କାଳବୈଶାଖୀ ପ୍ରଭାବରେ ପବନ ସହ କୁଆପଥର ବର୍ଷା ! ଘୂର୍ଣିଝଡ ‘ମୋରା’ ପ୍ରଭାବରେ ପ୍ରବଳ ବର୍ଷା ସମ୍ଭାବନା

37

କନକ ବ୍ୟୁରୋ : ରାଜଧାନୀରେ କାଳବୈଶାଖୀ ବର୍ଷା । ଖୁବ୍ ଜୋରରେ ପବନ ବହିବା ସହ ପ୍ରବଳ ବର୍ଷାରେ ଭିଜିଲା ଭୁବନେଶ୍ୱର । ଫଳରେ ଅସହ୍ୟ ତାତିରୁ ମିଳିଛି ତ୍ରାହି । ତେବେ ବାଲେଶ୍ୱର, ମୟୁରଭଞ୍ଜ, କେନ୍ଦୁଝର, ଢେଙ୍କାନାଳ ସମେତ ଉତର ଓ ଉତର ପୂର୍ବାଂଚଳ ଓଡିଶାରେ ଗତକାଲି କାଳବୈଶାଖୀ ବର୍ଷା ହୋଇଥିବା ସୂଚନା ଦେଇଛନ୍ତି ଆଂଚଳିକ ପାଣିପାଗ କେନ୍ଦ୍ରର ନିର୍ଦ୍ଦେଶକ ଶରତ ଚନ୍ଦ୍ର ସାହୁ ।

ଅନ୍ୟପଟେ କାଳବୈଶାଖୀର ପ୍ରଭାବ ଭୁବନେଶ୍ୱର ବିମାନବନ୍ଦରରେ ଦେଖିବାକୁ ମିଳିଛି । ବିଜୁ ପଟ୍ଟନାୟକ ଅନ୍ତର୍ଜାତୀୟ ବିମାନବନ୍ଦରରେ ଶୋଭା ପାଉଥିବା ଛୋଟ ଗଛ ସବୁ ବର୍ଷା ଓ ପବନରେ ଟଳି ପଡିଥିଲା ।

ସେପଟେ ପୂର୍ବ-କେନ୍ଦ୍ରୀୟ ବଙ୍ଗୋପସାଗରରେ ସୃଷ୍ଟି ହୋଇଛି ଘୁର୍ଣ୍ଣିଝଡ ‘ମୋରା’ । ଗତକାଲି ସୁଦ୍ଧା ଏହା ପାରାଦୀପଠାରୁ ୭ଶହ ୩୫ କିଲୋମିଟର ଦୂରରେ ରହିଥିବା କହିଥିଲା ପାଣିପାଗ ବିଭାଗ । ମଧ୍ୟରାତ୍ର ସୁଦ୍ଧା ଏହା ମିଆଁମାର ଉପକୂଳ ଛୁଇଁବ ବୋଲି ପୂର୍ବାନୁମାନ କରିଥିଲା ଭାରତୀୟ ପାଣିପାଗ ବିଭାଗ । ତେବେ ଘୁର୍ଣ୍ଣିଝଡ ପ୍ରଭାବରେ ଆଗାମୀ ୨୪ ଘଂଟା ମଧ୍ୟରେ ଉତର ଓଡିଶାରେ ବର୍ଷା ସମ୍ଭାବନା ଥିବା ପାଣିପାଗ ବିଭାଗ କହିଛି ।

ଏହି ସମୟରେ ସମୁଦ୍ର ଉପକୂଳରେ ୩୫ରୁ ୪୦ କିଲୋମିଟର ବେଗରେ ପବନ ବହିପାରେ । ସମୁଦ୍ର ଅଶାନ୍ତ ରହୁଥିବାରୁ ମତ୍ସ୍ୟଜୀବୀମାନଙ୍କୁ ସମୁଦ୍ର ମଧ୍ୟକୁ ଯିବାକୁ ବାରଣ କରାଯାଇଛି । ପାରାଦୀପ ଓ ଗୋପାଳପୁର ବନ୍ଦରରେ ୨ ନମ୍ବର ବିପଦ ସଂକେତ ଜାରି କରାଯାଇଛି ।

ଏହା ସହ ଦେଖନ୍ତୁ ଏହି ଭିଡିଓ –

ଦେଖନ୍ତୁ ଏହି ଭିଡିଓ –