#ଡ଼ାହା ମିଛ । ଶିବରାଜ ଜିତିଥିଲେ ଆସିଥାନ୍ତା କି ସଙ୍କଟ ? ମଧ୍ୟପ୍ରଦେଶ ରାଜନୀତି କଡ଼ ଲେଉଟାଇବା ପଛର ରହସ୍ୟ ।

#ଡ଼ାହା ମିଛ । ମଧ୍ୟପ୍ରଦେଶରେ ୪ର୍ଥ ଥର ପାଇଁ କ୍ଷମତାକୁ ଆସିବାର କେଇ ପାହାଚ ପୂର୍ବରୁ ସତେ ଯେମିତି ଶିବରାଜଙ୍କ ପାଦ କିଏ ଟାଣିବାରେ ଲାଗିଥିଲା ବୋଲି ଆଭାସ ହେଉଥିଲା ।

1,682

ସମସ୍ତ ବାକ୍ୟ କାଳ୍ପନିକ । ଏଥିରେ କୈାଣସି ସତ୍ୟତା ନାହିଁ । ବିଲକୁଲ ଦେହକୁ ନେବେନି କିମ୍ବା ଆମକୁ ଗାଳି କରିବେନି । ଦେଶକୁ ଗେରୁଆ ରଙ୍ଗରେ ରଙ୍ଗିନ୍ କରିବା ପାଇଁ ବିଜେପି ବିଜୟ ଧାରାରେ ବ୍ରେକ୍ ଲାଗିଲା । ଏବଂ ମଧ୍ୟପ୍ରଦେଶରେ ଶିବରାଜଙ୍କ ଶାସନ ଗାଦି କଂଗ୍ରେସ ହାତକୁ  ଗଲା କେମିତି ? ରହିଛି କି ବଡ଼ ରହସ୍ୟ ? 

କନକ ବ୍ୟୁରୋ: ଗତ କିଛି ଦିନ ହେବ ଜାତୀୟ ଓ ରାଜ୍ୟ ରାଜନୀତିକୁ ଥରହର କରିଛି ୫ଟି ରାଜ୍ୟର ବିଧାନସଭା ନିର୍ବାଚନୀ ଫଳାଫଳ । ପଦ୍ମରୁ ପାଖୁଡ଼ା ଖସିଲା ପରି ଗେରୁଆ ଦଳ ହାତରୁ ଚାଲିଗଲା ୩ଟି ରାଜ୍ୟର ଶାସନ ଡ଼ୋରୀ । ଠିକ୍ ତାପର ଦିନ ସାକାଳୁ ଉଠି ଖବର କାଗଜର ଯେଉଁ ପୃଷ୍ଠାରେ ନଜର ପଡ଼ିଲା ସେଇଠି ବିଜେପି ଦଳକୁ ନେଇ ସତେ ଯେମିତି ସୁନାମୀ ଆସିଥିଲା ଭଳି ଅନୁଭବ ହେଲା । କାରଣ ଦେଶକୁ ଗେରୁଆ ରଙ୍ଗରେ ରଙ୍ଗିନ୍ କରିବାକୁ ମନସ୍ଥ କରିଥିବା ବିଜେପି ଦଳକୁ ଏହି ୫ରାଜ୍ୟରେ ଶକ୍ତ ଝଟକା ଲାଗିଛି । ଆଉ ଏଭଳି ଝଟକା ବିଜେପିକୁ ଦେଇଛି କଂଗ୍ରେସ । ଛତିଶଗଡ଼ ଏବଂ ରାଜସ୍ଥାନରେ ଏକ ତରଫା ବିଜୟ ହାସଲ କରିଛି କଂଗ୍ରେସ । କିନ୍ତୁ ମଧ୍ୟପ୍ରଦେଶରେ କଂଗ୍ରେସ ବିଜେପି ମଧ୍ୟରେ ହୋଇଥିଲା କାଣ୍ଟେ କା ଟକ୍କର । ଆଉ ବାଜି ମାରିନେଲା କଂଗ୍ରେସ ।

