ତିତିଲିକୁ ନେଇ ସଜାଗ ସରକାର ! ତିନିଲକ୍ଷ ଲୋକ ସ୍ଥାନାନ୍ତର ।

30

କନକ ବ୍ୟୁରୋ : ତିତଲିକୁ ଦୃଷ୍ଟିରେ ରଖି ରାଜ୍ୟ ସରକାର ଲୋକମାନଙ୍କ ପାଇଁ ବ୍ୟାପକ ବ୍ୟବସ୍ଥା କରିଛନ୍ତି । ଏନେଇ ଗୋପାଳପୁର, ପୁରୀ. ଅସ୍ତରଙ୍ଗ, କୋଣାର୍କ ଓ ପାରାଦୀପର ତଟବର୍ତି ଅଂଚଳରେ ଲୋକଙ୍କୁ ବାତ୍ୟା ଆଶ୍ରୟସ୍ଥଳକୁ ନିଆଯାଉଛି । ୮୩୬ ବାତ୍ୟା ଆଶ୍ରୟ ସ୍ଥଳୀରେ ବିଶେଷ ବ୍ୟବସ୍ଥା କରାଯାଇଛି । ଡାକ ବାଜି ଯନ୍ତ୍ର ଜରିଆରେ ଲୋକଙ୍କୁ ସତର୍କ କରିଛନ୍ତି ଜିଲ୍ଲା ପ୍ରଶାସନ । ଜିରୋ କାଜୁଆଲିଟି ପାଇଁ ସବୁପ୍ରକାର ବ୍ୟବସ୍ଥା ଗ୍ରହଣ କରୁଛନ୍ତି ସରକାର । ଗଂଜାମ ଅଧିକ ପ୍ରଭାବିତ ହେବାକୁ ଥିବାରୁ ୫ଟି ବ୍ଲକରେ ଜାରି କରାଯାଇଛି ହାଇଆଲର୍ଟ । ଯେକୌଣସି ପରିସ୍ଥିତିର ମୁକାବିଲା ପାଇଁ ସଜାଗ ରହିଛି ଜିଲ୍ଲା ପ୍ରଶାସନ ।

ସୂଚନା ଅନୁଯାୟୀ, ସମ୍ଭାବ୍ୟ ବାତ୍ୟାର ମୁକାବିଲା ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ଗୁରୁତ୍ୱପୂର୍ଣ୍ଣ ବୈଠକ ବସିଛି । ଏସଆରସି, ମୁଖ୍ୟ ଶାସନ ସଚିବ, ସମସ୍ତ ବିଭାଗୀୟ ସଚିବ, ଉନ୍ନୟନ୍ନ କମିସନର ଓ ପୁଲିସ ଡିଜିଙ୍କ ଉପସ୍ଥିତିରେ ତିତଲିର ମୁକାବିଲା ନେଇ ଆଲୋଚନା କରିଛନ୍ତି ମୁଖ୍ୟମନ୍ତ୍ରୀ । ୧୧ ଓ ୧୨ ତାରିଖ ରାଜ୍ୟର ସମସ୍ତ ସ୍କୁଲ, କଲେଜ ଏବଂ ଅଙ୍ଗନୱାଡି କେନ୍ଦ୍ର ବନ୍ଦ ରହିବ ବୋଲି ଘୋଷଣା କରିଛନ୍ତି ରାଜ୍ୟ ସରକାର । କଲେଜ ବନ୍ଦ ଯୋଗୁଁ ଛାତ୍ର ସଂସଦ ନିର୍ବାଚନ ସ୍ଥଗିତ କରାଯାଇଛି । ସମସ୍ତ ସରକାରୀ କର୍ମଚାରୀଙ୍କ ଛୁଟି ବାତିଲ କରାଯାଇଛି ।

ଖୋର୍ଦ୍ଧାରୋଡ ଓ ବିଜୟନଗରମ୍ ମଧ୍ୟରେ ଟ୍ରେନ ଚଳାଚଳ ବାତିଲ କରିଛି ଇଷ୍ଟକୋଷ୍ଟ ରେଲୱେ । ରାତି ୧୦ଟାରୁ ଉଭୟ ପଟୁ କୌଣସି ଟ୍ରେନ ଚାଲିବ ନାହିଁ । ହାୱାଡାରୁ ଭଦ୍ରକ ଦେଇ ଟ୍ରେନ ଚଳାଚଳ କରାଯିବ ନାହିଁ ବୋଲି ପୂର୍ବତଟ ରେଳବାଇ ପକ୍ଷରୁ ସୂଚନା ଦିଆଯାଇଛି । ତିତଲି ପ୍ରଭାବରେ ପୁରୀରେ ସକାଳୁ ବର୍ଷା ଲାଗି ରହିଥିବାରୁ ଅନେକ ଟ୍ରେନର ସମୟ ପରିବର୍ତନ କରାଯାଇଛି । ପୁରୀ-ଯୋଧପୁର, ପୁରୀ-ଅହମ୍ମଦାବାଦ, ପୁରୀ-ଦୁର୍ଗ ଏକ୍ସପ୍ରେସ, ପୁରୀ ହାୱାଡା ଗରିବ ରଥର ସମୟ ପରିବର୍ତନ କରାଯାଇଛି । ସେହିପରି ବିମାନ ସେବା ଉପରେ ମଧ୍ୟ ରୋକ୍ ଲାଗିଛି । ଭୁବନେଶ୍ୱରରୁ ଇଣ୍ଡିଗୋ ବିମାନ ଚଳାଚଳ ଉପରେ କଟକଣା ଲଗାଯାଇଛି ।