ଦାଦନ ପେଟରେ ଖୁଚୁରା ଲାତ ! କାମ କରି ବି ଶ୍ରମିକ ପାଉ ନାହାଁନ୍ତି ପାଉଣା

50

vlcsnap-2016-12-05-20h29m53s473କନକ ବ୍ୟୁରୋ : ହାତରେ ଖୁଚୁରା ନାହିଁ ପାଖରେ କାମ ନାହିଁ । ଖୁଚୁରା ଟଙ୍କା ପାଇଁ ହଟହଟା ହୋଇ ଫେରୁଛନ୍ତି ଦାଦନ । ଭୋକ ଉପାସରେ ପର ରାଇଜରେ ସଢିବା ଅପେକ୍ଷା ଘରକୁ ଫେରିବା ଭଲ । ବିଳମ୍ବିତ ରାତିରେ ପୁରୀ ଅହମ୍ମଦାବାଦ୍ ଟ୍ରେନ୍ ଷ୍ଟେସନରେ ଲାଗିବା ପରେ ଏମିତି କିଛି ସମ୍ବେଦନଶୀଳ ଦୃଶ୍ୟ କଏଦ ହୋଇଛି କନକ ନ୍ୟୁଜ୍ କ୍ୟାମେରାରେ ।

ପୁରୁଣା ନୋଟ୍ ଅଚଳ ହୋଇଯିବା ପରେ ସୂତାକଳରେ କାମ ମିଳୁନି । ଯଦି ବି କାମ ମିଳୁଛି, ହେଲେ ପାଉଣାରେ ମିଳୁନି ନୂଆ ନୋଟ୍ । ଅନେକ ଦିନ ଧରି ହଟହଟା ହେବା ପରେ ଏବେ ଘରକୁ ଫେରିବାକୁ ବାଧ୍ୟ ହୋଇଛନ୍ତି ଏହି ଦାଦନ ଶ୍ରମିକ ।

ସୁରତର ଅଧିକାଂଶ ସୂତାକଳରେ ଏହି ଶ୍ରମିକ ମାନେ ଦିନକୁ ୧୨ଘଂଟା କାମ କରନ୍ତି । ଦିନ ମଜୁରିଆ । ପ୍ରତିଦିନ କାମ ସରିଲେ ପାରିଶ୍ରମିକ ନେଇ ଘରକୁ ଫେରନ୍ତି । ହେଲେ ଏବେ ମାଲିକଙ୍କ ପାଖରେ ନାହିଁ ଖୁଚୁରା । ତେଣୁ ବାଧ୍ୟ ହୋଇ ସୂତାକଳ ଦିନକୁ ୧୨ ଘଂଟା ବଦଳରେ ୬ ଘଂଟା ଚାଲୁଛି । ଫଳରେ ଅନେକଙ୍କ ରୋଜଗାର କମିଥିବା ବେଳେ ଆଉ କିଛି କାମ ଧନ୍ଦା ହରାଇଛନ୍ତି । ଏପରିକି ମାଲିକମାନେ ପୁରୁଣା ନୋଟ୍ ଦେଉଛନ୍ତି । ଯାହା ଏମାନଙ୍କ ସମସ୍ୟାକୁ ବଢାଇ ଦେଇଛି ।

ଗଂଜାମର ପ୍ରାୟ ୫ଲକ୍ଷ ଲୋକ ଦାଦନ ଭାବେ ବିଭିନ୍ନ ରାଜ୍ୟରେ କାମ କରନ୍ତି । ଆଉ ବର୍ଷକୁ ପ୍ରାୟ ୧୨ ଶହ କୋଟି ଟଙ୍କା ଘରକୁ ପଠାନ୍ତି । ଏବେ ଏମାନଙ୍କ ମଧ୍ୟରୁ ପ୍ରାୟ ୨୦% ଦାଦନ ଫେରି ଆସିଥିବା ଜଣା ପଡିଛି ।