ମଧ୍ୟପ୍ରଦେଶରେ ୪ର୍ଥ ଥର ପାଇଁ କ୍ଷମତାକୁ ଆସିବାର କେଇ ପାହାଚ ପୂର୍ବରୁ ସତେ ଯେମିତି ଶିବରାଜଙ୍କ ପାଦ କିଏ ଟାଣିବାରେ ଲାଗିଥିଲା ବୋଲି ଆଭାସ ହେଉଥିଲା । ଶିବରାଜଙ୍କ ପରାଜୟ ହେଉ ବୋଲି ଚାହୁଁଥିଲେ ଖୋଦ୍ ବିଜେପିର ମୋଦି-ଶାହ ଯୋଡ଼ି ବୋଲି ମଧ୍ୟପ୍ରଦେଶବାସୀ ଟୁପୁରୁଟାପୁରୁ ହେଉଛନ୍ତି । ମଧ୍ୟପ୍ରଦେଶରେ ୩ଥର ମୁଖ୍ୟମନ୍ତ୍ରୀ ଭାର ସମ୍ଭାଳିଥିବା ଶିବରାଜଙ୍କ କାର୍ଯ୍ୟ ଦକ୍ଷତାକୁ ମଧ୍ୟପ୍ରଦେଶାବାସୀ ପସନ୍ଦ କରୁଥିଲେ ମଧ୍ୟ ଏହା ମୋଦି-ଶାହଙ୍କୁ ନାପସନ୍ଦ ଥିଲା  । ଏହା ପଛର ରହସ୍ୟ ଖୋଜିଲା ବେଳକୁ ଖୋଲିଲା ଗୁମର, ଶିବରାଜଙ୍କ ରାଜନୀତି ଶାସନ ଆକ୍ରଣାତ୍ମକ ଢ଼ଙ୍ଗର ନୁହେଁ ବୋଲି ମୋଦି-ଶାହଙ୍କୁ ଟିକେ ଅଡୁଆ ଲାଗୁଥିଲା । ଯାହାକି ମଧ୍ୟପ୍ରଦେଶ ବିଜେପି ସାଂଗଠନିକ ସିନ୍ଦୁକର ସବୁଠାରୁ ଖରାପ ରହସ୍ୟ ବୋଲି ଶୁଣିବାକୁ ମିଳୁଛି ।

କେବଳ ଏତିକି ନୁହେଁ ଗତ ବର୍ଷ ମଧ୍ୟପ୍ରଦେଶର ମନ୍ଦସାଉର ଠାରେ ୬ଜଣ ଚାଷୀଙ୍କୁ ପୋଲିସର ଗୁଳି ଘଟଣା ଚଳିତ ବିଧାନସଭା ନିର୍ବାଚନ ପାଇଁ ସମସ୍ୟା ସୃଷ୍ଟି କରିବ ବୋଲି ପୂର୍ବରୁ ଜାଣିଥିଲେ ବିଜେପି ଚାଣକ୍ୟ ଅମିତ ଶାହ । କିନ୍ତୁ ଏହି ସମସ୍ୟାକୁ କିଭଳି ମୁକାବିଲା କରାଯିବ ସେନେଇ ଶିବରାଜଙ୍କ ସହ କୌଣସି ଆଲୋଚନା କରିନଥିବା ମଧ୍ୟ ସାମ୍ନାକୁ ଆସିଥିଲା । ଏପରିକି ଶିବରାଜଙ୍କୁ ମଧ୍ୟପ୍ରଦେଶରୁ ଆଣି ଦିଲ୍ଲୀରେ ମୋଦି ମନ୍ତ୍ରୀ ମଣ୍ଡଳରେ ଜଣେ ପାୱାରଲେସ୍ କରିବାକୁ ଯୋଜନା କରୁଛନ୍ତି ମୋଦି ଏବଂ ଶାହ ବୋଲି ଜାତୀୟ ରାଜନୀତିରେ ଚର୍ଚ୍ଚା ହେଉଛି ।

