ପୁଣି ସକ୍ରିୟ ହେଲା ‘ଡି ଗ୍ୟାଙ୍ଗ’ ! ବ୍ୟବସାୟୀଙ୍କୁ ମିଳିଲା ହତ୍ୟା ଧମକ, ଦୁଇ ଅଭିଯୁକ୍ତଙ୍କୁ ଗିରଫ କଲା କମିଶନରେଟ ପୋଲିସ

28

କନକ ବ୍ୟୁରୋ : ଜେଲରେ ଡି ବ୍ରଦର୍ସ କିନ୍ତୁ ବାହାରେ ଖୁଲମଖୁଲା ତାଙ୍କ ନାମରେ ଚାଲିଛି ଦାଦାବଟି ଆଦାୟ । ଡି ବ୍ରଦର୍ସ ଓ ତାଙ୍କ ସହଯୋଗୀଙ୍କୁ ଗିରଫ ପରେ ମଧ୍ୟ ଏବେ ବି ସହରରେ ଡି ଲିଙ୍କ ସକ୍ରିୟ । ଗତକାଲି କଟକ ଜଗତପୁର ଅଂଚଳରୁ ଡି ବ୍ରଦର୍ସଙ୍କ ଆଉ ଦୁଇ ସହଯୋଗୀ କୁନ ଓ ଅଜୟକୁ ପୋଲିସ ଗିରଫ କରିବା ପରେ ସହରରେ ଏବେ ମଧ୍ୟ ଡି ଲିଙ୍କ ସକ୍ରିୟ ଥିବା କଥା ଅନୁମାନ କରାଯାଉଛି । ଯାହା କଟକବାସୀଙ୍କ ମନରେ ପୁଣିଥରେ ଛନକା ପୂରାଇଛି ।

vlcsnap-2017-12-28-17h14m33s374ବ୍ୟବସାୟୀଙ୍କୁ ହତ୍ୟା ଧମକ ପାଇଁ ଗତକାଲି ଦୁର୍ଦ୍ଦାନ୍ତ ଅପରାଧୀ କୁନ ଓରଫ କୁନା ଚନ୍ଦ୍ର ସ୍ୱାଇଁ ଏବଂ ଛୋଟୁ ଓରଫ ଅଜୟ ସିଂଙ୍କୁ ଗିରଫ କରିଛି ପୋଲିସ । କମିଶନରେଟ ପୋଲିସ ଠାରୁ ମିଳିଥିବା ସୂଚନା ଅନୁଯାୟୀ ଦୁଇ ଜଣଙ୍କ ନାମରେ ପୂର୍ବରୁ ସହରର ବିଭିନ୍ନ ଥାନାରେ ଦାଦାବଟି ଆଦାୟ ବେଆଇନ ଅସ୍ତ୍ରଶସ୍ତ୍ର କାରବାର ଭଳି ଏକାଧିକ ମାମଲା ରହିଛି । ସହରରେ ଡି ବ୍ରଦର୍ସଙ୍କ ଦ୍ୱାରା ଅନେକ ଅପରାଧିକ ଘଟଣାରେ ଏମାନଙ୍କର ପୂର୍ବରୁ ଲିଙ୍କ ଥିବା କଥା ମଧ୍ୟ ପୋଲିସକୁ ପ୍ରମାଣ ମିଳିଛି ।

କଟକ ଜଗତପୁର ଅଂଚଳରେ ଏକ ମଦ ଦୋକାନ ଖୋଲିବାକୁ ନେଇ ଜଣେ ବ୍ୟବସାୟୀଙ୍କୁ ହତ୍ୟା ଧମକ ଦେଇଥିଲେ କୁନ ଏବଂ ଛୋଟୁ । ପରେ ଏ ନେଇ ଥାନାରେ ଅଭିଯୋଗ ପରେ ପୋଲିସ ଏହି ଦୁଇ ଜଣଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି । ସହରରେ ଡି ବ୍ରଦର୍ସଙ୍କ କିଛି ସହେଯାଗୀ ଏବେ ମଧ୍ୟ ସହରରେ ସକ୍ରିୟ ଥିବାରୁ ଛୋଟ ବଡ ଅପରାଧ ଏବେ ପୋଲିସ ପାଇଁ ମୁଣ୍ଡବିନ୍ଧା ର କାରଣ ପାଲଟିଛି ।