖ ପର୍ଯ୍ୟଟନ ସ୍ଥାନ ଭାବରେ ପରିଚିତ ହୋଇପାରନ୍ତା ।