ମଧ୍ୟପ୍ରଦେଶ ବିଜେପିର ବିଚକ୍ଷଣ ନେତା ଶିବରାଜ ୧୩ ବର୍ଷ ବୟସରୁ ଆରଏସଏସରେ ଯୋଗଦେଇ ଧିରେ ଧିରେ ରାଜନୀତିରେ ପାଦ ଥାପିଥିଲେ । ବିଜେପିକୁ ପୁଣିଥରେ ଗଢ଼ି ତୋଳିବା କ୍ଷେତ୍ରରେ ଅନେକ ବରିଷ୍ଠ ନେତାଙ୍କ ସହ ତାଙ୍କ ଭୂମିକା ମଧ୍ୟ ପ୍ରଂଶସନୀୟ । ସେଥିପାଇଁ ଶିବରାଜଙ୍କୁ ଦଳ ଭିତରେ ମୋଦି ଏବଂ ଶାହାଙ୍କ ଠାରୁ ଅନ୍ୟତମ ଦର୍ଜା ପ୍ରଦାନ କରନ୍ତି ବିଜେପି ସମର୍ଥକ । କିନ୍ତୁ ଏବେ ଶିବରାଜଙ୍କୁ ନେଇ ବିଜେପିର ମଙ୍ଗୁଆଳମାନଙ୍କ ମଧ୍ୟରେ ଯେଉଁ ଅସନ୍ତୋଷ ରହିଛି ତାହାର ପରିଣାମ ମଧ୍ୟପ୍ରଦେଶ ନିର୍ବାଚନରେ ପଡ଼ିଲା ବୋଲି ଜାତୀୟ ରାଜନୀତିରେ ହେଉଛି । କାରଣ ବିଜେପି ଚାଣକ୍ୟ ଅମିତ୍ ଶାହଙ୍କ ଚତୁର ନୀତି ଏବଂ ଦେଶରେ ଚାଲିଥିବା ମୋଦି ମ୍ୟାଜିକ୍ କୁ ଫିକା କରିଦେଇଛନ୍ତି କଂଗ୍ରେସର ଯୁବରାଜ ରାହୁଲ ଗାନ୍ଧି । ଯାହା ଫଳରେ ତିନୋଟି ରାଜ୍ୟର ରାଜଗାଦି ମୋଦିଙ୍କ ହାତରୁ ଛଡ଼ାଇ ନେଇଛନ୍ତି କଂଗ୍ରେସ ଯୁବରାଜ ।

ବି. ଦ୍ର : ଉପରୋକ୍ତ ସମସ୍ତ ବାକ୍ୟ କାଳ୍ପନିକ । ଏଥିରେ କୈାଣସି ସତ୍ୟତା ନାହିଁ । ୫ ରାଜ୍ୟର ବିଧାନସଭା ନିର୍ବାଚନ ଫଳାଫଳ ପରେ ବିଜେପି ହାତରୁ ଯେଉଁ ତନୋଟି ରାଜ୍ୟର ଶାସନ ଡ଼ୋରୀ ଖସିଗଲା ତାହା ଆପଣଙ୍କୁ ଭିନ୍ନ ଢଙ୍ଗରେ ବୁଝାଇଲୁ । ବିଲକୁଲ ଦେହକୁ ନେବେନି କିମ୍ବା ଆମକୁ ଗାଳି କରିବେନି ।

ବି. ଦ୍ର : ଆପଣ ମଧ୍ୟ ଏଭଳି ଚିନ୍ତାଧାରାରେ ଲେଖା ଆମ ପାଖକୁ ପଠାଇବାକୁ ଚାହାନ୍ତି ତେବେ ଆମ ହ୍ୱାଟସଆପ ନମ୍ବରକୁ ପଠାଇପାରିବେ । ଆମ ନମ୍ବର – ୯୧୭୮୪୬୭୦୦୫